ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ ପରେ ଦୁଇ ନାବାଳକ ଉଦ୍ଧାର ଘଟଣା : ବଢ଼ିଲା ପୁଲିସ ଅଡ଼ୁଆ

ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ

ଡିସିପିଙ୍କୁ ରିପୋର୍ଟ ମାଗିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର: ବାଣୀବିହାର ଛକସ୍ଥିତ ମେଟ୍ରୋ ଟାୱାରର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ପରେ ସେଠାରୁ ଉଦ୍ଧାର ହୋଇଥିବା ଦୁଇ ନାବାଳକଙ୍କୁ ପୁଲିସ ସେମାନଙ୍କର ତଥାକଥିତ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ଘଟଣାରେ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଭିନ୍ନ ଆଇନର ଉଲ୍ଲଂଘନ କରାଯାଇ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରା ଯାଇଥିବା ଅଭିଯୋଗ ହୋଇଥିବାରୁ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଆଜି ଏ ନେଇ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଆୟୋଗ। ଘଟଣାରେ କି ପଦକ୍ଷେପ ନିଆଯାଇଛି ଓ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଅକ୍ଟୋବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସହିଦନଗର ଥାନା ଆଇଆଇସିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଅତିରିକ୍ତ ଶିଶୁ କଲ୍ୟାଣ ସମିତି(ସିଡବ୍ଲୁସି)। କାହିଁକି ଓ କେଉଁ ପରିସ୍ଥିତିରେ ଘଟଣା ଘଟିଲା, ସେ ସମ୍ପର୍କରେ ଜଣାଇବା ଲାଗି କୁହାଯାଇଛି।
ଭୁବନେଶ୍ୱର ରୁଚିକା ଚାଇଲ୍ଡଲାଇନ୍ ଅଧିକାରୀ ବେଣୁଧର ସେନାପତି କହିଛନ୍ତି, ନାବାଳକଙ୍କୁ ଉଦ୍ଧାର କରାଯିବା ପରେ ସିଡବ୍ଲୁସିରେ ହାଜର କରିବାର ନିୟମ ରହିଛି। ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା- ୧୩୨ ଅନୁସାରେ, ଉଦ୍ଧାର ନାବାଳକଙ୍କର ଯଦି ବାପା ନ ଥା’ନ୍ତି କିମ୍ବା ପାଖରେ ନ ଥା’ନ୍ତି, ତା’ହେଲେ ସେହି କ୍ଷେତ୍ରରେ ସିଡବ୍ଲୁସିଙ୍କ ନିକଟରେ ସମ୍ପୃକ୍ତ ଅଧିକାରୀ ହାଜର କରାଇବା ବାଧ୍ୟତାମୂଳକ। ସେହିପରି ଜୁଭେନାଇଲ୍ ଜଷ୍ଟିସ୍ ଆଇନର ଧାରା-୩୪ ଅନୁସାରେ, ଯଦି ସମ୍ପୃକ୍ତ ଅଧିକାରୀ ହାଜର ନ କରାନ୍ତି, ତା’ହେଲେ ଉଭୟ ଜେଲ୍ ଓ ଜରିମାନା ଦଣ୍ଡର ବ୍ୟବସ୍ଥା ରହିଛି। ନାବାଳକ କିମ୍ବା ନାବାଳିକା ଉଦ୍ଧାର ହେଲେ ସିଡବ୍ଲୁସି ନିକଟରେ ହାଜର କରାଇବା ନେଇ ଏନଏଚଆରସି(ଜାତୀୟ ମାନବାଧିକାର କମିସନ) ଏସ୍ଓପି ଜାରି କରିଛନ୍ତି। ଏହି ସବୁ ନିୟମକୁ ସହିଦନଗର ଥାନା ପୁଲିସ ଆଖି ବୁଜି ଦେଇ ଜଣେ ସମ୍ପର୍କୀୟଙ୍କ ହାତକୁ ଟେକି ଦେଇଥିବା ବେଣୁଧର ଅଭିଯୋଗ କରିଛିନ୍ତି। ସେ କହିଛନ୍ତି, ଦୁଇ ନାବାଳକ କେଉଁ ପରିସ୍ଥିତି ଏଠାକୁ ଆସିଥିଲେ, କିଏ ଆଣିଥିଲା, ସେଠାରେ ସେମାନେ କଣ କରୁଥିଲେ, ଶ୍ରମିକ ଭାବେ ସେମାନଙ୍କୁ ନିୟୋଜିତ କରାଯାଇ ଥିଲା କି- ପୁଲିସ ଏ ସବୁର ତଦନ୍ତ କରିବା ସହ ସିଡବ୍ଲୁସିରେ ହାଜର କରାଇ ପରବର୍ତ୍ତୀ ପଦକ୍ଷେପ ନେବାର ଥିଲା। କିନ୍ତୁ ପୁଲିସ ସେପରି କରି ନ ଥିବା ନେଇ ବେଣୁଧର ଶିଶୁ ଅଧିକାର ସୁରକ୍ଷା ଆୟୋଗ, ସିଡବ୍ଲୁସି ଓ ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଗତ ୨୫ ତାରିଖ ବିଳମ୍ବିତ ରାତିରେ ମେଟ୍ରୋ ଟାଵାରର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲା। ସେ ଦୁଇଜଣଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ମେଟ୍ରୋ ଟାୱାରରେ ରହୁଥିଲେ। ତାଙ୍କର ଜଣେ ସମ୍ପର୍କୀୟ ମାମୁ ଥାନାରେ ଅଣ୍ଡରଟେକିଂ ଲେଖିବା ସହ ଦୁଇ ନାବାଳକଙ୍କୁ ସାଙ୍ଗରେ ନେଇ ଯାଇଥିଲେ।

Share Now:

Kalinga News Beuro

Next Post

‘ଆଣବିକ ନୀତିକୁ ସ୍ଥାୟୀ’ କରିବା ଲାଗି ସମ୍ବିଧାନ ସଂଶୋଧନ କରିବ ଉତ୍ତର କୋରିଆ

Thu Sep 28 , 2023
ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁକ୍ତରାଷ୍ଟ୍ର ଆମେରିକାକୁ ଅମାନ୍ୟ କରିବା ଓ ‘ଆଣବିକ ନୀତିକୁ ସ୍ଥାୟୀ’ କରିବା ଲାଗି ଉତ୍ତର କୋରିଆ ତା’ର ସମ୍ବିଧାନ ସଂଶୋଧନ କରିବ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ‘ସୁପ୍ରିମ୍‌ ପିପୁଲ୍‌ସ୍‌ ଆସେମ୍‌ବ୍ଲି’ର ଏକ ଅଧିବେଶନରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କହିଛନ୍ତି, ପ୍ୟୋଙ୍ଗ୍ୟାଙ୍ଗ୍‌ର ଆଣବିକ ଶକ୍ତି ଅଭିଳାଷକୁ ଅବରୁଦ୍ଧ କରି ଏହି ବ୍ୟବସ୍ଥାକୁ ନଷ୍ଟ କରି ଦେବା ପାଇଁ ଆମେରିକା ଓ […]
ସମ୍ବିଧାନ ସଂଶୋଧନ କରିବ ଉତ୍ତର କୋରିଆ

ଆହୁରି ପଢ଼ନ୍ତୁ