ତେଲ ଅଭିଭ୍ : ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହାମାସ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ। ହାମାସ ମାରିଥିବା ୪୦ ବଦଳରେ ୨୦୦ ପାଲେଷ୍ଟିନୀୟଙ୍କୁ ମାରିଛି ଇସ୍ରାଏଲ ସେନା। ଲଢୁଆ ବିମାନ, ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଘନ ଘନ ଆକ୍ରମଣ ଚଳାଇଛି ଇସ୍ରାଏଲ। ଏହି ଆକ୍ରମଣରେ ୭୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି କେତେକ ଅନ୍ତର୍ଜାତୀୟ ଉଦ୍ଧାରକାରୀ ସଂଗଠନ ସୂଚନା ଦେଇଛନ୍ତି। ଏବେ ବି ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାରୁ ଏହି ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି।
ଅଲ ଜଜିରାର ଏକ ରିପୋର୍ଟ ଅନୁସାରେ ଇସ୍ରାଏଲର ଏହି ଆକ୍ରମଣ ପରେ ଗାଜା ଅଧିବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଏନାସ୍ କେଷ୍ଟା ନାମକ ବ୍ୟକ୍ତି କହିଛନ୍ତି ଯେ ଆଜିର ରାତି ବେଶ କଷ୍ଟକର ହୋଇପାରେ। ଆମେ କେହି ଏପରି ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲୁ। ତେବେ ହାମାସ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲର ଆକ୍ରମଣର ସମ୍ମୁଖୀନ ହେବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ଆଜି ସକାଳେ ଇସ୍ରାଏଲ ଉପରେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବେ ହାମାସକୁ ଧ୍ୱଂସ କରିବାକୁ ଚେତାବନୀ ଦେଇଥିଲେ। ନେତାନ୍ୟାହୁ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ହାମାସକୁ କଡ଼ା ଚେତାବନୀ ଦେଇଥିଲେ। ଆମେ ଯୁଦ୍ଧରେ ଅଛୁ ଏବଂ ଆମେ ଜିତିବୁ। ଆମ ଶତ୍ରୁଙ୍କୁ ଏମିତି ମୂଲ୍ୟ ଦେବାକୁ ପଡ଼ିବ ଯାହା ସେମାନେ କେବେ ଭାବି ନଥିବେ, ବୋଲି ସେ କହିଥିଲେ।
ଇସ୍ରାଏଲର ଚରମ ପ୍ରତିଶୋଧ : ୪୦ ବଦଳରେ ମାରିଲା ୨୦୦

Share Now: