ନୂଆଦିଲ୍ଲୀ: କତାର୍ରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କ ପରିବାରବର୍ଗଙ୍କୁ ଆଜି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭେଟି ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ଭାରତ ସମସ୍ତ ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ‘ଏକ୍ସ୍’ କରି ଜୟଶଙ୍କର ଲେଖିଛନ୍ତି, କତାର୍ରେ ଅଟକ ଥିବା ୮ଜଣ ଭାରତୀୟଙ୍କ ପରିବାରବର୍ଗଙ୍କୁ ଆଜି ସକାଳେ ଭେଟିଲି। ଏହି ମାମଲାରେ ଭାରତ ସରକାର ସର୍ବାଧିକ ଗରୁତ୍ବାରୋପ କରୁଥିବା କଥା କହିଛି। ସେମାନଙ୍କ ପରିବାରବର୍ଗଙ୍କ ଉଦ୍ବିଗ୍ନତା ଓ ବେଦନା କଥା ଶୁଣିଲି। ଗୁରୁତ୍ବ ଦେଇ କହିଛି ଯେ, ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସବୁ ପ୍ରକାରର ପ୍ରୟାସ ଜାରି ରଖିବେ। ଏ ପ୍ରସଙ୍ଗରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ନିବିଡ଼ ଆନ୍ତରିକତାର ସହ ସମନ୍ବୟ ରକ୍ଷା କରିବୁ।
ସୂଚନାଯୋଗ୍ୟ, ଏକଦା ଭାରତୀୟ ଯୁଦ୍ଧପୋତରେ କମାଣ୍ଡର୍ ପଦବୀରେ ନିଯୁକ୍ତ ଥିବା ପଦସ୍ଥ ଅଧିକାରୀଙ୍କ ସମେତ ସେ ଲୋକମାନେ କତାର୍ ସଶସ୍ତ୍ର ସେନାକୁ ତାଲିମ ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ‘ଦାରା ଗ୍ଲୋବାଲ୍ ଟେକ୍ନୋଲୋଜି ଆଣ୍ଡ୍ କନ୍ସଲ୍ଟାନ୍ସି ସର୍ଭିସେସ୍’ ନାମକ ଘରୋଇ ସଂସ୍ଥାନରେ କାର୍ଯ୍ୟ କରୁଥିଲେ। ସେମାନେ ହେଉଛନ୍ତି, କ୍ୟାପ୍ଟେନ୍ ନବତେଜ ସିଂହ ଗିଲ୍, କ୍ୟାପ୍ଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ୍ ସୌରଭ ବଶିଷ୍ଠ, କ୍ୟାଡର୍ ଅମିତ ନାଗପାଲ, କ୍ୟାଡର୍ ପୂର୍ଣ୍ଣେନ୍ଦୁ ତିୱାରି, କ୍ୟାଡର୍ ସୁଗୁଣକର ପକଲା, କ୍ୟାଡର୍ ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ। ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ସେମାନେ ଦଣ୍ଡିତ ହୋଇଛନ୍ତି।
କତାର୍ରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ନୌସେନା ଅଫିସର୍ଙ୍କ ପରିବାରବର୍ଗଙ୍କୁ ଭେଟିଲେ ଏସ୍. ଜୟଶଙ୍କର

Share Now: