ଶୀତରେ ଥରୁଛି ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: କାଲୁଆ ପବନ ବା‌ଜିଲେ ଦେହ ଥରି ଉଠୁଛି। ଶୀତବସ୍ତ୍ର ନ ପିନ୍ଧିଲେ ପଦାକୁ ବାହାରି ହେଉନାହିଁ। ସନ୍ଧ୍ୟାଠାରୁ ସହରବାସୀ ଶୀତରେ ଥରୁଛନ୍ତି। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ଗତ ୩ ଦିନ ହେଲା ହାଡ଼ଭଙ୍ଗା ଶୀତ ଏମିତି ଭାବେ ରାଜଧାନୀବାସୀଙ୍କୁ ଥରାଉଛି। ରାଜଧାନୀ‌ରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହୁଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଯାଇଛି। ବୟସ୍କ ଓ ଶିଶୁମାନେ ଜ୍ୱର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛନ୍ତି। ନିରାଶ୍ରିତମାନେ ରାସ୍ତାକଡ଼ରେ ନିଆଁଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି। ଆଗରୁ ରାତି ୧୧ଟା ପରେ ମଧ୍ୟ ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏବେ କମ୍‌ ସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳୁଛି। କାଁ ଭାଁ ଗାଡ଼ି ଚଳାଚଳ କରୁଛି। ରାସ୍ତାରେ ଯିବା ଏକପ୍ରକାର ମୁସ୍କିଲ୍‌ ହୋଇପଡ଼ୁଛି। ଗାଡ଼ିର ଘଣ୍ଟା ପ୍ରତି ବେଗ ୪୦ କିମିରୁ ଅଧିକ ବଢ଼ୁନାହିଁ। ବସ୍ତି ଅଞ୍ଚଳ କଥା ନକହିବା ଭଲ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ନିଆଁ ଜାଳୁଛନ୍ତି। ସପରିବାର ରାସ୍ତାପାର୍ଶ୍ଵରେ ଶୋଉଥିବା ଗୃହହୀନ ତ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ସହରରେ ଏଭଳି ଥଣ୍ଡା ଅନୁଭୂତ ହୋଇଛି। ମଙ୍ଗଳବାର ରାତି ପର୍ଯ୍ୟନ୍ତ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ଉପରେ ରହୁଥିବା ବେଳେ ବୁଧବାର ରାତିରେ ହଠାତ୍‌ ୧୨.୪ ଡିଗ୍ରିକୁ ଖସି ଆସିଛି। ସେଥିପାଇଁ ଆଜି ସକାଳୁ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା। ଖରା ହେଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନ ଥିଲା। ପୂର୍ବାହ୍ନ ୧୦ଟା ପରେ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିଥିଲା।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱରର ଓ କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଓ କଟକରେ ୧୨.୮ ଡିଗ୍ରି ରହିଥିଲା। ଆଜି ଅପେକ୍ଷା ଆସନ୍ତା ୩ ଦିନ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇବ। ୨୨ ଓ ୨୩ ତାରିଖରେ ୧୫ ଡିଗ୍ରି ରହିବାକୁ ଥିବା ବେଳେ ୨୪ ତାରିଖରେ ୧୬ ଡିଗ୍ରିକୁ ବୃଦ୍ଧି ପାଇବ। ଏହାପରେ ପୁଣିଥରେ କମିବ। ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା ପ୍ରଭୃତି ଅଞ୍ଚଳରେ ରାତିରେ ପାରଦ ବହୁତ କମ୍‌ ରହୁଛି। ଗତ ୫ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୮ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ଥିବା ବେଳେ ୨୦୧୯ରେ ୯.୮, ୨୦୨୦ରେ ୧୧.୭, ୨୦୨୧ରେ ୧୦ ଓ ୨୦୨୨ରେ ୧୨.୨ ଡିଗ୍ରି ରହିଥିଲା।

Share Now:

Kalinga News Beuro

Next Post

ଲେଉଟିଲା କରୋନା : ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

Sat Dec 23 , 2023
ଭୁବନେଶ୍ୱର : କରୋନା କଡ଼ ଲେଉଟାଇବା ପରେ ପୁଣି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ରହିଛି। ଏଥିରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଭିଡ଼ ବା ଗହଳିକୁ ଯିବା ବେଳେ ମୁହଁରେ ମାସ୍କ ଲଗାଇବାକୁ କୁହାଯାଇଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣିି ଫେରିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial