ଗାଜାରେ ହେବ ଯୁଦ୍ଧ ବିରାମ : ଫିଟୁଛି ଶାନ୍ତି ଆଲୋଚନା ପାଇଁ ବାଟ

ଜେରୁଜେଲମ: ଗାଜାରେ ଗତ ୪ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ପ୍ରୟାସ କରାଯାଉଛି। ନ୍ୟୁଜ ଏଜେନ୍ସି ଦ ସନ ଅନୁସାରେ ଯୁଦ୍ଧ ଶେଷ କରିବା ସର୍ତ୍ତ ଅନୁସାରେ ଦୁଇପକ୍ଷ ବନ୍ଦୀମାନଙ୍କୁ ମୁକ୍ତ କରିବା ନେଇ ଏବେ ସହମତି ମୁହାଁ ହୋଇଛନ୍ତି। ହମାସ ୪୦ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ। ସେହିପରି ଇସ୍ରାଏଲ ମଧ୍ୟ ଜେଲରେ ବନ୍ଦ କରିଥିବା ବହୁ ପାଲେଷ୍ଟାଇନଙ୍କୁ ମୁକ୍ତ କରିବ। କେତେକ ପାଲେଷ୍ଟାଇନଙ୍କୁ ଉତ୍ତର ଗାଜାକୁ ଫେରିବାର ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଉଛି। ଏହା ସହିତ ମାନବୀୟ ସହାୟତା ମଧ୍ୟ ବୃଦ୍ଧି କରାଯିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ୟାରିସ‌‌ରେ ଯୁଦ୍ଧ ବିରାମ ବୁଝାମଣା ସମ୍ପର୍କରେ ବୈଠକ ପରେ ଇସ୍ରାଏଲ ଚଳିତ ସପ୍ତାହରେ କତାରରେ ହେବାକୁ ଥିବା ମିଳିତ ଆଲୋଚନା ପାଇଁ ନିଜର ପ୍ରତିନିଧି ମଣ୍ଡଳ ପଠାଇବାକୁ ପ୍ରସ୍ତୁତି କରୁଛି। ପ୍ୟାରିସ ବୈଠକରେ ଆମେରିକା, ମିଶର ଏବଂ କତାର ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲେ। ଏହି ବୈଠକ ଯୁଦ୍ଧ ବିରାମ କ୍ଷେତ୍ରରେ ସଫଳ ମଧ୍ୟ ରହିଥିଲା। ଏହି ବୈଠକ ପରେ ଶାନ୍ତି ଫେରିବା ନେଇ ଆଶା ସୃଷ୍ଟି ହୋଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଦୁଇପକ୍ଷ କୌଣସି ଚୂଡାନ୍ତ ସ୍ଥିତିରେ ପହଞ୍ଚି ନାହାନ୍ତି। ‌ତେବେ କତାର ବୈଠକରେ ଯୁଦ୍ଧ ବିରାମ ବୁଝାମଣା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଦ ସନ କହିଛି।
ବୈଠକ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ କହିଛନ୍ତି, ଆମ ପାଇଁ ପଣବନ୍ଦୀଙ୍କ ମୁକ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୁଁ ଏକ ପ୍ରତିନିଧି ମଣ୍ଡଳ ପ୍ୟାରିସ ପଠାଇଥିଲି। ଆଗାମୀ ଦିନରେ ଆମେ ଶାନ୍ତି ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିବୁ। ଇସ୍ରାଏଲର ଜାତୀୟ ସୁରକ୍ଷା ପରାମର୍ଶଦାତା ତଜାଚି ହାନେମ୍ବି କହିଛନ୍ତି ସାମୟିକ ଯୁଦ୍ଧ ବିରାମକୁ କେବେ ମଧ୍ୟ ଯୁଦ୍ଧର ଶେଷ ବୋଲି କୁହାଯାଇ ପାରିବ ନାହିଁ। ଆମେ ହମାସର ଅନ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ।
ଅନ୍ୟପକ୍ଷରେ ହମାସ ବର୍ତ୍ତମାନ ସୁଦ୍ଧା ପ୍ରସ୍ତାବ ଉପରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଏହା ପୂର୍ବରୁ ହମାସ କେତେକ କ୍ଷେତ୍ରରେ ଯୁଦ୍ଧ ବିରାମ ଚୁକ୍ତିକୁ ନେଇ ଅମଙ୍ଗ ହୋଇଛି। ଯୁଦ୍ଧ ବିରାମ ପାଇଁ ହମାସ ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ଏବଂ ଗାଜାରୁ ଇସ୍ରାଏଲ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଉପ‌ରେ ଅଡି ବସିଛି। ଏହା ସହିତ ହମାସ ଦେଢ଼ମାସ ଯୁଦ୍ଧ ବିରାମ ଲାଗି ଗୁରୁତ୍ବାରୋପ କରୁଛି। ହମାସ ପାଖରେ ଏବେ ମଧ୍ୟ ଇସ୍ରାଏଲର ପ୍ରାୟ ୧୦୦ ପଣବନ୍ଦୀ ଥିବା କୁହାଯାଉଛି। ତେବେ ଇସ୍ରାଏଲ କହିଛି ହମାସ ପାଖରେ ଆମର ୧୩୪ ଜଣ ଲୋକ ବନ୍ଦୀ ଭାବେ ଅଛନ୍ତି। ଏହା ମଧ୍ୟ ଦାବି କରାଯାଉଛି ଇସ୍ରାଏଲ ବନ୍ଦୀ ମାନଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ଘଟି ସାରିଛି।

Share Now:

Kalinga News Beuro

Next Post

ନିରବିଗଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସ

Mon Feb 26 , 2024
ନୂଆଦିଲ୍ଲୀ: ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦ୍ୱାରା ଜାରି ଏକ ବିବୃତିରେ ଲେଖାଯାଇଛି, “ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୬ ଫେବୃଆରୀ ୨୦୨୪ରେ ପଦ୍ମଶ୍ରୀ ପଙ୍କଜ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial