ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ଶୁକ୍ରବାର ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୫ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପର ରହିଥିଲା। ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୧, ମାଲକାନଗିରି, ବୌଦ୍ଧରେ ୪୨.୨, ଅନୁଗୁଳରେ ୪୨.୧, ବଲାଙ୍ଗୀର, ଟିଟିଲାଗଡ଼, ନୟାଗଡ଼ରେ ୪୨ ଓ କଟକରେ ୪୦.୬ ଡିଗ୍ରି ରେକର୍ଡ କରାଯାଇଛି।
ଆଜି ଉପକୂଳରୁ ନେଇ ଉପାନ୍ତ ସବୁଠି ପ୍ରଚଣ୍ଡ ତାତିରେ ଖଇ ଫୁଟୁଛି। ଆଜି ରାଜଧାନୀରେ ସ୍ଥିତି ଅସମ୍ଭାଳ ହୋଇଛି। ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ ହୋଇଥିଲା। ଭୁବନେଶ୍ୱରରେ ବର୍ଦ୍ଧିତ ତାପମାତ୍ରା ସହ ଆଦ୍ରତା ପ୍ରାୟ ୪୫ ପ୍ରତିଶତ ରହିଥିଲା। ସକାଳ ସମୟରେ ବାୟୁମଣ୍ଡଳର ତଳ ଭାଗରେ ବାୟୁ ଚଳାଚଳ ପଶ୍ଚିମ ଦିଗରୁ ଏବଂ ବର୍ତ୍ତମାନ ଉତର ପଶ୍ଚିମ ଦିଗରୁ ଶୁସ୍କ ଏବଂ ଗରମ ବାୟୁ ପ୍ରବାହିତ ହେଉଛି, ଯେଉଁ କାରଣରୁ ତାପମାତ୍ରା ବଢୁଛି ଏବଂ ସ୍ଥଳଭାଗ ଉତ୍ତପ୍ତ ହେଉଛି। ଆଜି ଏବଂ ଆସନ୍ତାକାଲି ହିଟ୍ ୱେଭର ପ୍ରଭାବ ଯଥେଷ୍ଠ ଅଧିକ ରହିବା ନେଇ ସତର୍କତା ଜାରି କରାଯାଇଛି। ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ସେହିପରି ଅଧିକାଂଶ ଜିଲ୍ଲାରେ ଉଷ୍ମ ରାତି ଅନୁଭୁତ ହେବା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି। ବର୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ହିଟ୍ ୱେଭ ପାଇଁ ଚେତାବନୀ ଜାରି କରାଯାଇଛି।
ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩. ୫ ଡିଗ୍ରି ରେକର୍ଡ

Share Now: