ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା : ବିଏମ୍‌ସି ନେଉଛି ଭଡ଼ା, ୩ ମାସରେ ୮ ଲକ୍ଷ ଆଦାୟ

ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା

ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା କାହିଁକି?

ଭୁବନେଶ୍ବର : ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା କଲେ ବିଏମ୍‌ସି ଭଡ଼ା ଆାଦୟ କରିବ। ଟ୍ରାକ୍ଟର ଟ୍ରିପ୍‌ ପାଇଁ ମାସିକ ଦେଢ଼ ହଜାର ଟଙ୍କା ଓ ଟିପର୍‌ ପାଇଁ ୪ହଜାର ୫ଶହ ଟଙ୍କା ମାସିକ ଭଡ଼ା ଧାର୍ଯ୍ୟ ହୋଇଛି। ତା’ ସହ ୫ ହଜାର ଟଙ୍କା ପ୍ରଶାସନିକ ଦେୟ ରହିଛି। ଏଭଳି ୬ ହଜାର ୫ ଶହ କିମ୍ବା ୯ ହଜାର ୫ଶହ ଟଙ୍କା ମାସିକ ଦେଇ ଯେ କେହି ରାସ୍ତା କଡ଼ (ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁନଥିବା ଜାଗା)ରେ ନିର୍ମାଣ ସାମଗ୍ରୀ ଗଦା କରିପାରିବେ। ଏଭଳି ଭଡ଼ା ବାବଦକୁ ଗତ ତିନି ମାସରେ ୮ଲକ୍ଷ ଟଙ୍କା ଆଦାୟ ହୋଇଛି। ଏହା ସର୍ବକାଳୀନ ରେକର୍ଡ ବୋଲି ବିଏମ୍‌ସି କହିଛି। ବାରମ୍ବାର ସଚେତନତା, ନିୟମିତ ଚଢ଼ଉ ସହ କାର୍ଯ୍ୟାନୁଷ୍ଠାନ ଫଳରେ ଲୋକମାନେ ସଚେତନ ହୋଇଛନ୍ତି ଓ ବିଏମ୍‌ସିରୁ ସ୍ବୀକୃତି ନେଇ ଜମା କରୁଥିବା କହିଛି ବିଏମ୍‌ସି। ସେହିଭଳି ଘରଭଙ୍ଗା ଆବର୍ଜନା ମଧ୍ୟ ଉଠାଇ ନେବା ପାଇଁ ମଧ୍ୟ ସ୍ବତନ୍ତ୍ର ଭଡ଼ା ରହିଛି। ପରିମାଣ ଦେଖି ବିଏମ୍‌ସି ଭଡ଼ା ଧାର୍ଯ୍ୟ କରୁଛି। ଅପରପକ୍ଷେ କେତେକ ଜାଗାରେ ବର୍ଷ ବର୍ଷ ଧରି ଗୋଡ଼ି, ବାଲି ଜମା ହୋଇ ବେପାର ଚାଲିଛି, କିନ୍ତୁ ବିଏମ୍‌ସିକୁ ଦିଶୁନି। ବାରମ୍ବାର ଅଭିଯୋଗ ହେଲେ ଟିମ୍‌ ଚଢ଼ଉ କରୁଛି। ସେହିଭଳି କେତେକ ବ୍ୟବସାୟୀଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି। ନାକା ଛକରୁ କଳିଙ୍ଗ ଷ୍ଟୁଡିଓ, କଳିଙ୍ଗ ଷ୍ଟୁଡିଓରୁ ପଟାସ ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବର୍ଷ ବର୍ଷ ଧରି ବ୍ୟବସାୟ ଚାଲିଛି। ଏମାନଙ୍କଠାରୁ ବିଏମ୍‌ସି ଟଙ୍କାଟିଏ ଆଦାୟ କରିପାରିନାହିଁ। ରାସ୍ତାକଡ଼କୁ ଲାଗି ବନ ବିଭାଗର ଜମି ରହିଛି। ବନ ବିଭାଗ ଜମିରେ ଜବରଦଖଲ ହୋଇ ବେପାର ଚାଲିଥିବା ବିଏମ୍‌ସି ଦର୍ଶାଉଛି। କିନ୍ତୁ ରାସ୍ତାକଡ଼ରେ ହେଉଥିବାରୁ ଏହା‌ ବିଏମ୍‌ସିର ଦାୟିତ୍ବ କହି ବନ ବିଭାଗ ବସି ଯାଇଛି। ଏହା ବେପାରୀଙ୍କୁ ସୁହାଉଛି।
ସେହିଭଳି ବରମୁଣ୍ଡା ଗାଁରେ ଥିବା ଅଟାକଳ ରାସ୍ତାରେ ବର୍ଷ ବର୍ଷ ଧରି ରାସ୍ତା ଉପରେ ଗୋଡ଼ି, ବାଲି ଜମା ହେଉଛି। ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟା‌ନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି। ସେହିଭଳି ବମିଖାଲ ରେଲୱେ ଓଭରବ୍ରିଜ୍‌ (ଆରଓବି) କଡ଼ରେ ବର୍ଷବର୍ଷ ଧରି ବାଲି, ଗୋଡ଼ି ଜମା ହୋଇ ବେପାର ହେଉଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସେହିଭଳି ପୋଖରୀପୁଟ୍‌ରେ ଦୁଇରୁ ଚାରିଟି ଜାଗାରେ ଏଭଳି ଗଦା ହୋଇ ବେପାର ଚାଲିଛି। ଏଗୁଡ଼ିକ କେବଳ ଅଭିଯୋଗ ଆସିଥିବା ତାଲିକାରୁ ଉପଲବ୍ଧ ହୋଇଛି। ଏହା ଛଡ଼ା ବିଭିନ୍ନ ଜାଗାରେ ଏଭଳି ବେପାର ଚାଲିଛି। ସେହିଭଳି ଘର ଭଙ୍ଗା ଆବର୍ଜନା କେହି କେହି ନିଜ ଘର ପାଖରୁ କିଛି ଦୂରରେ ନେଇ ଗଦା କରିଦେଉଛନ୍ତି। ଫଳରେ ବିଏମ୍‌ସି ପତ୍ତା ପାଉନି। ସ୍ବତନ୍ତ୍ର ସ୍କ୍ବାଡ୍‌ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଘୂରି ବୁଲୁଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି। ଅନ୍ୟପଟେ କେ‌ତେକ ଲୋକ ସ୍ବୀକୃତି ନେବାକୁ ଚାହୁଛନ୍ତି। କିନ୍ତୁ ସ୍ବୀକୃତି ପାଇଁ ଅନ୍‌ଲାଇନ୍‌ରେ ବ୍ୟବସ୍ଥା ନାହିଁ। ଏବେ ଶହେରୁ ଊର୍ଦ୍ଧ୍ବ ସେବା ଅନ୍‌ଲାଇନ୍‌ରେ ମିଳୁଥିଲେ ମଧ୍ୟ ଏହି ବ୍ୟବସ୍ଥା ନଥିବାରୁ ‌ଲୋକମାନେ ବିଏମ୍‌ସି ଅଫିସ୍‌ ଦଉଡ଼ିବାକୁ ଚାହୁନାହାନ୍ତି। ଫଳରେ ବିନାନୁମତିରେ କେତେକ ଲୋକ ରାସ୍ତାକଡ଼ରେ ବାଧ୍ୟ ହୋଇ ଜମା କରୁଥିବା କହିଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା କାଲି ମହାପ୍ରଭୁଙ୍କ ବନକଲାଗି : ଅପରାହ୍ନ ୪ରୁ ସାଧାରଣ ଦର୍ଶନ ବନ୍ଦ

Tue Dec 14 , 2021
ପୁରୀ: ଶ୍ରୀମନ୍ଦିରରେ ଡିସେମ୍ବର ୧୫ ତାରିଖ (ବୁଧବାର) ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବୁଧବାର ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ପ୍ରତି ମାସରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହୁଏ। ବୁଧବାର ମାର୍ଗଶୀର ଦ୍ବାଦଶୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା […]
ମହାପ୍ରଭୁଙ୍କ ବନକଲାଗି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial