ଦିଲ୍ଲୀରେ ଶିଳ୍ପପତିଙ୍କୁ ଡାକିଲେ ନବୀନ

ବ୍ୟକ୍ତିଗତ ଆଲୋଚନା କଲେ, ରୋଡ୍‌ ସୋ’ରେ ଭାଗ ନେଲେ, ସୁଯୋଗ, ସମ୍ଭାବନା, ଭିତ୍ତିଭୂମି ନେଇ ବିଶ୍ୱାସ ଜନ୍ମାଇଲେ, ଜାପାନ୍‌ ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଯୋଗୀ ହେବେ

ନୂଆଦିଲ୍ଲୀ : ଓଡ଼ିଶା ପୂର୍ବ ଭାରତ ନିର୍ମାଣର କେନ୍ଦ୍ରସ୍ଥଳୀ ପାଲଟିବ। ଗତ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପର ବିକାଶ ପାଇଁ ସରକାର ଭିତ୍ତିଭୂମି କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି। ବନ୍ଦର କ୍ଷମତା ୧୯୦ ନିୟୁତ ଟନ୍‌କୁ ଓ ବିଦ୍ୟୁତ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି।  ଏଭଳି ଯୁକ୍ତି ରଖି ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଆସିବା ଲାଗି ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି। ନିବେଶକ ସମ୍ମିଳନୀ ଓ ରୋଡ୍‌ ସୋ କାର୍ଯ୍ୟକ୍ରମରେ ଶିଳ୍ପପତିଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବାତାବରଣ ଅନୁକୂଳ ରହିଛି ବୋଲି ବିଶ୍ୱାସ ଜନ୍ମାଇବା ପାଇଁ ନବୀନ କୌଣସି ସୁଯୋଗ ଛାଡିନାହାନ୍ତି। କହିଛନ୍ତି, ଅତ୍ୟନ୍ତ କମ୍‌ ସମୟ ମଧ୍ୟରେ ଓଡ଼ିଶାରେ ୨୫୦ଟି ଷ୍ଟାଟ୍‌ ଅପ୍‌ ଉଦ୍ୟୋଗର ପଞ୍ଜୀକରଣ ହୋଇସାରିଲାଣି। ୨୦୨୦ ସୁଦ୍ଧା ଦେଶର ୩ଟି ଶ୍ରେଷ୍ଠ ଷ୍ଟାଟ୍‌ ଅପ୍‌ ହବ୍‌ ମଧ୍ୟରୁ ଓଡ଼ିଶା ଅନ୍ୟତମ ହେବ। ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଓଡ଼ିଶା ସରକାର ଓ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ (ଫିକି)ର ମିଳିତ ଉଦ୍ୟମରେ ରୋଡ୍‌ ସୋ’ ଓ ପୁଞ୍ଜିନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସିଆଇଆଇ ଓହରିଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅଣ୍ଟା ଭିଡି ଏଭଳି ଏକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ୩୦୦ରୁ ଅଧିକ ଶିଳ୍ପମୁଖ୍ୟ, ନିବେଶକ ତଥା ବିଭିନ୍ନ ରାଷ୍ଟ୍ରର ବାଣିଜ୍ୟ ଓ ଦୂତାବାସ ପ୍ରତିନିଧି ଯୋଗଦେଇଥିଲେ। ପୁଞ୍ଜିନିବେଶକଙ୍କୁ ସମ୍ବୋଧନ କରି ନବୀନ କହିଥିଲେ, ଓଡ଼ିଶା ଖଣି ଓ ଖଣିଜ ଶିଳ୍ପର କେନ୍ଦ୍ରସ୍ଥଳୀ ପାଲଟିଛି। ଶିଳ୍ପଗୁଡିକୁ ଏକ ସ୍ୱଚ୍ଛ ତଥା ଉତ୍ତମ ପରିବେଶ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସରକାରଙ୍କ ଶିଳ୍ପ ସଂକ୍ରାନ୍ତ ସମସ୍ତ ନୀତି, ଭିତ୍ତିଭୂମି ତଥ୍ୟ ଆଜି ଏକ ଉପଭୋକ୍ତା ଅନୁକୂଳ ପୋର୍ଟାଲ ‘ଇନ୍‌ଭେଷ୍ଟ ଓଡ଼ିଶା’ରେ ଉପଲବ୍ଧ ହେବ। ଏହାଦ୍ୱାରା ନିବେଶକମାନେ ଓଡ଼ିଶାରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ଅନ୍ୟ ରାଜ୍ୟ ତଥା ରାଷ୍ଟ୍ରର ସୁବିଧା ସୁଯୋଗ ସହିତ ତୁଳନା କରିବାର ସୁଯୋଗ ପାଇବେ ଓ ଓଡ଼ିଶା ଅଧିକ ଉପଯୋଗୀ କି ନାହିଁ, ସେ ସଂପର୍କରେ ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ବଖାଣି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଗତ ୬ମାସ ମଧ୍ୟରେ ରାଜ୍ୟରେ ୧୭ହଜାର କୋଟି ଟଙ୍କା ପୁଞ୍ଜିନିବେଶ ହୋଇଛି ଓ ୫୦ଟି ପ୍ରକଳ୍ପକୁ ସଫଳତାର ସହିତ ଉଦ୍‌ଘାଟନ ବା ଶିଳାନ୍ୟାସ କରାଯାଇପାରିଛି। ଏସବୁ ଦ୍ୱାରା ରାଜ୍ୟରେ ୨୧ହଜାର ଲୋକଙ୍କ ପାଇଁ ନିଯୁୁକ୍ତି ସୁଯୋଗ ସୃଷ୍ଟି ହେବ। ଟିମୱାର୍କ, ଟେକ୍ନୋଲୋଜି ଓ ଟ୍ରାନ୍‌ସପରେନ୍ସି ବିନା ଏହା ସମ୍ଭବ ହୋଇପାରିନଥାନ୍ତା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ର ଥିମ୍‌ ରହିଛି ‘ଆଇ ଆମ୍‌ ଓଡ଼ିଶା’। ରାଜ୍ୟରେ ବ୍ୟାବସାୟିକ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଓ ଏହାର ଲୋକଙ୍କ ସଫଳତାକୁ ଏଥିରେ ଦର୍ଶାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆଇ ଆମ୍‌ ଓଡ଼ିଶା’ ଏପରି ଏକ ପ୍ଲାଟ୍‌ଫର୍ମ ହେବ, ଯେଉଁଥିରେ ଲୋକମାନେ ସେମାନଙ୍କ ସଫଳ କାହାଣୀକୁ ‘ଓଡ଼ିଶା ଅଫ୍‌ ଟୁଡେ’ ଭାବେ ପ୍ରଦର୍ଶିତ କରିପାରିବେ ଏବଂ ଭବିଷ୍ୟତ ପାଇଁ ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ‘ଓଡ଼ିଶା ଅଫ୍‌ ଫ୍ୟୁଚର୍‌’ ଭାବେ ଉପସ୍ଥାପନ କରିପାରିବେ। ନିବେଶକାରୀଙ୍କୁ ଆହ୍ଵାନ କରି ନବୀନ ଆହୁରି କହିଥିଲେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ସଂସ୍ଥାଙ୍କୁ ସରକାର ସବୁ ସୁବିଧା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଣୁ ଆଗାମୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଭାଗ ନିଅନ୍ତୁ।

ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓୟୋ ରୁମ୍‌ସର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ରିତେଶ ଅଗ୍ରଓ୍ଵାଲ, ଭାରତୀ ଏଣ୍ଟରପ୍ରାଇଜେସ୍‌ର ପରିଚାଳନା ନିର୍ଦେଶକ ରାଜନ ମିତ୍ତଲ, ଆରକଲ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ଶୈଳେନ୍ଦ୍ର କୁମାର ପ୍ରମୁଖ ଭେଟିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଖାଦ୍ୟ, ଧାତବ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ, ବୟନ, ନିର୍ମାଣ, ରସାୟନ, ପ୍ଲାଷ୍ଟିକ୍‌ ଆଦି କ୍ଷେତ୍ରରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ଅଧିକାରୀ ଯୋଗ ଦେଇଥିଲେ। ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣରେ ଜାପାନ ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଯୋଗୀ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ସୂଚନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକାରୀ ଯୋଗଦେବେ, ସେ ଆଶା ତାଙ୍କର ରହିଛି। ଓଡ଼ିଶାରେ କେଉଁ ପ୍ରକାର ସୁବିଧା ସୁଯୋଗ ରହିଛି, ସେ ନେଇ ବିସ୍ତୃତ ଭାବେ ଅବଗତ କରାଯିବ। ଉଲ୍ଲେଖଯୋଗ୍ୟ, ଠିକ୍‌ ମାସକ ତଳେ ଅର୍ଥାତ୍‌ ଅଗଷ୍ଟ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଥିଲେ।

Share Now:

Kalinga News Beuro

Leave a Reply

Next Post

କେରଳ ବନ୍ୟା: ୩୦ ଜଣଙ୍କୁ ବଞ୍ଚାଇଥିବା ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇବେ

Thu Sep 13 , 2018
ଥିରୁଅନନ୍ତପୁରମ୍‌: ଗତମାସରେ କେରଳରେ ହୋଇଥିବା ଭୟଙ୍କର ବନ୍ୟାରେ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ସେନାବାହିନୀ ବାଦ୍‌ ବନ୍ୟାଘେରରୁ ବହୁ ସାଧାରଣ ଲୋକ ମଧ୍ୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସଦାଶିବନ ନାୟାର। ସେ ନିଜ ଟ୍ରକ୍‌ ଚାଳକ ବନ୍ଧୁଙ୍କଠାରୁ ପୁରୁଣା ଟାୟାର ଆଣି ଆଲାପୁଝା ଜିଲ୍ଲାର ଚେଙ୍ଗାନୁର୍‌ ଅଞ୍ଚଳରୁ ୩୦ ଜଣଙ୍କୁ ବନ୍ୟା ଜଳରୁ ଉଦ୍ଧର କରିଥିଲେ। ତେବେ ଉଦ୍ଧାର ସମୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial