କୁଆଡ଼େ ଗଲା ଡୁମୁଡ଼ୁମା ଅଞ୍ଚଳବାସୀଙ୍କ ଶହେ ଫୁଟିଆ ରାସ୍ତା?

କୁଆଡ଼େ ଗଲା ଶହେ ଫୁଟିଆ ରାସ୍ତା

ଖଣ୍ଡଗିରି: ସହର ଭିତରକୁ ଯିବା ଆସିବା କରିବାକୁ ଡୁମୁଡ଼ୁମାବା‌ସୀଙ୍କ ପାଖରେ ରହିଛି ଦୁଇଟି ବିକଳ୍ପ। ଗୋଟିଏ ଆଇଟିଇଆର୍‌ କଲେଜ ଦେଇ ଓ ଅନ୍ୟଟି ଖଣ୍ଡଗିରି ଦେଇ ଜାତୀୟ ରାଜପଥରେ। ଉଭୟ ରାସ୍ତା ଏକ ପ୍ରକାର ମରଣଯନ୍ତା। କେଉଁଠି ରଙ୍ଗ୍‌ ରୁଟ୍‌ରେ ଦେଢ଼ କିଲୋମିଟର ଆସିବାକୁ ହୁଏ ତ କେଉଁଠି ବେଶ୍‌ କିଛି ବାଟ ଗାଡ଼ି ଗଡ଼ାଇବାକୁ ହୁଏ। ବର୍ଷ ବର୍ଷ ଧରି ଏଭଳି ଅକଳରେ ପଡ଼ିଛନ୍ତି ଏହି ଅଞ୍ଚଳର ପ୍ରାୟ ୭୦ ହଜାର ବାସିନ୍ଦା। ‘ଡୁମୁଡୁମା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ’ ଏନେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛି। କିନ୍ତୁ କିଛି ଫଳ ହୋଇନାହିଁ। ଚଳିତ ବିଧାନସଭା ଅଧିବେଶନରେ ବିଧାୟକ ସୁକାନ୍ତ ନାୟକ ଏନେଇ ପ୍ରଶ୍ନ ଉଠାଇବା ପରେ ରାସ୍ତା ନିର୍ମାଣ ପାଇଁ ତଦନ୍ତ ଚାଲିଥିବା ଉତ୍ତର ମିଳିଛି। କିନ୍ତୁ ୨୦୦୦ ମସିହାରେ ବିଡିଏ ପ୍ରସ୍ତୁତ କରିଥିବା ସହର ଉନ୍ନୟନ ଯୋଜନା (ସିଡିପି)ରେ ଜାଗମରା ଛକରୁ ଡୁମୁଡ଼ୁମା ପର୍ଯ୍ୟନ୍ତ ଏକ ଶହେ ଫୁଟିଆ ରାସ୍ତାର ପରିକଳ୍ପନା କରାଯାଇଥିଲା। ୨୩ ବର୍ଷ ପରେ ମଧ୍ୟ ଏହା କେବଳ ପରିକଳ୍ପନାରେ ଅଟକି ରହିଥିବା କୁହାଯାଉଛି। ଏହି ରାସ୍ତାରେ କେତେକ ବଡ଼ବଡ଼ିଆଙ୍କ ଜମି ରହିଥିବା ଓ କୌଣସି ପରିସ୍ଥିତିରେ ସେମାନେ ଜାଗା ଛାଡ଼ୁନଥିବାରୁ ନିକଟ ଭବିଷ୍ୟତରେ ଆସିବାକୁ ଥିବା ନୂଆ ସିଡିପିରୁ ଏହାକୁ ବାଦ୍‌ ଦିଆଯିବାକୁ ଯୋଜନା ହେଉଥିବା କୁହାଯାଉଛି। ‘ଡୁମୁଡୁମା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ’ର ନିବେଦନ ମୁତାବକ, ଶହେ ଫୁଟିଆ ନ ହେଲା ନାହିଁ, ଅନ୍ତତଃ ଯାତାୟାତ ପାଇଁ ୪୦ ଫୁଟିଆ ରାସ୍ତା ଦିଆଯାଉ। ଗୋଟିଏ ବର୍ଷରୁ ଊର୍ଦ୍ଧ ସମୟ ହେଲା ଖଣ୍ଡଗିରି ଜାତୀୟ ରାଜପଥ କାମ ଚାଲିଥିବାରୁ ଡୁମୁଡ଼ୁମା‌ରୁ ସହରକୁ ଆସିବାକୁ ଚାହୁଥିବା ଲୋକେ ଗୋଟିଏ କିଲୋମିଟର ଯାଇ ଶନି ମନ୍ଦିର ଛକରୁ ବୁଲୁଛନ୍ତି। ଏତେପରେ ମଧ୍ୟ ଖଣ୍ଡଗିରି ଓଭର୍‌ବ୍ରିଜ୍ ଚଢ଼ିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ସହରରୁ ଡୁମୁଡୁମା ଫେରିବା ବାଟରେ ମଧ୍ୟ କସମୋପଲିସ୍‌ ଛକ ରାସ୍ତାରେ ବାଇକ୍, କାର୍‌, ଭାରିଯାନ ଯାତାୟାତ ପାଇଁ ଏକ ମାତ୍ର ରାସ୍ତା ଥିବାରୁ ବରିଷ୍ଠ ନାଗରିକଙ୍କର ସହରକୁ ଯାତାୟାତ କରିବା ଯେମିତି ଏକ ରକମ ଠପ୍ ହୋଇଯାଇଛି। ଅପରପକ୍ଷରେ ଆଇଟିଇଆର୍‌ ଜଗମୋହନନଗର ଦେଇ ଯାଇଥିବା ରାସ୍ତାରେ ବର୍ଷ ତମାମ ଡ୍ରେନ୍, ସ୍ୱେରେଜ କାମ ଚାଲୁଥିବାରୁ ରାସ୍ତା କେବେ ପୁରା ବନ୍ଦ ତ କେବେ ସଙ୍କୁଚିତ ରାସ୍ତାରେ ଯିବା ଆସିବା କରିବାକୁ ପଡ଼ୁଛି। ଭୁବନେଶ୍ୱର ସହରକୁ କୌଣସି ବାଟରେ ମଧ୍ୟ ଲୋକେ ସୁରୁଖୁରୁରେ ପ୍ରବେଶ କରିନପାରି ଗୃହବନ୍ଦି ଭାବେ ଦିନ କାଟୁଛନ୍ତି।
ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ ୧୬ ସଂଲଗ୍ନ ଆଇଗିଣିଆ ଛକଠାରୁ ଡୁମୁଡୁମା ଫେଜ୍‌-୪ ହାଉସିଂବୋର୍ଡ କଲୋନି ଦେଇ ଏକ ୧୦୦ ଫୁଟିଆ ରାସ୍ତା ନିର୍ମାଣ ହେବାର ଥିଲା। ଏହା ଜାଗମରାରେ ଖଣ୍ଡଗିରି-ପୋଖରୀପୁଟ ରାସ୍ତାକୁ ସଂଯୋଗ କରିବାର ଯୋଜନା ରହିଥିଲା। ଏହା ହୋଇଥିଲେ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଦହଗଞ୍ଜ ହେବାକୁ ପଡ଼ୁନଥା’ନ୍ତା କି ରଙ୍ଗ୍‌ ରୁଟ୍‌ରେ ଯିବାକୁ ପଡ଼ୁନଥା’ନ୍ତା। ଏଣେ ପ୍ରସ୍ତାବିତ ରାସ୍ତା ପାଇଁ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଜମି ଧୀରେଧୀରେ ଅବରୋଧ ହେବାରେ ଲାଗିଲାଣି। ଫଳରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବାରେ ବାଧା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ଡୁମୁଡୁମା ଆଞ୍ଚଳିକ ବରିଷ୍ଠ ନାଗରିକ ଫୋରମ୍‌ର ସମ୍ପାଦକ ବିଜୟ ଚନ୍ଦ୍ର ସାହୁଙ୍କ କହିବା ମୁତାବକ, ଖଣ୍ଡଗିରି ‌ଓଭରବ୍ରିଜ୍‌ କାର୍ଯ୍ୟ ଆରମ୍ଭ ହେବା ଦିନରୁ ଡୁମୁଡୁମା-ଆଇଗିଣିଆ ସର୍ଭିସ୍‌ ରୋଡ୍‌ ଉପରେ ସଂଖ୍ୟାଧିକ ଯାନବାହନ ଚଳପ୍ରଚଳ କରୁଛି। ଫଳରେ ଯାତାୟାତ ବେଳେ ଏହି ରାସ୍ତା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନାକେଦମ୍‌ କରୁଛି। ଏଣେ ଡୁମୁଡୁମା ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ହାଉସିଂବୋର୍ଡ ଦ୍ୱାରା ଗଢ଼ି ଉଠିଥିବା ୫ଟି ବ‌ଡ଼ବଡ଼ କଲୋନିର ପ୍ରାୟ ୭୦ ହଜାରରୁ ଅଧିକ ବାସିନ୍ଦା ପଞ୍ଚସଖାନଗର-ଆଇଟିଇଆର୍‌ ରାସ୍ତା ଦେଇ ପୋଖରୀପୁଟ ଜାଗମରା ରାସ୍ତାକୁ ଆସୁଥିଲେ। ମାତ୍ର ଏହି ରାସ୍ତା ସଂକୀର୍ଣ୍ଣ ହୋଇଯିବା ପରେ ଏହାକୁ ଅଞ୍ଚଳବାସୀ ବିକଳ୍ପ ରାସ୍ତା ଭାବେ ଆପଣାଇ ପାରୁନାହାନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ସାଧାରଣ ପ୍ରଶାସନ, ନିର୍ମାଣ ବିଭାଗ ଶାସନ ସଚିବ, ନଗର ଉନ୍ନୟନ ବିଭାଗ ଶାସନ ସଚିବ, ବିଡିଏ ଉପାଧ୍ୟକ୍ଷଙ୍କୁ ବାରମ୍ବାର ଜଣାଉଥିଲେ ହେଁ କିଛି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ

Wed Oct 11 , 2023
ଯାଜପୁର: ଗାଧୋଉଥିବା ସମୟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ଵର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ। ଆଜି ଯୁବକ ଦ୍ଵୟ କାମ ସାରି ନଦୀରେ ଗାଧୋଉ ଥିବା ସମୟରେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇଥିଲେ। ତେବେ ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର […]
ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial