ଶିଶିର ସରସ, କିଣାକିଣି ସହ ଖାଇବା ମଜା:ଟାଣୁଛି ମାଣ୍ଡିଆ କାଫେ

ଭୁବନେଶ୍ୱର: ଶୀତୁଆ ସଂଧ୍ୟାରେ ମେଳାର ଆସର, ରାଜଧାନୀବାସୀଙ୍କୁ ଟାଣୁଛି ନିଜ ଆଡ଼କୁ। ପାରମ୍ପରିକ ବଡ଼ି, ପାମ୍ପଡ଼ଠାରୁ ଅତ୍ୟାଧୁନିକ ଅଳଙ୍କାର, ଘରସଜା ସାମଗ୍ରୀଠାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ; ବିଭିନ୍ନ ରାଜ୍ୟର ଭଳିକି ଭଳି ଜିନିଷ ସବୁ ବୁଲି ଦେଖିବା ସହ ଚଟ୍‌ପଟା ଖାଦ୍ୟର ମଜା ନେବାକୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଶିଶିର ସରସ’କୁ ଲୋକଙ୍କ ସୁଅ ଛୁଟୁଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟର ସର୍ବବୃହତ୍‌ ଏହି ପ୍ରଦର୍ଶନୀ‌‌ରେ ଦିନକୁ ଦିନ ଭିଡ଼ ବଢ଼ିବାରେ ଲାଗିଛି। ଏପରିକି ମେଳା ବୁଲିବାକୁ ଆସୁଥିବା କିଛି ଲୋକ ଗାଡ଼ି ପାର୍କିଂ ସମସ୍ୟାରେ ବିରକ୍ତି ପ୍ରକାଶ କରି ଫେରି ଯାଉଥିବା ଦେଖାଯାଉଛି।
ଟାଣୁଛି ମାଣ୍ଡିଆ କାଫେ
ପିଲାଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖୀନ୍‌ ମଣିଷ ଆଜି ସ୍ୱାସ୍ଥ୍ୟ ସଚେତନ ହେବା ସହ ମାଣ୍ଡିଆର ମହତ୍ତ୍ୱ ବୁଝିଛି। ପ୍ରତିଦିନ ଅପମିଶ୍ରିତ ଖାଦ୍ୟ ତଥା ସଂଧ୍ୟାବେଳିଆ ବିଦେଶୀ ଖାଦ୍ୟ ଓ ଜଙ୍କ୍‌ ଫୁଡ୍‌ରୁ ଅତିଷ୍ଠ ସହରୀ ମଣିଷ ଏବେ ପାରମ୍ପରିକ ଓ ଦେଶୀ ଖାଦ୍ୟ ଖୋଜୁଛି। ‘ଶିଶିର ସରସ’ ମେଳା ସହରୀ ମଣିଷର ଏହି ଅନ୍ୱେଷଣରେ ବିରାମ ଲଗାଇଛି। ମେଳାର ଫୁଡ୍‌ କୋର୍ଟରେ ବାରିପଦା ମୁଢ଼ି ମାଂସ, ଚକୁଳି ମାଂସ, ମଣ୍ଡା ଓ ମାଂସଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ରସାବଳୀ ପର୍ଯ୍ୟନ୍ତ, ସମସ୍ତ ଘରୋଇ ଓ ପାରମ୍ପରିକ ଖାଦ୍ୟ ଉପଲବ୍ଧ ହେଉଛି। ଏଥିସହ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି ମିଲେଟ ମିସନ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ। ପୁଷ୍ଟିକର ଖାଦ୍ୟ ଦିଗରେ ସଚେତନତା ସୃଷ୍ଟି ତଥା ମଇଦା ବଦଳରେ ମାଣ୍ଡିଆର ବ୍ୟବହାର ନିମନ୍ତେ ମେଳା ପରିସରରେ ଖୋଲିଛି ‘ମ‌ାଣ୍ଡିଆ କାଫେ’। ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ ତଥା କ୍ଷୁଦ୍ର ଶସ୍ୟରୁ ପ୍ରସ୍ତୁତ ୨୫ରୁ ଅଧିକ ରକମର ଖାଦ୍ୟ ଆଇଟମ୍‌ ଏଠାରେ ଉପଲବ୍ଧ ହେଉଛି। ମାଣ୍ଡିଆ ପ୍ରସ୍ତୁତ ସାଦା ଓ ଚିକେନ ବିରିଆନି ମେଳାର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ମାଣ୍ଡିଆ ଚିକେନ ପକୋଡ଼ା, ମାଣ୍ଡିଆ ସାଣ୍ଡ୍‌ୱିଚ୍, ମାଣ୍ଡିଆ ବରା ଓ ମାଣ୍ଡିଆ ଆଳୁଚପ୍‌ ଆଦି ବେଶ୍‌ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏନ୍‌ସିଡିସି ପକ୍ଷରୁ ତାଲିମ ନେଇ ଏଠାରେ ନିଜ ଷ୍ଟଲ ପକାଇଥିବା ‘ଭୁବନେଶ୍ୱର ତ୍ରିଶକ୍ତି ମହିଳା ପରିଷଦ’ର ୨୦ ଜଣ ମହିଳା ସ୍ୱାସ୍ଥ୍ୟ ସଚେତନର ବାର୍ତ୍ତା ଦେବା ସହ ମହିଳା ସଶକ୍ତୀକରଣର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଇରାକ୍‌ସ୍ଥିତ ଦୁଇ ଆମେରିକୀୟ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ୍‌: ପେଣ୍ଟାଗନ୍‌

Wed Jan 8 , 2020
ତେହେରାନ୍‌: ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ସ୍ଥିତ ଦୁଇଟି ଆମେରିକୀୟ ଏୟାର୍‌ବେସ୍‌ରେ ବୁଧବାର ଦିନ ଇରାନ୍‌ କେତେଗୁଡ଼ିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ପେଣ୍ଟାଗନ୍‌ କହିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ହେଉଥିବା ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରୟୋଗ କରି ଇରାନ୍‌, ପ୍ରତିଆକ୍ରମଣ ନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସେ ଅଞ୍ଚଳରେ ଥିବା ତା’ର ମିତ୍ରରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛି। ଶୀର୍ଷସ୍ତରୀୟ ଇରାନୀୟ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ହତ୍ୟା ଯୋଗୁଁ ପ୍ରତିଶୋଧପରାୟଣ ହୋଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial