ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସାରା ଦେଶରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ। ମୌସୁମୀକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ଖୁସି ଖବର ଦେଇଛି। ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାକୁ ଯାଉଛି। ଆଇଏମଡି କହିଛି ଯେ ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ପାଣିପାଗ ବିଭାଗର ଏହି ଘୋଷଣା ଦେଶରେ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ଅର୍ଥନୀତି ପାଇଁ ଏକ ଶୁଭଖବର ବୋଲି କୁହାଯାଉଛି।
ମୌସୁମୀ ପ୍ରବେଶ ପାଇଁ କେରଳରେ ସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୫ ଦିନ ପର୍ୟ୍ୟନ୍ତ ପାଗରେ ପରିବର୍ତ୍ତନ ହେବ। ଆଇଏମଡି କହିଛି ଯେ ଉତ୍ତର-ପୂର୍ବ ଭାରତରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍, ଉତ୍ତର-ପଶ୍ଚିମରେ ସ୍ୱାଭାବିକ ଏବଂ କେନ୍ଦ୍ରୀୟ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ସ୍ୱାଭାବିକଠାରୁ ଅଧିକ ହେବ। ସେହିପରି ଦକ୍ଷିଣ ଉପଦ୍ୱୀପ ଭାରତର କିଛି ଅଞ୍ଚଳକୁ ବାଦ୍ ଦେଲେ ଜୁନ୍ ମାସରେ ଦେଶର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ରହିବ। ଆଇଏମଡିର ପାଣିପାଗ ବିଜ୍ଞାନ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମଗ୍ର ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବୃଷ୍ଟିପାତ ଦୀର୍ଘ କାଳୀନ ହାରାହାରିର ୧୦୬ ପ୍ରତିଶତ ହେବାର ସମ୍ଭାବନା ରହିଛି। ତେଣୁ ସମଗ୍ର ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
୫ ଦିନରେ କେରଳ ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ ବିଭାଗ

Share Now: