ଆଜି ପହିଲି ରଜ: ଲାଗିଲା ପାଦରେ ଅଳତା ହାତରେ ମେହେନ୍ଦୀ

ଭୁବନେଶ୍ୱର: ହାତରେ ଲଗାସରିଲାଣି ବିଭିନ୍ନ ଡିଜାଇନ୍‌ର ମେହେନ୍ଦୀ। କିଏ ଆରବିକ୍‌ ଷ୍ଟାଇଲ୍‌ରେ ମେହେନ୍ଦୀ ଲଗେଇ ହାତକୁ ସଜେଇଛି ତ କିଏ ‌ମରୋକ୍କାନ ଷ୍ଟାଇଲ୍‌ରେ। ପୁଣି କିଏ ଡ୍ରେସ୍‌କୁ ମାନିବା ଭଳି ଭାରତୀୟ ମଣ୍ଡଳ ଡିଜାଇନ୍‌ର ମେହେନ୍ଦୀ ଲଗାଇଛି। ମେହେନ୍ଦୀର ଧିମାବାସ୍ନା ହୃଦୟକୁ ଆନମନା କଲାଣି। ଭଲରଙ୍ଗ ଆସିବାକୁ ଘରେ ଘରେ କସରତ ଚାଲିଛି। ପାଦରେ ଅଳତା ସହିତ ଫେସିଆଲ୍‌, ମେନିକିୟୋର୍‌, ପେଡିକିୟୋର, ଆଇବ୍ରୋ ଓ ବିଭିନ୍ନ ଷ୍ଟାଇଲ୍‌ର କେଶକଟାରେ କୁଆଁରୀଙ୍କ ସଜବାଜରେ ଉଭୟ ପାରଂପରିକ ଓ ଆଧୁନିକତାର ଚିତ୍ର ଉକୁଟି ଉଠିଲାଣି। ଅପେକ୍ଷା ପହିଲି ରଜକୁ। ଏପଟେ ସଜା ‌ସରିଲାଣି ଦୋଳି, ବଟା ସରିଲାଣି ପିଠାଆଣ। ପହିଲି ରଜପାଇଁ ଆଜି ସକାଳୁ ସକାଳୁ ଚଳଚଞ୍ଚଳ ହୋଇଯାଇଥିଲା ରାଜଧାନୀ। ସିଲେଇ ଦୋକାନୀଙ୍କଠାରୁ ପାର୍ଲର ଯାଏ, ଷ୍ଟେସନାରି ବେପାରୀଙ୍କଠାରୁ ମେହେନ୍ଦୀ ଆର୍ଟିଷ୍ଟଙ୍କ ଯାଏ, କାହାକୁ ଆଜି ଫୁର୍‌ସତ୍‌ ନଥିଲା। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ଆଜିଠାରୁ ଆୟୋଜିତ ହୋଇଥିବା ବେଳେ କାଲି ପାଇଁ ଆହୁରି ବଡ଼ ଧରଣର ପ୍ରସ୍ତୁତି କରିଛନ୍ତି ଅନୁଷ୍ଠାନସବୁ। ପୂରା ରାଜଧାନୀଟା ଆଜି ଝିଅଙ୍କ ପାଇଁ ପସରା ମେଲେଇଥିଲା। ବିଭିନ୍ନ କଲୋନି, ଆପାର୍ଟମେଣ୍ଟ୍‌ ଓ ବସ୍ତିରେ ରଜ ଆସର ଜମି ଆସିଲାଣି। ରଙ୍ଗବେରଙ୍ଗ ଲାଇଟ୍‌କୁ ସାଂସ୍କୃତିକ କାର୍ଯ୍ୟପାଇଁ ମଞ୍ଚ ଭିଡ଼ା ସରିଲାଣି। ପୂରା ପରିବେଶ ହୋଇ ଉଠିଲାଣି ଉତ୍ସବ ମୁଖର। ଆଜି ରଜ ପାଇଁ ସଜବାଜ ସରିଥିବା ବେଳେ ଆସନ୍ତାକାଲିର ପହିଲି ରଜ ପାଇଁ ବିଭିନ୍ନ ମହୋତ୍ସବରେ ମହିଳାଙ୍କୁ ନେଇ ଆୟୋଜିତ ହେବ ବିଭିନ୍ନ ପ୍ରକାରର ପ୍ରତିଯୋଗିତା। ପୁଚି, ମେହେନ୍ଦୀ, ଦଉଡ଼ି ଡିଆଁ, ମ୍ୟୁଜିକ ଚେୟାର, ବେଲୁନ୍ ଡ୍ୟାନ୍ସ, ପେପର ଡ୍ୟାନ୍ସ, ପୋଡ଼ପିଠା ପ୍ରସ୍ତୁତି, ଝୋଟି, ମୁରୁଜ, ଚେସ୍, ତାସ, ପଶା ଖେଳ, ଗୀତ ଓ ନାଚ ଭଳି ପ୍ରତିଯୋଗିତା ଆୟୋଜିତ ହେବ। ଏଥିସହ ବିଭିନ୍ନ ପାରମ୍ପରିକ ପିଠା, ମିଠା ସହ ପାନ ଓ ଖେଳର ବିଶାଳ ଆସର ଜମିବ ଖେଳପଡ଼ିଆରେ। ଏଣୁ ଏବେଠାରୁ ‌ବ୍ୟବସାୟୀମାନେ ଆସି ଷ୍ଟଲ ବାନ୍ଧିବା ଆରମ୍ଭ କରି ଦେଲେଣି।
ଘରେ ନୁହେଁ ମଲ୍‌ରେ ରଜ
ରାଜଧାନୀର ଜନସଂଖ୍ୟା ଅନୁସାରେ ରଜ ମହୋତ୍ସବ ଯେଉଁ କେତୋଟି ସ୍ଥାନରେ ହେଉଛି ସେଠି ନାହିଁ ନଥିବା ଗହଳି ମଧ୍ୟ ହୁଏ। ଏଭଳି ସମୟରେ ବଡ଼ରୁ ଛୋଟ ମଲ୍ ସବୁଠି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କିଛି ବର୍ଷହେଲା ନୂଆ ଫଣ୍ଡା ଆପଣାଯାଇଛି। ରଜପାଇଁ ଏଠାରେ ଦୋଳି ବନ୍ଧାଯିବା ସହିତ ବିଭିନ୍ନ ଅଫର୍‌ ଓ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ବଡ଼ ମଲ୍‌ଗୁଡ଼ିକରେ ଲକି ଡ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି କାର୍ଯ୍ୟକ୍ରମ ପାଇଁ ସବୁ ପ୍ରସ୍ତୁତି ସରିଛି। ଦିନରେ ପିଠାପଣା ଖାଇ ରାଜଧାନୀର ଝିଅ ସଂଧ୍ୟାରେ ମଲ୍‌ରେ ଗହଳି ଜମାଇବେ। ଦୋଳି ଖେଳି କିଣାକିଣି କରିବେ।
ମନକୁ ପାଉଛି ସ୍ୱତନ୍ତ୍ର ଆମ୍ବ ପୋଡ଼ପିଠା
ବିଭିନ୍ନ ପୋଡ଼ପିଠାର ମହକ ଗ୍ରାହକଙ୍କୁ ଆକର୍ଷିତ କଲାଣି। ଏଥିପାଇଁ ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତି। ତେବେ ଚଳିତ ବର୍ଷ ମଧ୍ୟ ‌କେଶରୀ ହଲ୍‌ ପଛରେ ଥିବା ହୋ‌ଟେଲ୍ ପେଟପୂଜାରେ ଆଜିଠାରୁ ଗହଳି ଲାଗିଛି। ରଜରେ ପୋଡ଼ପିଠାର ଚାହିଦା ଅଧିକ ଥିବାରୁ ଏଠାରେ ସବୁ ରକମର ପିଠା ସହିତ ବିଭିନ୍ନ ଫଳ‌ର ପୋଡ଼ପିଠା ପ୍ରସ୍ତୁତ କରାଯାଇଛି। ଏହାର ସତ୍ତ୍ୱାଧିକାରୀ ପ୍ରକାଶ ବେହେରାଙ୍କ କହିବା କଥା, ଚଳିତ ବର୍ଷ କେଜିକୁ ୩ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ପିଠା ମିଳୁଛି। ଆମ୍ବ, ସପୁରି, ପଣସ ପୋଡ଼ପିଠା ମଧ୍ୟରୁ ପାରମ୍ପରିକ ପୋଡ଼ ଓ ଆମ୍ବ ପୋଡ଼ପିଠାର ଅଧିକ ଚାହିଦା ରହିଛି। ଏହାର ଦାମ ୩୨୦ରୁ ୩୫୦ ଟଙ୍କା ଭିତରେ ରହିଛି।

Share Now:

Kalinga News Beuro

Next Post

ଅଗଷ୍ଟ ୧୫ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ ?

Sat Jun 15 , 2024
ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ। ଏହି ପୋଷ୍ଟ ଭାଇରାଲ ହେବା ପରେ ଏବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି। ବାସ୍ତବରେ ଏକ ଫଟୋ ଭାଇରାଲ ହୋଇଥିଲା ଯେ ନବନିର୍ବାଚିତ ମୋହନ ସରକାର ଆସନ୍ତା ସ୍ୱାଧୀନତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial