ଭୁବନେଶ୍ୱର: ଚଳିତ ବର୍ଷ ଏତେ ଖରା ହେଉଛି ଯେ ଖରାଟିଆ ପରିବା ଭେଣ୍ଡି, ବାଇଗଣ, ଟମାଟୋ, ଝୁଡ଼ୁଙ୍ଗ, କୁନ୍ଦୁରୁ, ଗୁଆଁର ଭଲ ହୋଇଲାନି। ଫୁଲ ଝଡ଼ି ପଡ଼ିଲା। ଔଷଧ ମଧ୍ୟ କାମ କଲାନାହିଁ। ଖରାମାଡ଼ ଯୋଗୁଁ ଆଳୁ ଏବଂ ପିଆଜ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହେଲେ ବୋଲି କହିଛନ୍ତି ଚାଷୀ ମନବୋଧ ବାରିକ। କଞ୍ଚା ପରିବା ବ୍ୟବସାୟୀ ସଂଘର କବିରାଜ ସ୍ୱାଇଁଙ୍କ ଅନୁସାରେ, ବର୍ତ୍ତମାନ ସମୟରେ ପରିବା ଦର ଯେତିକି ରହିବା କଥା, ଚଳିତ ବର୍ଷ ବହୁତ ଅଧିକ ବଢିଛି। ଏହାର ବଡ଼ କାରଣ ଖରା ଯୋଗୁଁ ଯେଉଁ ଅଳ୍ପ ସ୍ଥାନୀୟ ଖରାଦିନିଆ ପରିବା ଆସୁଥିଲା, ତାହା ଉଭାନ ହୋଇ ଯାଇଛି। ଓଡ଼ିଶା ବଜାର ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ କବ୍ଜାରେ ରହିଛି। ଏଥିଯୋଗୁଁ ଓଡ଼ିଶା ଚାଷୀ ଓ ଖାଉଟି ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାରୀ ହିସାବ ଅନୁସାରେ, ୨୦୧୩ ମସିହା ବେଳକୁ ରାଜ୍ୟରେ ବାର୍ଷିକ ୯୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ୍ ପରିବା ଉତ୍ପାଦିତ ହେଉଥିଲା। ୧୦ ବର୍ଷ ମଧ୍ୟରେ ଏହା ୪.୫୧% ବୃଦ୍ଧି ପାଇ ୯୮ ଲକ୍ଷ ୫୧ ହଜାର ମେଟ୍ରିକ ଟନ୍ରେ ପହଞ୍ଚିଛି। କିନ୍ତୁ ତାହା ଚାହିଦା ପୂରଣ କରୁନାହିଁ। ଏହା ସତ୍ତ୍ୱେ ଓଡ଼ିଶା ଦେଶରେ କନ୍ଦମୂଳ, ଛତୁ ଉତ୍ପାଦନରେ ପ୍ରଥମ, ବାଇଗଣ, ବନ୍ଧାକୋବି, ପଣସରେ ଦ୍ଵିତୀୟ, ଟମାଟୋରେ ପଞ୍ଚମ, ଫୁଲକୋବିରେ ଷଷ୍ଠସ୍ଥାନରେ ରହିଥିବା ନେଇ କୃଷି ବିଭାଗ ପକ୍ଷରୁ ଦାବି କରା ଯାଉଛି। ଉଦ୍ୟାନ ବିଭାଗର ଜଣେ ପଦସ୍ଥ ଅଧିକାରୀଙ୍କ ଅନୁସାରେ, ଜୁନ୍ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ପରିବା ଦର ଅଧିକ ଥାଏ। କିନ୍ତୁ କୁନ୍ଦୁରି, ଜହ୍ନି, ପୋଟଳ, ଭେଣ୍ଡି, କାକୁଡ଼ି, ବାଇଗଣ, ତରଭୁଜ, କଖାରୁ, ସଛିନ୍ଦ୍ରା ଭଳି କିଛି ଖରାଦିନିଆ ସ୍ଥାନୀୟ ପରିବା ବଜାରକୁ ଆସିଲେ ଗ୍ରାହକଙ୍କୁ ଭିନ୍ନ ସୁଆଦ ସହିତ ବିକଳ୍ପ ମିଳେ ଏବଂ ଦର ନିୟନ୍ତ୍ରିତ ହୋଇଯାଏ। କିନ୍ତୁ ଚଳିତ ବର୍ଷ ଏତେ ଖରା ହୋଇଛି ଯେ ଜଳସେଚିତ ଓ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଅଞ୍ଚଳକୁ ବାଦ୍ଦେଇ ଅଧିକାଂଶ ଅଞ୍ଚଳରେ ଏହି ପରିବା ଭଲ ହୋଇ ପାରିନାହିଁ। ଉଦାହରଣ ସ୍ବରୂପ ବାରଙ୍ଗ, ବାଙ୍କି ଓ ନୟାଗଡ଼ରୁ ଭୁବନେଶ୍ୱରକୁ ଆସୁଥିବା ଖରାଦିନିଆ ପରିବା ଏଥର ଆସି ପାରିନାହିଁ। ଜଳ ଅଭାବ ଥିବା ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବୌଦ୍ଧ, ଫୁଲବାଣୀ, ନୁଆପଡ଼ା, ଗଜପତି ଓ କଳାହାଣ୍ଡିରେ ପରିବା ଫସଲ ମାତ୍ରାଧିକ ତାପମାତ୍ରା ଯୋଗୁଁ ପ୍ରଭାବିତ ହୋଇଛି। ତେବେ କିଛିଦିନ ବର୍ଷା ହେବାପରେ ଅଗଷ୍ଟ ମାସରେ ପରିବା ଆସିବ। ଗୋଟିଏ ମାସ ପରେ ବିଭିନ୍ନ ପ୍ରକାର ଶାଗ ମଧ୍ୟ ବଜାରକୁ ଆସିବା ନେଇ ଅନୁମାନ ରହିଛି। ପୁଣି ଅନେକ ଚାଷୀ କିଛିଦିନ ମଧ୍ୟରେ ପରିବା ଓପାଡ଼ି ଧାନଚାଷ ଆରମ୍ଭ କରିଦେବେ। ଦ୍ୱିତୀୟତଃ ନିର୍ବାଚନ ପ୍ରଭାବ ଯୋଗୁଁ ଅନେକ ଚାଷୀ ପରିବା ଫସଲ କରିବା ନେଇ ଆଗ୍ରହ କରି ନାହାନ୍ତି। କଞ୍ଚା ପରିବା ବ୍ୟବସାୟୀ ସଂଘ କହିବା ଅନୁସାରେ, ବର୍ଷା ଅଭାବ ସହିତ ଚଳିତ ବର୍ଷ କମ୍ ପରିବା ଉତ୍ପାଦିତ ହୋଇଛି। କର୍ଣ୍ଣାଟକରୁ ବନ୍ଧାକୋବି, ଫୁଲକୋବି, ବିଟ, ସିମଲାଲଙ୍କା, ବିନ୍ସ, ଟମାଟୋ; ରାଜସ୍ଥାନ, ଇନ୍ଦୋରରୁ ଗାଜର; ତାମିଲନାଡ଼ରୁ ସଜନା ଛୁଇଁ; ଆନ୍ଧ୍ରପ୍ରଦେଶରରୁ କଖାରୁ, ଅମୃତଭଣ୍ଡା; ତାମିଲନାଡୁରୁ କଖାରୁ; ପଶ୍ଚିମବଙ୍ଗରୁ ପୋଟଳ, ବାଇଗଣ, ଅମୃତଭଣ୍ଡା, କାଙ୍କଡ଼ ଆସିବା ପରେ ହିଁ ସ୍ଥାନୀୟ ଲୋକଙ୍କ ପେଟ ପୂରୁଛି। ନୂଆ ସରକାରଙ୍କ ପକ୍ଷରୁ ପରିବା ଚାଷକୁ ପ୍ରୋତ୍ସାହିତ କରାନଗଲେ ଏହିଭଳି ଦର ବଢ଼ି ଚାଲିବ ବୋଲି ବ୍ୟବସାୟୀ ସଂଘ କହିଛି।
ପୂର୍ବତନ ଉଦ୍ୟାନ ଅଧିକାରୀ ବିଜୟ ବେହେରା କହନ୍ତି, ଗୋଟିଏ ସମୟରେ ଭରତପୁର, ଅନ୍ଧାରୁଆ, ଦାରୁଠେଙ୍ଗରୁ ଉତ୍ପାଦିତ ଉନ୍ନତମାନର ବାଇଗଣ ଭୁବନେଶ୍ୱର ବଜାରକୁ ଆସୁଥିଲା। ମାତ୍ର ବର୍ତ୍ତମାନ ସେଠାରେ ସହର ସମ୍ପ୍ରସାରିତ ହୋଇ ଚାଷ ବନ୍ଦହୋଇ କୋଠା ତିଆରି ହେଲାଣି। ତେଣୁ ସ୍ଥାନୀୟ ପରିବା ଆସୁନାହିଁ। ରାଜ୍ୟ ସରକାର ଧାନ ଚାଷକୁ ମାତ୍ରାଧିକ ଗୁରୁତ୍ୱ ଦେଇ ପରିବା ଚାଷକୁ ମାରି ଦେଉଛନ୍ତି। ଧାନରେ ଏମ୍ଏସ୍ପି, ଉପଯୁକ୍ତ ମଣ୍ଡି ବ୍ୟବସ୍ଥା ରହିଛି। ତେଣୁ ଅଧିକ ପାଣି ଖର୍ଚ ସତ୍ତ୍ୱେ ଧାନ ଚାଷ ହେଉଛି। କିନ୍ତୁ ପରିବାର ଏମ୍ଏସ୍ପି କିମ୍ବା ଉପଯୁକ୍ତ ବିପଣନ ବ୍ୟବସ୍ଥା ନାହିଁ। ଆଳୁ ପାଇଁ ଶୀତଳଭଣ୍ଡାର ନାହିଁ କି ଅନ୍ୟ ପରିବା ପାଇଁ କୋଲଡ଼ରୁମ ନାହିଁ। ଚାଷ ଉପଯୋଗୀ ମାତ୍ର ୧୦ ପ୍ରତିଶତ ପରିବା ଚାଷ ହେଉଛି। ପରିବା ଚାଷକୁ ପ୍ରୋତ୍ସାହନ ହିଁ ଦର ନିୟନ୍ତ୍ରଣ କରିବ ବୋଲି ଶ୍ରୀ ବେହେରା ଓ ଅନ୍ୟ ଏକାଧିକ ମତ ଦେଇଛନ୍ତି।
ପରିବା ଦର ଆକାଶ ଛୁଆଁ : ପରିବା ଚାଷକୁ ପ୍ରୋତ୍ସାହନ ହିଁ ଦର ନିୟନ୍ତ୍ରଣ କରିପାରିବ

Share Now: