ଦୁର୍ଘଟଣାପ୍ରବଣ ଜୟଦେବବିହାର-ନନ୍ଦନକାନନ ରାସ୍ତା: ୬ ମାସରେ ଗଲାଣି ୯ ଜୀବନ

ଚନ୍ଦ୍ରଶେଖରପୁର: ରାଜଧାନୀର ପ୍ରମୁଖ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କ ମଧ୍ୟରେ ଜୟଦେବବିହାର-ନନ୍ଦନକାନନ ରାସ୍ତା ଅନ୍ୟତମ। ଏବେ ଏହା ସବୁଠାରୁ ଅଧିକ ଦୁର୍ଘଟଣାପ୍ରବଣ ରାସ୍ତା ଭାବେ ପରିଚିତି ଲାଭ କରିଛି। ଗତ ୬ ମାସରେ ଏହି ରାସ୍ତାରେ ଘଟିଥିବା ଦୁର୍ଘଟଣା ୯ଟି ମୁଣ୍ଡ ନେଇଛି। ବୁଲା ଗୋରୁଗାଈ ଏହି ରାସ୍ତାକୁ କବ୍‌ଜା କରି ରଖୁଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି। ଅଥଚ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କିମ୍ବା କମିସନରେଟ୍‌ ପୁଲିସ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସଂଗୃହିତ ତଥ୍ୟ ଅନୁସାରେ ଗତ ଛ’ ମାସ ମଧ୍ୟରେ ଏହି ରାସ୍ତାରେ ଘଟିଥିବା ଛୋଟବଡ଼ ପ୍ରାୟ ୨୦ଟି ଦୁର୍ଘଟଣା ମଧ୍ୟରୁ ୯ଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଓ ୯ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ୪ଟି ଦୁର୍ଘଟଣାରେ ବାଇକ୍‌ ଆରୋହୀମାନେ ବୁଲା ଗୋରୁଗାଈଙ୍କ ଦେହରେ ପିଟି ହୋଇଥିବାବେଳେ ୨ଟି ଦୁର୍ଘଟଣା ବୁଲା କୁକୁରଙ୍କ ଯୋଗୁଁ ଘଟିଛି। ଥାନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଜାନୁୟାରୀରେ ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଛି। ସେହିଭଳି ଜାଭିୟର ଛକରୁ ନାଲ୍‌କୋ ଛକ ମଧ୍ୟରେ ମାର୍ଚ୍ଚରେ ‌ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ନାଲ୍‌କୋ ଛକରୁ ପଟିଆ ଛକ ମଧ୍ୟରେ ଘଟିଥିବା ପୃଥକ ପୃଥକ ୨ଟି ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ପଟିଆ ଛକରୁ କିଟ୍ ଛକ ମଧ୍ୟରେ ଦୁଇଟି ଦୁର୍ଘଟଣା ଘଟିଛି ଓ ସେଥିରେ ଦୁଇ ଜଣଙ୍କର ଜୀବନ ଯାଇଛି। ସେହିଭଳି ପଟିଆରୁ ନନ୍ଦନକାନନ ମଧ୍ୟରେ ୩ ଜଣ ପ୍ରାଣ ହରାଇଛନ୍ତି। ଏହି ରାସ୍ତାରେ ଘଟୁଥିବା ଦୁର୍ଘଟଣାର ପ୍ରମୁଖ କାରଣ ହେଉଛନ୍ତି ବୁଲା ଗୋରୁ ଓ କୁକୁର। ଦିନରାତି ସବୁ ସମୟରେ ରାସ୍ତାକୁ କବ୍‌ଜା କରି ଗୋରୁମାନେ ଶୋଇ ରହୁଛନ୍ତି। ସେମାନଙ୍କୁ ହଟାଇବା ପୁଲିସ୍ ପାଇଁ କାଠିକର ପାଠ ହେଉଛି। ବିଏମ୍‌ସି କର୍ତ୍ତୃପକ୍ଷ ମଧ୍ୟ ଏଦିଗରେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବୁଲା ଗୋରୁଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କାଞ୍ଜିଆହୁଦା ନିର୍ମାଣ କରାଯାଇଛି। କିନ୍ତୁ ସେଠାରେ ଗାଈଗୋରୁଙ୍କୁ ରଖିବା ଯୋଜନା ଫେଲ୍ ମାରିଛି। ତେଣୁ ଶହ ଶହ ବୁଲା ଗାଈଗୋରୁଙ୍କ ପାଇଁ ଏହି ରାସ୍ତା ଏକପ୍ରକାର ଗୁହାଳ ପାଲଟି ଯାଇଛି। କିଛି ଗାଈ ଡ଼ିଭାଇଡ଼ର୍ ଉପରେ ଶୋଇ ପଡ଼ୁଛନ୍ତି ତ ଆଉ କିଛି ପୁରା ରାସ୍ତା ମଝିରେ। ପୁଣି ଅନେକ ସମୟରେ ରାସ୍ତା ଉପରେ ଷଣ୍ଢ ‌ଲଢ଼େଇ ହେଉଛି। ପୂର୍ବରୁ ବିଏମ୍‌ସି ପକ୍ଷରୁ ରାସ୍ତାରୁ ବୁଲାଗୋରୁଙ୍କୁ ହଟାଇ ଦିଆଯାଉଥିଲା। କିନ୍ତୁ ଗତ ୬ ମାସ ହେଲା ବିଏମ୍‌ସିର ଏହି କାମ ଠପ୍ ହୋଇ ଯାଇଛି।

ରାସ୍ତାରେ ବୁଲୁଥିବା ଗାଈ କାହାର?
ଜୟଦେବ ବିହାର – ନନ୍ଦନକାନନ ରାସ୍ତାକୁ କବ୍‌ଜା କରି ରଖୁଥିବା ଏହି ବୁଲା ଗାଈଗୋରୁ କାହାର ବୋଲି ପ୍ରଶ୍ନ ଉଠୁଛି। କାମଧେନୁ ଗୋଶାଳା ଅଧକ୍ଷ ନନ୍ଦଦୁଲାଲ ନାଥଙ୍କ ସୂଚନା ଅନୁଯାୟୀ ଏହି ଗ‌ାଈମାନଙ୍କ ମାଲିକ ଅଛନ୍ତି। ସେମାନେ ସକାଳୁ ସକାଳୁ ଦୁଧ ଦୁହିଁବା ପରେ ବାହାରକୁ ଛାଡ଼ିଦେଉଛନ୍ତି। ଘରେ ବାନ୍ଧି ରଖିଲେ, ମାଲିକମାନଙ୍କୁ ଗାଈମାନଙ୍କ ଖାଇବା ଖର୍ଚ୍ଚ ବହନ କରିବାକୁ ପଡ଼ିବ। ସେଥିରୁ ରକ୍ଷା ପାଇବା ପାଇଁ ମାଲିକମାନେ ଗାଈମାନଙ୍କୁ ବାହାରକୁ ଛାଡ଼ି ଦେଉଛନ୍ତି। ସେହିଭଳି ଯେଉଁ ଗାଈ ଦୁଧ ଦେଉନାହିଁ, ତାକୁ ମାଲିକମାନେ ସବୁବେଳ ପାଇଁ ବାହାରକୁ ଛାଡ଼ି ଦେଉଛନ୍ତି ଓ ଛୁଆ ଜନ୍ମ କଲାବେଳକୁ ଘରକୁ ଖୋଜି ନେଉଛନ୍ତି। ଏଭଳି ମାଲିକମାନଙ୍କ ପାଇଁ ରାସ୍ତାରେ ଦୁର୍ଘଟଣା ଘଟୁଛି ଓ ମଣିଷ ଜୀବନ ଯିବା ସହ ଗାଈମାନେ ମଧ୍ୟ ମରୁଛନ୍ତି। ତେଣୁ ସେଭଳି ମାଲିକମାନଙ୍କୁ ଖୋଜି ଖୋଜି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ନା‌ଥ କହିଛନ୍ତି। ଉତ୍ତର ଭୁବନେଶ୍ବର ଜେଡିସି ପ୍ରମୋଦ ପୃଷ୍ଟିଙ୍କ ସହ ଯୋଗାଯୋଗ କରିବାରୁ ସେ ଲକ୍ ଡ଼ାଉନ୍ ସମୟର କାର୍ଯ୍ୟଭାରର ଦ୍ବାହି ଦେଇ କାନ୍ଧ ଖସାଇବାକୁ ସଫେଇ ଦେଇଥିଲେ। ତାଲା ବନ୍ଦ ପାଇଁ ରାସ୍ତାରୁ ବୁଲା ଗୋରୁଗାଈଙ୍କ ଉଦ୍ଧାର କାର୍ଯ୍ୟ କମିଛି ବୋଲି କହିଥିଲେ।

Share Now:

Kalinga News Beuro

Next Post

ଅଣାୟତ୍ତ ହେଉଛି ଭୁବନେଶ୍ୱର:୨୦ ଦିନରେ ୧୧୯ ଚିହ୍ନଟ

Sun Jun 21 , 2020
ଏବେ ସୁଦ୍ଧା ୧୮୪ ଆକ୍ରାନ୍ତ, ୭ବସ୍ତିରୁ ୧୪ ଚିହ୍ନଟ ହେଲେଣି ଭୁବନେଶ୍ବର: ମାର୍ଚ୍ଚ ୧୫ରେ ରାଜଧାନୀରେ ତଥା ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ୧୫ଦିନ କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏପ୍ରିଲରୁ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ବଢ଼ିଲେ। ଏପରିକି ଜୁନ୍‌ ୧ ସୁଦ୍ଧା ଭୁବନେଶ୍ବରେ ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୮୪ରେ ପହଞ୍ଚିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial