ଏବେ ସୁଦ୍ଧା ୧୮୪ ଆକ୍ରାନ୍ତ, ୭ବସ୍ତିରୁ ୧୪ ଚିହ୍ନଟ ହେଲେଣି
ଭୁବନେଶ୍ବର: ମାର୍ଚ୍ଚ ୧୫ରେ ରାଜଧାନୀରେ ତଥା ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ୧୫ଦିନ କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏପ୍ରିଲରୁ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ବଢ଼ିଲେ। ଏପରିକି ଜୁନ୍ ୧ ସୁଦ୍ଧା ଭୁବନେଶ୍ବରେ ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୮୪ରେ ପହଞ୍ଚିଛି। ୨୦ଦିନରେ ୧୧୯ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ବରରେ ଚିହ୍ନଟ ହୋଇସାରିଲେଣି। ଫଳରେ ଭୁବନେଶ୍ବରରେ ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ିଥିବା ବେଳେ ଏଥିରୁ ଅଧିକାଂଶ ପ୍ରବାସୀ ଓଡ଼ିଆ। କିଏ ବିଦେଶରୁ ଫେରିଥିଲେ ତ କିଏ ବାହାର ରାଜ୍ୟରୁ କାମ କରି ଫେରିଥିଲେ। ହେଲେ ଏଥିରେ ପ୍ରାୟ ୧୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି, ଯେଉଁମାନେ କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁଠିକୁ ଯିବା ପରେ କରୋନା ଆକ୍ରାନ୍ତ ହେଲେ, ତାହା ଜଣାପଡ଼ିନି। କିନ୍ତୁ ଏହି ସଂଖ୍ୟା ଭୁବନେଶ୍ବରରେ ବଢ଼ି ଚାଲିଥିବାରୁ ଏବେ ଏହା ଚିନ୍ତାର ବିଷୟ ପାଲଟିଛି। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୧୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୪ ଜଣ ହେଉଛନ୍ତି ବସ୍ତିବାସିନ୍ଦା। ତେଣୁ ଗୋଷ୍ଠୀ ସଂକ୍ରମଣ ହେବା ଭୟ ଏବେ ଘାରିଛି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ସୁବାସନଗର ବସ୍ତିରୁ ୭ଜଣ, ଲକ୍ଷ୍ମୀବଜାର ବସ୍ତିରୁ ଜଣେ, ମହିଷାଖାଲ ବସ୍ତିରୁ ଜଣେ, ବାଲିଆପଠା ବସ୍ତିରୁ ଜଣେ, ସାଲିଆସାହି ବିର୍ସାନଗର ବସ୍ତିରୁ ଜଣେ, ନିରଙ୍କରୀନଗରରୁ ଦୁଇଜଣ, ଶରଣାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେ’ ମାସ ସୁଦ୍ଧା କେବଳ ମହିଷାଖାଲ ବସ୍ତିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୁନ୍ ୨୦ସୁଦ୍ଧା ୭ଟି ବସ୍ତିରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବସ୍ତିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବସ୍ତିରେ ରହୁଥିବା ବେଳେ ସେ ବି କରୋନା ଆକ୍ରାନ୍ତ ହୋଇଛନ୍ତି। ବସ୍ତିରେ ୧୪ଜଣ କରୋନା ଆକ୍ରାନ୍ତ ହେବା ପରେ ବିଏମ୍ସି ଫୋକସ୍ରେ ଏବେ ବସ୍ତି ରହିଛି। ରାଜଧାନୀରେ ଥିବା ୫୩୬ଟି ଯାକ ବସ୍ତିରେ ସର୍ଭେଲାନ୍ସ ଜୋରଦାର୍ କରିଦିଆଯାଇଛି। ପ୍ରତି ଘରକୁ ଘର ବୁଲି ଆଶା ଓ ଅଙ୍ଗନୱାଡ଼ି କର୍ମୀ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଛନ୍ତି। ଯେଉଁଠି ଲକ୍ଷଣ ଦେଖୁଛନ୍ତି, ସେଠାରେ ତୁରନ୍ତ ସ୍ବାବ୍ ସଂଗ୍ରହ ହେଉଛି। ଏହାସହ କଣ୍ଟାକ୍ଟ ଟ୍ରେସିଂ କରି ଲୋକଙ୍କ ଘରେ ସଙ୍ଗରୋଧ ଷ୍ଟିକର୍ ଲଗାଇ ଦିଆଯାଉଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ଆମେ ପୂରା ରାଜଧାନୀରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରଖିଛୁ। ଯେଉଁଠି ଲୋକଙ୍କର ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଅଣାଯାଉଛି ଏବଂ ସ୍ବାବ୍ ସଂଗ୍ରହ ହେଉଛି। ଲୋକମାନେ ଅଧିକ ସଚେତନ ହେଉ ନଥିବାରୁ କରୋନା ବ୍ୟାପୁଛି। ଯେଉଁମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଉଛି, ସେମାନେ ଘରୁ ନ ବାହାରିଲେ କରୋନା ବ୍ୟାପିବନି। କିନ୍ତୁ କିଛି ଲୋକ ନିୟମ ମାନୁ ନଥିବାରୁ ବହୁ ଲୋକ ହଇରାଣ ହେଉଛନ୍ତି। ତେଣୁ ଅଧିକ କରୋନା ଚିହ୍ନଟ ହେଉଥିବା ଅଞ୍ଚଳକୁ ଆମେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବୁ।
