ନିଆରା ଶିବପିଣ୍ଡି, ପାର୍ବତୀପିଣ୍ଡି, ଗଣେଶପିଣ୍ଡି ସହ କଇଁ ଓ ପଦ୍ମ ପୁଷ୍କରିଣୀ
ପୁରୁଣା ଭୁବନେଶ୍ୱର: ଗ୍ରୀଷ୍ମ ହେଉ କି ବର୍ଷା, ପର୍ବ ହେଉକି ସାଧାରଣ ଦିନ, ଏକାମ୍ର କ୍ଷେତ୍ରରେ ଏମିତି କିଛି ନିଆରା ସ୍ଥାନ ରହିଛି ଯେଉଁଠାରେ ଜାଣିଥିବା ଲୋକଙ୍କର ବେଶ୍ ଭିଡ଼ ଜମୁଛି। ଅବଶ୍ୟ ସେ ସ୍ଥାନଗୁଡ଼ିକ ବାବଦରେ ବିଶେଷ ପ୍ରଚାର କରା ଯାଉନଥିବାରୁ ବାହାରର ଅଧିକାଂଶ ପର୍ଯ୍ୟଟକଙ୍କ ପାଖରେ ତାହା ଅପରିଚିତ ହୋଇ ରହିଛି, କିନ୍ତୁ ଜାଣିଥିବା ଲୋକେ ଏଠାକୁ ବାରମ୍ବାର ଆସୁଥିବା ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଏକାମ୍ର ବନ ଅନ୍ୟତମ। ବିନ୍ଦୁସାଗର କୂଳରେ ଥିବା ଏହି ଉଦ୍ୟାନରେ ପ୍ରତି ଅପରାହ୍ଣରେ ବେଶ୍ ଭିଡ଼ ଜମୁଛି। ଯୁବଗୋଷ୍ଠୀଙ୍କ ସହିତ ବୟସ୍କ ନାଗରିକ, ଛାତ୍ରଛାତ୍ରୀ ଓ ବୃକ୍ଷପ୍ରେମୀ ଏଠାକୁ ଆଗ୍ରହର ସହିତ ଆସୁଛନ୍ତି। ଏହା ସଂପର୍କରେ ଶୁଣିଥିବା ଦୂରଦୂରାନ୍ତର ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି।
ଏକାମ୍ରକ୍ଷେତ୍ରର ଶୋଭା ବୃଦ୍ଧି କରୁଥିବା ଏହି ଏକାମ୍ର ବନରେ ରହିଛି ୨୪୦ ପ୍ରଜାତିର ଔଷଧୀୟ ବୃକ୍ଷ ଓ ଲତା। ଔଷଧୀୟ ବୃକ୍ଷ ଓ ଲତା ହିଁ ଏହାର ସ୍ୱାତନ୍ତ୍ର୍ୟ। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ କ୍ରମେ ଏହାକୁ ଏକ ଔଷଧ୍ୟ ବୃକ୍ଷରାଜି ଭରା ବଗିଚାର ରୂପ ଦିଆଯାଇଛି। ଗତ ଫନି ବାତ୍ୟା ସମୟରେ ଏଠାକାର ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଥିଲା। ତେବେ ରକ୍ଷଣାବେକ୍ଷଣ କରାଯିବା ପରେ ପୁଣି ତା’ର ପୂର୍ବ ସ୍ଥିତି ଫେରି ଆସିଛି। ଏହି ବନଟି ସକାଳ ୮ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଖୋଲା ରହୁଥିଲାବେଳେ ପୁଣି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହୁଛି। ପର୍ଯ୍ୟଟକମାନେ ମାତ୍ର ୫ ଟଙ୍କା ପ୍ରବେଶ ଦେୟରେ ଏହି ବନକୁ ବୁଲି ଦେଖୁଛନ୍ତି। ଶନି ଓ ରବିବାରରେ ଅଧିକ ଭିଡ଼ ଜମୁଛି। ସେମାନେ ଏକାମ୍ର ବନ ବୁଲିବା ସହିତ ବିନ୍ଦୁସାଗରର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି।
ଏକାମ୍ର ବନରେ ରହିଛି ତିନିଟି ପିଣ୍ଡି- ଶିବପିଣ୍ଡି, ପାର୍ବତୀପିଣ୍ଡି ଓ ଗଣେଶପିଣ୍ଡି। ଏହି ପିଣ୍ଡିଗୁଡିକର ଚର୍ତୁପାର୍ଶ୍ଵରେ ନିର୍ଦ୍ଦିଷ୍ଟ ଯୋଜନାବଦ୍ଧ ଭାବେ ଔଷଧୀୟ ବୃକ୍ଷଲତାକୁ ଲଗା ଯାଇଛି। ଶିବପିଣ୍ଡି: ଶିବପିଣ୍ଡିର ଚାରିପାଖରେ ଲଗାଯାଇଥିବା ଔଷଧୀୟ ବୃକ୍ଷଗୁଡ଼ିକ ମୁଖ୍ରତଃ ପୁରୁଷମାନଙ୍କ ରୋଗର ଉପଚାର ପାଇଁ ଉଦ୍ଦିଷ୍ଟ। ସେଗୁଡ଼ିକ ହେଲା ସୁଗନ୍ଧି ନଟା, ଦୁଲୁରା, ଗୟସ, ରାମ ତୁଳସୀ, କଳା ତୁଳସୀ, କର୍ପୁର ତୁଳସୀ, ଧଳା ତୁଳସୀ, ରାଧା ତୁଳସା, ରେମନ ତୁଳସୀ, ଗୟା ତୁଳସୀ, ଅରଖ ଧାତୁରା, ଅନ୍ତମୂଳ, ସଭାବରୀ, ଅଶ୍ୱଗନ୍ଧା ଓ ଇନ୍ସୁଲିନ୍ ବୃକ୍ଷ ଆଦି। ପିଣ୍ଡି ଉପରେ ରହିଛି ଆମ୍ବଗଛ। ବହୁମୂତ୍ର, ବାତ, ପିତ ଓ କଫ ଜନିତ ରୋଗରୁ ଭଲ କରିବା ପାଇଁ ଉଦ୍ଦିଷ୍ଟ ଔଷଧୀୟ ବୃକ୍ଷ ଓ ଲତା ଏଠାରେ ରୋପଣ କରାଯାଇଛି।
ପାର୍ବତୀପିଣ୍ଡି: ପାର୍ବତୀପିଣ୍ଡିର ସ୍ୱତନ୍ତ୍ରତା ହେଉଛି ଏହି ପିଣ୍ଡି ଚାରିପାଖରେ ସୃଷ୍ଟି କରାଯାଇଥିବା ଔଷଧୀୟ ବୃକ୍ଷ ବଳୟ ମହିଳାମାନଙ୍କ ବିଭିନ୍ନ ରୋଗକୁ ଲକ୍ଷ୍ୟ କରିବାଲାଗି। ଏଠାରେ ଲଗା ଯାଇଥିବା ବୃକ୍ଷ ଲତା ଭିତରେ ରହିଛି ମକରକରା, ରକ୍ତଚିତା, ଶ୍ୱେତଚିତା, ଦୁର୍ଲଭା, ଘିକୁଆଁରୀ, ମଲ୍ଲି, ନିଆଳି, ଆୟାପାନ, ବ୍ରାହ୍ମୀ, ଥାଲକୁଡି, ଦୟଣା, ଗନ୍ଧମୁଣ୍ଡି ଓ ଗୁଳୁଚି ଆଦି। ପିଣ୍ଡି ଉପରେ ଅଁଳାଗଛ ଲଗାଯାଇଛି। ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁକନ୍ୟା ଏବଂ କିଶୋରୀମାନଙ୍କ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏହି ଔଷଧୀୟ ବୃକ୍ଷର ବିଭିନ୍ନ ଅଂଶ ଉପଯୋଗ କରାଯାଏ।
ଗଣେଶପିଣ୍ଡି: ଶ୍ରୀଗଣେଶ ଜ୍ଞାନର ଦେବତା ହୋଇଥିବାରୁ ଏହି ପିଣ୍ଡିର ଚର୍ତୁଦିଗରେ ସ୍ମରଣଶକ୍ତି ବୃଦ୍ଧି ଓ ଉତ୍ତର ସ୍ୱାସ୍ଥ୍ୟରେ ସହାୟତା କରୁଥିବା ଔଷଧୀୟ ବୃକ୍ଷ ଲତା ରୋପଣ କରାଯାଇଛି। ଏହି ବୃକ୍ଷଗୁଡ଼ିକରେ ଭିତରେ ଅଛି ଘିକୁଆଁରୀ, ବଚ, ଶଙ୍ଖପୁଷ୍ଟି, ଭୃଙ୍ଗରାଜ, ବ୍ରାହ୍ମୀ, ଥାଲକୁଡି, ପିପରମେଣ୍ଟ, ପୋଦିନା ଓ ଲେମନଗ୍ରାସ୍ ଆଦି। ପିଣ୍ଡି ଉପରେ ବେଲଗଛ ରହିଛି।
କଇଁ ଓ ପଦ୍ମ ପୁଷ୍କରିଣୀ: ଏକାମ୍ର ବନର ମଧ୍ୟଭାଗରେ ଅବସ୍ଥିତ ପାର୍ବତୀପିଣ୍ଡିର ଦୁଇ ପାର୍ଶ୍ଵରେ ମାଙ୍କଡା ପଥର ବନ୍ଧାଯାଇ ଦୁଇଟି ପୁଷ୍କରିଣୀ ନିର୍ମାଣ କରାଯାଇଛି। ପୁଷ୍କରିଣୀ ଭିତରେ କଇଁ ଓ ପଦ୍ମ ରୋପଣ କରା ଯାଇଛି। ଏହା ଉଦ୍ୟାନର ଶୋଭାକୁ ବୃଦ୍ଧି କରୁଛି। ଏହାର ଚାରିପଟେ ପର୍ଯ୍ୟଟକଙ୍କ ବସିବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ମାଙ୍କଡା ପଥରରେ ନିର୍ମିତ ଏକାମ୍ର ବନ ପାଚେରିକୁ ଦେଖିଲେ ଏକ ପୁରୁଣା ପରମ୍ପରା ଓ ସ୍ଥାପତ୍ୟକୁ ମନେ ପକାଇଦିଏ। ଉଦ୍ୟାନ ପାର୍ଶ୍ଵରେ ଏକ ଔଷଧୀୟ ଚାରାର ନର୍ସରୀ ରହିଛି। ସେଠାରୁ ଲୋକେ ଔଷଧୀୟ ଚାରା କିଣିବାର ସୁଯୋଗ ପାଉଛନ୍ତି।