ବଣ୍ଡାଘାଟିରେ ଦାରିଦ୍ର୍ୟର ନଗ୍ନ ନମୁନା : ନବଜାତ ଶିଶୁକୁ ବିକ୍ରି ଉଦ୍ୟମ

ମାଲକାନଗିରି : ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ଏବେ ବି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ସ୍ଥିତି ଏମିତି ଯେ, ଜନ୍ମକଲା ବାପା ନିଜ ସନ୍ତାନକୁ ଅନ୍ୟ ହାତରେ ଟେକି ଦେବା ପୂର୍ବରୁ ଥରେ ବି ଚିନ୍ତା କରୁନାହିଁ। ଆଜି ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମାତ୍ର ୧୮ଦିନର ଶିଶୁକନ୍ୟାକୁ ବାପା ବିକ୍ରି କରିଦେବା ପୂର୍ବରୁ ଉଦ୍ଧାର କରିଛନ୍ତି ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଏହି ଘଟଣା ପରେ ସରକାରୀ ଯୋଜନାର ସଫଳତାକୁ ବିତର୍କ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପାଇଁ ନକାରାତ୍ମକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ କାତାଙ୍ଗଗୁଡ଼ା ଗାଁରେ ରହୁଛନ୍ତି ମାଙ୍ଗତୁ ଚାଲାଣ। ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଜୀବିନ ବିତାଉଥିବା ମାଙ୍ଗତୁଙ୍କର ୬ ପୁଅଝିଅ। ସଚେତନତା ଅଭାବ ଯୋଗୁଁ ପତ୍ନୀ ପୁଣି ଗର୍ଭବତୀ ହେଲେ। ଜାନୁଆରି ୧ତାରିଖ ଦିନ ଗର୍ଭଯନ୍ତ୍ରଣା ହେବାରୁ ମୁଦୁଲିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସପ୍ତମ ସନ୍ତାନ ଭାବେ ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ବେଳେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଥିଲେ ମାଙ୍ଗତୁଙ୍କ ପତ୍ନୀ। ଏହାପରେ ବାପାଙ୍କ ପାଇଁ ଅଲୋଡ଼ା ହୋଇଯାଇଥିଲା ନବଜାତ ଶିଶୁକନ୍ୟା। ଘରକୁ ଫେରିବା ପରେ ପରିବାର ଜଞ୍ଜାଳ ଏବଂ ନବଜାତ ଶିଶୁର ଯତ୍ନ ମାଙ୍ଗତୁଙ୍କ ପାଇଁ ବଡ଼ ବୋଝ ହୋଇଯାଇଥିଲା। ଠିକ୍ ରୂପେ କାମ କରିବାକୁ ଯାଇପାରି ନଥିଲେ। ଏମିତି ସ୍ଥିତିରେ କଣ କରିବେ ଜାଣିପାରି ନଥିଲେ। ସଂପର୍କୀୟ କିମ୍ବା ପାଖ ପଡ଼ୋଶୀ ବି ଏମିତି ସମୟରେ ଉଚିତ ପରାମର୍ଶ ଦେଇନଥିଲେ। ଶେଷରେ ସେ ଶିଶୁକନ୍ୟାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ସଂପର୍କୀୟ ଭାଇ ସହ ଶିଶୁକନ୍ୟାକୁ ବିକ୍ରି କରିବା ପାଇଁ ଆଜି ସକାଳେ କୋରାପୁଟ ବାହାରିଥିଲେ। କିନ୍ତୁ ‌ଜୟପୁର ସହର ନିକଟ କୋଟା ଛକରେ ପୂର୍ବରୁ ଏନେଇ ସୂଚନା ପାଇ ସାରିଥିବା କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅଟକାଇଥିଲେ। ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ମାଲକାନଗିରି ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ହସ୍ତାନ୍ତର କରିଥିଲେ। ଚିକିତ୍ସା ପରେ ଶିଶୁକନ୍ୟାକୁ କୋରାପୁଟ ପଠାଯାଇଛି। ଏ ନେଇ ମାଙ୍ଗତୁଙ୍କ କହିବା ହେଲା ବହୁ କଷ୍ଟରେ ଘର ଚଳୁଛି। ଦିନେ ଖାଇଲେ ଦୁଇ ବେଳା ଉପବାସ ରହୁଛୁ। ପୁଣି କଅଁଳା ପିଲାକୁ କେମିତି ବଞ୍ଚାଇବି ବୋଲି ଓଲଟା ପ୍ରଶ୍ନ କରିଥିଲେ। ପରିସ୍ଥିତିରେ ପଡ଼ି ଅନ୍ୟ ହାତକୁ ଟେକି ଦେବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ମାଙ୍ଗତୁଙ୍କ ଏହି ଦୁଇ ପଦ କଥାରେ ନିଶ୍ଚିତ ବାସ୍ତବତା ରହିଥିବା ବେଳେ ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡାଙ୍କ ଅବସ୍ଥା କଣ ତାହାକୁ ସେ ପରୋକ୍ଷରେ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି।

Share Now:

Kalinga News Beuro

Leave a Reply

Next Post

କଂଗ୍ରେସ ଭବନରେ ବାହୁବଳୀ : ନାପସନ୍ଦ କଲେ ଦଳୀୟ ନେତା

Sun Jan 19 , 2020
କିଏ ଆଣିଥିଲା ଜାଣିନି: ପିସିସି ସଭାପତି ଭୁବନେଶ୍ୱର : କାହା ନିର୍ଦେଶରେ କଂଗ୍ରେସ ଭବନରେ ପଶିଲେ ବାହୁବଳୀ। ଏଭଳି ଘଟଣା ଆଗରୁ କେବେ ହୋଇନଥିଲା। ଗତକାଲି ପିସିସି କାର୍ଯ୍ୟାଳୟକୁ ବାହୁବଳୀ ଜଗିବା ଘଟଣାକୁ ନେଇ ନିନ୍ଦା କରିଛନ୍ତି ଦଳର ବରିଷ୍ଠ ନେତା। ସେପଟେ ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖି ଗଣମାଧ୍ୟମକୁ କହିଛନ୍ତି ଯେ ଏ ନେଇ ସେ କିଛି ବି ଜାଣିନାହାନ୍ତି। ଦଳର ବରିଷ୍ଠ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial