ଲକ୍‌ଡାଉନ୍ କୋହଳର ପ୍ରଭାବ: ସାମାଜିକ ଦୂରତ୍ୱକୁ ଫୁ…

ପ୍ରଶାସନ ବିଶେଷ ଦୃଷ୍ଟିଦେବାକୁ ବୁଦ୍ଧିଜିବୀ ମହଲରେ ଦାବି

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କିଛିଟା କୋହଳ କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ, କେବଳ ପାର୍ସଲ ପାଇଁ କିଛି ଜଳଖିଆ, ମିଠା ଦୋକାନ ଓ ରେ‌‌ସ୍ତୋରାଁ, ମୋବାଇଲ ଦୋକାନ, ଗାଡ଼ି ମରାମତି ଦୋକାନ ଆଦି ଖୋଲା ରହିଛି। ଗାଡ଼ି ଚାଲିବା ପାଇଁ ଆଉ ପାସ୍‌ର ମଧ୍ୟ ଆବଶ୍ୟକତା ନାହିଁ। କିନ୍ତୁ ଏହାର ଫାଇଦା ନେଇ ଲୋକେ ମନଇଚ୍ଛା ଘରୁ ବାହାରିଲେଣି। ଜରୁରୀ କାମ ନଥାଇ ବି ଘରୁ ବାହାରୁଛନ୍ତି। ସେହିପରି ସାମାଜିକ ଦୂରତା ବି ଚୁଲିକୁ ଗଲାଣି। ଗୋଟିଏ ପଟେ ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀବାସୀଙ୍କ ଏପରି ଖାମଖିଆଲି ମହଙ୍ଗା ପଡ଼ିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ପାର୍‌ ହୋଇଥିବା ବେଳେ ଗତ କିଛି ଦିନ ତଳେ ରାଜଧାନୀରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସଂକ୍ରମଣ ରୋକିବାରେ ସାମାଜିକ ଦୂରତ୍ୱ ଏକମାତ୍ର ଅସ୍ତ୍ର ହୋଇଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ଏନେଇ ସଚେତନତା ସୃଷ୍ଟି କରାଯାଉଛି। ଏପରିକି ଏନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି। ଯିଏ ସାମାଜିକ ଦୂରତ୍ବ ଉଲ୍ଲଙ୍ଘନ କରିବ, ତା’ଠାରୁ ଏହି ସ୍କ୍ୱାର୍ଡ ଜରିମାନା ଆଦାୟ କରିବ। ତେବେ ୫ଦିନ ଭିତରେ ଏହି ସ୍କ୍ୱାର୍ଡ ୩ ହଜାରରୁ ଅଧିକ ଲୋକଙ୍କଠାରୁ ଜରିମାନା ଆଦାୟ କଲାଣି। କିନ୍ତୁ ଏହା ପରେ ବି ଲୋକେ ସାମାଜିକ ଦୂରତ୍ୱ ମାନିବାକୁ ପ୍ରସ୍ତୁତ ନୁହନ୍ତି।
ଦୋକାନରେ ଲାଗୁଛି ଭିଡ଼, ଦୋକାନୀ ଚୁପ୍
ରାଜଧାନୀରେ ଅଧିକାଂଶ ଦୋକାନରେ ଭିଡ଼ ଜମୁଛି। ମୁଖ୍ୟ ରାସ୍ତାକୁ ବାଦ୍ ଦେଲେ ଗଳି ରାସ୍ତାରେ ଥିବା ଦୋକାନରେ ପ୍ରବଳ ଭିଡ଼ ହେଉଛି। ଗ୍ରାହକ ସଚେତନ ହେଉନାହାନ୍ତି କି ଦୋକାନୀ ବାରଣ କରୁନାହାନ୍ତି। ଫଳରେ ସଂକ୍ରମଣର ଆଶଙ୍କା ରହିଛି। ବିଏମ୍‌ସି ଓ କମିସନରେଟ୍‌ ପୁଲିସ୍ ପକ୍ଷରୁ ବାରମ୍ବାର ସଚେତନତା, କଟକଣା ସତ୍ତ୍ୱେ ବି କିଛି କାମ ଦେଉନି। ଏଭଳି ସ୍ଥିତିରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।
ହାଟ ଭିତରକୁ ଯାଉଛି ଶହ ଶହ ବାଇକ୍
ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ହାଟ ସ୍ଥାନାନ୍ତର କରାଯାଇଛି। ହାଟ ଭିତରେ ଭିଡ଼ କମାଇବା ପାଇଁ ବାଇକ୍ ପ୍ରବେଶକୁ ମନା କରାଯାଇଛି। କିନ୍ତୁ ଚୁଲିକୁ ଗଲାଣି ନିୟମ। ଲୋକ ମନଇଚ୍ଛା ପୁଣି ବାଇକ ଧରି ହାଟ ଭିତରକୁ ଯାଉଛନ୍ତି। ଶହ ଶହ ଗାଡ଼ି ହାଟ ଭିତରକୁ ଯାଉଥିବାରୁ ଭିଡ଼ ହୋଇଯାଉଛି। ବାଇକର ଅବାଧ ପ୍ରବେଶ ପାଇଁ ଦୋକାନ ଭିଡ଼ ହୋଇଯାଉଛି। ଫଳରେ ସାମାଜିକ ଦୂରତ୍ୱ ରହୁନାହିଁ। ପୁଲିସର ଯାଞ୍ଚ ହେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।
ବାରିକେଡ୍ ଲାଗିଥିବା ସ୍ଥାନରେ ଭିଡ଼ ଜମୁଛି
ରାଜଧାନୀରେ ଏକାଧିକ ଛକ ସ୍ଥାନରେ ଲାଗିଛି ବାରିକେଡ୍। ବିଶେଷକରି ମୁଖ୍ୟ ରାସ୍ତାରୁ ଗୋଟିଏ ଅଞ୍ଚ​ଳକୁ ଯିବା ପାଇଁ ଛକ ଜାଗାରେ ବାରିକେଡ୍ ଲଗାଯାଇଛି। ସନ୍ଧ୍ୟା ୭ଟାରୁ ଗାଡ଼ି ଚଳାଚଳ ନିଷେଧ ରହିଛି। ଏହା ପୂର୍ବରୁ ଘରମୁହାଁ ହେଉଛନ୍ତି ଲୋକ। ସେହି ବାରିକେଡ୍ ଲାଗିଥିବା ସ୍ଥାନରେ ଏକା ସାଙ୍ଗରେ ପ୍ରବଳ ସଂଖ୍ୟାରେ ଗାଡ଼ି ଯାଉଥିବାରୁ ଭିଡ଼ ହେଉଛି। ଯାହା ସାମଜିକ ଦୂରତ୍ୱ ଭାଙ୍ଗୁଛି। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ କଟକଣା ନ ଥିବାରୁ ବାରିକେଡକୁ ହଟାଇବା ପାଇଁ ଦାବି ହୋଇଛି।
ବାପୁଜୀନଗରରେ କାମ କରୁନି ସିଙ୍ଗଲ୍ ୱେ
ବାପୁଜୀନଗରରେ ଅଣ ଓସାରିଆ ରାସ୍ତା ହୋଇଥିବାରୁ ପାର୍କିଂ ନିୟମ ସହ କମିସନରେଟ୍‌ ପୁଲିସ ପକ୍ଷରୁ ସିଙ୍ଗଲ ୱେ ରାସ୍ତା ଘୋଷଣା କରାଯାଇଥିଲା। ଏଥିସହ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ଅର୍ଥାତ୍ ଯେଉଁ ରାସ୍ତାରେ ଗାଡ଼ି ପ୍ରବେଶ କରିବ, ସେହି ରାସ୍ତାରେ ପ୍ରସ୍ଥାନ କରିପାରିବ ନାହିଁ। ଯେଉଁ ରାସ୍ତାରେ ଗାଡ଼ି ପ୍ରସ୍ଥାନ କରିବ ସେହି ରାସ୍ତାରେ ପ୍ରବେଶ କରିପାରିବ ନାହିଁ ବୋଲି ନିୟମ କରାଯାଇଥିଲା। କିନ୍ତୁ ଏବେ ଗାଡ଼ି ଚଳାଚଳ ନିୟମ କୋହଳ ହୋଇଥିବାରୁ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଚାଲୁଛି। ବାପୁଜୀନଗରରେ ଅସମ୍ଭାଳ ଭିଡ଼ ହେଉଛି। ରାସ୍ତାରେ ଗାଡ଼ି ଯିବା ଆସିବା କରୁଥିବାରୁ ସାଂଘାତିକ ଟ୍ରାଫିକ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି। ଯାହା ଫଳରେ ସାମାଜିକ ଦୂରତ୍ୱ ଭଙ୍ଗ ହେଉଛି।
୪୯ ଦିନରେ ୧୯ ହଜାର ଗାଡ଼ି ଜବତ
ଲକ୍‌ଡାଉନ୍‌ ସମୟରେ ଆଇନ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ କମିସନରେଟ୍‌ ପୁଲିସ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାର୍ଚ୍ଚ ୨୪ ତାରିଖଠାରୁ ମେ’ ୧୨ (ଆଜି) ତାରିଖ ସୁଦ୍ଧା ୧୯ହଜାର ୩୨୩ ଗାଡ଼ିରୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ସେଥିରୁ ୯୯ ପ୍ରତିଶତ ବାଇକ୍ ବୋଲି ଜଣାପଡ଼ିଛି। ସେହିପରି ମାସ୍କ ନ ପିନ୍ଧି ସର୍ବସାଧାରଣ ସ୍ଥାନରେ ବୁଲିବା ଅଭିଯୋଗରେ ୬୨୬୦ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତ୍ୱ ଆଇନ ଉଲ୍ଲଂଘନ ଅଭିଯୋଗରେ ଗତ ୫ଦିନ ଭିତରେ ୩୦୯୭ଜଣଙ୍କଠାରୁ ଜରିମାନା ଆଦାୟ କରିଛି ପୁଲିସ। ସାମାଜିକ ଦୂରତ୍ୱ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିସନରେଟ୍‌ ପୁଲିସ ସୋସିଆଲ ଡିଷ୍ଟାନ୍ସ ସ୍କ୍ୱାର୍ଡ‌ ଗଠନ କରିଛି।

Share Now:

Kalinga News Beuro

Leave a Reply

Next Post

ପ୍ରସ୍ତୁତ ହେଉଛି ରେଳ‌ଷ୍ଟେସନ୍‌ : ଚାଲିଛି ବିଶୋଧନ, ସୁରକ୍ଷା ଉପରେ ଗୁରୁତ୍ୱ

Tue May 12 , 2020
ଭୁବନେଶ୍ୱର : କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରେଳ ଚଳାଚଳ। ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଯାତ୍ରୀଙ୍କ ମନରେ ଉତ୍ସାହ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ଟିକଟ ଘଣ୍ଟାଏରୁ କମ୍ ସମୟ ଭିତରେ ବିକ୍ରି ହୋଇ ଯାଇଛି। ୧୩ ତାରିଖ ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଟ୍ରେନ ଚାଲିବ। ଏହା ପୂର୍ବରୁ ଭୁବନେଶ୍ୱର ରେଳ […]

ଆହୁରି ପଢ଼ନ୍ତୁ