ଭୁବନେଶ୍ୱର: ରାଜଧାନୀର ସବୁ ଘର ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ ନମ୍ବର ମିଳିବ। ଏହି ନମ୍ବରକୁ ଗୁଗୁଲ୍ ମ୍ୟାପ୍ରେ ପକାଇଦେଲେ ଲୋକଙ୍କୁ ଆଉ ଘର ଠିକଣା ଖୋଜିବାକୁ ପଡ଼ିବନି। କେବଳ ଏତିକି ନୁହେଁ ବିଏମ୍ସି ପାଖରେ ଘରର ସବିଶେଷ ତଥ୍ୟ ରହିବ, ସେହି ଅନୁଯାୟୀ ହୋଲ୍ଡିଂ ଟିକସ ବି ଆଦାୟ କରିବ। ରାଜ୍ୟ ସରକାର ବି ଏହି ନମ୍ବର ମାଧ୍ୟମରେ ଘରର ସମ୍ପୂର୍ଣ୍ଣ ତଥ୍ୟ ରଖି ବିଭିନ୍ନ ସରକାରୀ ଯୋଜନାକୁ ରୂପାୟନ କରିପାରିବେ। ଏଥିପାଇଁ ଆଜି ବିଏମ୍ସି ଓ ନବଯୁଗ ସ୍ପେସାଲ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜିପର୍ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତି ସ୍ଵାକ୍ଷର ହୋଇଛି। ବିଏମ୍ସି ପକ୍ଷରୁ ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଏବଂ ନବଯୁଗ ପକ୍ଷରୁ ସଂସ୍ଥାର ଏଜିଏମ୍ ସମରେନ୍ଦ୍ର କୁମାର ସାହୁ ଚୁକ୍ତି ସ୍ଵାକ୍ଷର କରିଥିଲେ। ବିଏମ୍ସିର ସୂଚନା ଅନୁଯାୟୀ, ଏହି ସଂସ୍ଥା ଆସନ୍ତା ଜୁଲାଇ ୧ତାରିଖରୁ ଘର ନମ୍ବରିଂ କାମ ଆରମ୍ଭ କରିବ। ୫ମାସରେ ପୂରା ଭୁବନେଶ୍ୱରରେ ଘର ନମ୍ବରିଂ ହେବ। ଏଥିପାଇଁ ସଂସ୍ଥା ୧୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ। ଏଥିରେ ପୋଷ୍ଟାଲ୍ ପିନ୍କୋଡ୍ ଭଳି ଏକ ନମ୍ବର ମିଳିବ। ଭୁବନେଶ୍ୱର ପାଇଁ ଗୋଟେ କୋଡ୍, ଅଞ୍ଚଳ ପାଇଁ ଗୋଟେ କୋଡ୍, ଗଳି ପାଇଁ ଗୋଟେ କୋଡ୍, ଘର ପାଇଁ ଗୋଟେ କୋଡ୍ ରହିବ। ଏହିପରି ସବୁ କୋଡ୍କୁ ମିଶାଇ ୮ରୁ ୯ଅଙ୍କ ବିଶିଷ୍ଟ ଏକ ଡିଜିଟାଲ୍ ନମ୍ବର ଦିଆଯିବ। ନଭେମ୍ବର ଶେଷ ସୁଦ୍ଧା ସରିବାକୁ ଥିବା ଏହି ପ୍ରକଳ୍ପ ପାଇଁ ବିଏମ୍ସି ୩.୯୭କୋଟି ଟଙ୍କା ଖର୍ଚ୍ଚ କରିବ। ବିଏମ୍ସିର ୬୭ଟି ଯାକ ୱାର୍ଡରେ ଏହି ଘର ନମ୍ବରିଂ ହେବ। ବସ୍ତି ଅଞ୍ଚଳ ପାଇଁ ବି ଏହା ହେବ। ବିଏମ୍ସିର ସୂଚନା ଅନୁଯାୟୀ, ଏବେ ରାଜଧାନୀରେ ପ୍ରାୟ ୧ଲକ୍ଷ ୮୦ହଜାର ଆବାସିକ ଘର ଏବଂ ୪୦ହଜାର ବ୍ୟବସାୟିକ ପ୍ରତିଷ୍ଠାନକୁ ମିଶାଇ ପ୍ରାୟ ୨ଲକ୍ଷ ୨୦ହଜାର ଲୋକ ହୋଲ୍ଡିଂ ଟିକସ ଦେବାକୁ ଅଛନ୍ତି। ହେଲେ ବିଏମ୍ସି ମାତ୍ର ୧ଲକ୍ଷ ୪ହଜାର ଲୋକଙ୍କ ଠାରୁ ହୋଲ୍ଡିଂ ଟିକସ ଆଦାୟ କରୁଛି। ପ୍ରାୟ ୧ଲକ୍ଷ ୧୬ ହଜାର ଲୋକଙ୍କ ଠାରୁ ହୋଲ୍ଡିଂ ଟିକସ ଆଦାୟ ହୋଇପାରୁନି। ଡିଜିଟାଲ୍ ନମ୍ବରିଂ ହେଲେ ସମସ୍ତଙ୍କ ଠାରୁ ଟିକସ ଆଦାୟ ହେବ। ବିଏମ୍ସି ବି ଏବେ ଯେତିକି ଟିକସ ଆଦାୟ ହେଉଛି ତାହାଠାରୁ ୩୦କୋଟି ଅଧିକ ହୋଲ୍ଡିଂ ଟିକସ ପାଇବ। ଏପରିକି ଏହି ନମ୍ବର ଦ୍ୱାରା ଲୋକଙ୍କୁ ସବୁ ଯୋଜନାର ସୁବିଧା ସହଜରେ ଉପଲବ୍ଧ ହେବ।
