ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୨୦୧୯ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଇଥିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ରହିଥିବା ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ କେନ୍ଦ୍ରରେ କଂଗ୍ରେସ ସରକାରରେ ସେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ମଧ୍ୟ ଅଳଙ୍କୃତ କରିଛନ୍ତି। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ କ୍ୟବିନେଟରେ ସେ ଦେଶର ଅର୍ଥମନ୍ତ୍ରୀ ଥିଲେ ଏବଂ ପରେ ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସେ ୧୯୯୫ରୁ ୧୯୯୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିଲେ। ଆଜି ତାଙ୍କର ବିୟୋଗରେ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ରକ୍ତ ଟେଳାଟିକୁ ବାହାର କରିବାକୁ ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ। ଏହା ପରେ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା। ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲିଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆଜି ସକାଳେ ଅବନତି ଘଟିଥିଲା। ଏ ନେଇ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଡାକ୍ତରଖାନା ଅନୁଯାୟୀ, ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ମୁଖାର୍ଜୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୨୦ଦିନ ପରେ ବି ସେ କୋମାରେ ଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିଲା। ପ୍ରଣବଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Share Now:

Kalinga News Beuro

Next Post

ବନ୍ୟାଦୁର୍ଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା : ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା

Mon Aug 31 , 2020
ଭୁବନେଶ୍ବର: ବନ୍ୟା କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ମିଳିବ ୫୦୦ ଟଙ୍କା। ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ। ଏହାସହ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଂପ୍ରତିକ […]
ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial