ଭାରତ କବ୍‌ଜାରେ ପାଙ୍ଗଙ୍ଗ ସୋ’ର ୩ ଗୁରୁତ୍ୱପୂର୍ଣ୍ଣ ପର୍ବତ ଶିଖର

ଭାରତ କବ୍‌ଜାରେ ପାଙ୍ଗଙ୍ଗ

ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ ସେନା ସହ ପୁଣି ଥରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ବେଳେ ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଅତି କମ୍‌ରେ ତିନିଟି ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରରେ ଭାରତୀୟ ଯବାନମାନେ ଆସ୍ଥାନ ଜମାଇ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ହିମାଳୟର ଅତ୍ୟୁଚ୍ଚ ସ୍ଥାନରେ ଅବସ୍ଥିତ ଏହି ପାଙ୍ଗଙ୍ଗ ସୋ’ ହ୍ରଦ ଇଲାକା ଭାରତୀୟ ନିୟନ୍ତ୍ରଣ ସୀମା ଭିତରେ ରହିଛି। ସୁତରାଂ ଏଭଳି ଉଚ୍ଚ ସ୍ଥାନରେ ନିଜର ଯବାନମାନଙ୍କୁ ଅବସ୍ଥାପିତ କରି ଭାରତ ଏକ ସୁବିଧାଜନକ ସ୍ଥିତିରେ ରହିଛି। ଏହି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଭାରତୀୟ ସେନା ନିଜର ସ୍ଥିତି ସୁଦୃଢ଼ କରି ଚୀନ ସେନାର ଯାବତୀୟ ଗତିବିଧିକୁ ଠଉରେଇ ପାରୁଛି। ତେଣୁ ଏଥିରେ ବିଶୃଙ୍ଖଳା ସୃଷ୍ଟି କରି କୌଣସିମତେ ଭାରତୀୟ ଉପସ୍ଥିତିକୁ ସେଠାରୁ ହଟାଇବା ପାଇଁ ଚୀନ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ସେଠାରେ ଅତିକ୍ରମଣ ଉଦ୍ୟମ ଚଳାଇଛନ୍ତି। ତେବେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଲଗାତାର ତିନି ଦିନ ଧରି ଦ୍ବିପାକ୍ଷିକ ସାମରିକ ଅଧିକାରୀସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
ସୂଚନା ଥାଉ କି, ଗତ ମେ ମାସରୁ ଚୀନ ସୈନିକମାନଙ୍କର ପ୍ରକୃତ ନିୟନ୍ତ୍ରଣ ରେଖା ଟପି ଭାରତୀୟ ସୀମା ପଟକୁ ଅତିକ୍ରମଣ ଉଦ୍ୟମ ପରଠାରୁ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ଜୁନ୍‌ ୧୫ ତାରିଖ ରାତିର ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଏସିଆ ମହାଦେଶର ଏହି ଦୁଇ ବୃହତ୍‌ ଶକ୍ତି ମଧ୍ୟରେ ରହିଥିବା ସମ୍ପର୍କରେ ଘୋର ଅବନତି ଘଟିଛି। ତେବେ ସ୍ବାଭାବିକତା ଫେରାଇ ଆଣିବା ଲାଗି ନୂଆଦିଲ୍ଲୀ ଓ ବେଜିଂ ପ୍ରଶାସନ ସୀମାର ବିଭିନ୍ନ ଉତ୍ତେଜନା ସ୍ଥଳୀକୁ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତ ହୋଇଥିଲେ ହେଁ ଚୀନ ସୈନିକମାନେ ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଦୁଇ ଦୁଇ ଥର ଅତିକ୍ରମଣ ଉଦ୍ୟମ କରି ଦ୍ବିପାକ୍ଷିକ କଥାବାର୍ତ୍ତାର ଉଲ୍ଲଂଘନ କରିଛନ୍ତି।

Share Now:

Kalinga News Beuro

Next Post

ଓଟିଡିସିର ‘ବଣଭୋଜି’: ନନ୍ଦନକାନନ ଧଳାବାଘ ‘ସ୍ପନ୍ଦନ’ର ଭରଣ‌ପୋଷଣ କରିବ ପର୍ଯ୍ୟଟନ ବିଭାଗ

Fri Sep 4 , 2020
ଭୁବନେଶ୍ୱର : ବଣଭୋଜି କରିବା ପାଇଁ ଏଣିକି ଆଉ ସମସ୍ତ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ। ‌ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ପ୍ରଥମେ ପର୍ଯ୍ୟଟନ ବିଭାଗ ଦ୍ବାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନସ୍ଥଳରେ ଏ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଖାଣ୍ଟି ଓଡ଼ିଆ ଖାଦ୍ୟ ସାଙ୍ଗକୁ ବରାଦ ମୁତାବକ ଖାଦ୍ୟ ଭେଟି ଦିଆଯିବ। ଓଟିଡିସିର ୪୧ତମ […]
ଓଟିଡିସି ଆରମ୍ଭ କରିବ ‘ବଣଭୋଜି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial