ଜାତୀୟ କଂଗ୍ରେସର ନୂଆରୂପ : ଚେଲ୍ଲା କୁମାର ଓଡ଼ିଶା ପ୍ରଭାରୀ,ଭକ୍ତ ଦାସଙ୍କୁ ମିଜୋରାମ୍‌, ମଣିପୁର ଦାୟିତ୍ବ

କଂଗ୍ରେସରେ ପୁନର୍ବିନ୍ୟାସ

ସିଡବ୍ଲ୍ୟୁସିରୁ ବାଦ‌ପଡ଼ିଲେ ରାମ ଖୁଣ୍ଟିଆ,ପଦ ହରାଇଲେ ଆଜାଦ, ଭୋରା, ଖଡ୍‌ଗେ

ନୂଆଦିଲ୍ଲୀ/ଭୁବନେଶ୍ୱର : କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଗତକାଲି ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଛନ୍ତି। ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲା କୁମାରଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି। ଏହାସହିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ସଦସ୍ୟ ଓ ତେଲେଙ୍ଗାନା ପ୍ରଭାରୀ ଥିବା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ବାଦ୍‌ ଦିଆଯାଇଛି। ଅନ୍ୟପକ୍ଷରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ପ୍ରଭାରୀ ଭାବେ ଦାୟିତ୍ବ ମିଳିବା ସହ ସିଡବ୍ଲୁସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାର ପ୍ରଭାରୀ ଦାୟିତ୍ବ ନେଇଥିବା ଜିତେନ୍ଦ୍ର ସିଂହକୁ ଆସାମ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ଓଡ଼ିଶାର ନୂଆ ପ୍ରଭାରୀ ଦାୟିତ୍ବ ପାଇଥିବା ଚେଲ୍ଲା କୁମାର ୨୦୧୯ ନିର୍ବାଚନରେ ତାମିଲନାଡ଼ୁର କ୍ରିଷନଗିରି ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ଜଣେ ଦକ୍ଷ ସଂଗଠକ ଭାବେ ତାମିଲନାଡ଼ୁରେ ତାଙ୍କର ଖ୍ୟାତି ରହିଛି।
ଅନ୍ୟପକ୍ଷରେ ଓଡ଼ିଶାର ପ୍ରବୀଣ କଂଗ୍ରେସ ନେତା ଭକ୍ତ ଦାସ ଏଆଇସିସି ସଭାନେତ୍ରୀଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି। ସେଥିପାଇଁ ତାଙ୍କୁ ଦୁଇଟି ରାଜ୍ୟର ସଂଗଠନ ସମ୍ଭାଳିବା ପାଇଁ ଏଆଇସିସି ସଭାନେତ୍ରୀ ମନୋନୀତ କରିଛନ୍ତି। ଏହି ଦାୟିତ୍ବ ପାଇବା ପରେ ଶ୍ରୀ ଦାସ କହିଛନ୍ତି, “କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଶ୍ରୀମତୀ ଗାନ୍ଧି ଯେଉଁ ଦା‌ୟିତ୍ବ ଦେଇଛନ୍ତି, ତାହା ନିଷ୍ଠାର ସହ ପାଳନ କରିବି।”
ସେପଟେ ସୋନିଆଙ୍କ ନୂଆ ଟିମ୍‌ରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ମୋତିଲାଲ ଭୋରା, ଅମ୍ବିକା ସୋନି ଏବଂ ମଲିକାର୍ଜୁନ ଖଡ଼ଗେଙ୍କୁ ସାଧାରଣ ସଂପାଦକ ପଦରୁ ହଟାଇ ଦିଆଯାଇଛି। ଏହାସହିତ ୯ ନୂଆ ସାଧାରଣ ସଂପାଦକଙ୍କୁ ନିଯୁକ୍ତି ମିଳିଥିବା ବେଳେ କଂଗ୍ରେସ କାର୍ଯ୍ୟକାରିଣୀରେ କେତେକ ପରିବର୍ତନ ମଧ୍ୟ କରାଯାଇଛି। ସୋନିଆ ତାଙ୍କୁ ପରାମର୍ଶ ଦେବାଲାଗି ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଗାନ୍ଧି ପରିବ‌ାରକୁ ଟାର୍ଗେଟ କରି ଗତ ମାସ ସୋନିଆଙ୍କୁ ୨୩ ଜଣ ନେତାଙ୍କ ‘ପତ୍ର ବୋମା’ ପରେ ଏଭଳି ପୁନର୍ଗଠନ କରାଯାଇଛି। ଯେଉଁ ନେତା ଏହି ପତ୍ରରେ ଦସ୍ତଖତ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଗୁଲାମ ନବୀ ଆଜାଦ। ତେବେ ଆଜାଦଙ୍କୁ କାର୍ଯ୍ୟକାରୀ କମିଟିରେ ରଖାଯାଇଛି। ଅନ୍ୟତମ ଅସନ୍ତୁଷ୍ଟ ନେତା ଜୀତିନ ପ୍ରସାଦଙ୍କୁ କାର୍ଯ୍ୟକାରିଣୀରେ ସ୍ଥାୟୀ ନିମନ୍ତ୍ରିତ ସଭ୍ୟ କରାଯାଇଛି। ପ୍ରସାଦଙ୍କୁ ସାଧରଣ ସଂପାଦକ ମଧ୍ୟ ନିଯୁକ୍ତ କରାଯାଇଛି ଏବଂ ପଶ୍ଚିମ ବଙ୍ଗ ଦାୟିତ୍ବ ଦିଆଯାଇଛି। ପ୍ରିୟଙ୍କାଙ୍କୁ ସାଧରଣ ସଂପାଦକ ନିଯୁକ୍ତ କରାଯିବା ସହିତ ଉତ୍ତର ପ୍ରଦେଶ ଦାୟିତ୍ବ ଦିଆଯାଇଛି।
ଅନ୍ୟତମ ଅସନ୍ତୁଷ୍ଟ ନେତା ମୁକୁଲ ୱାସନିକଙ୍କୁ ସାଧାରଣ ସଂପାଦକ କରାଯାଇ ମଧ୍ୟ ପ୍ରଦେଶ ଦାୟିତ୍ବ ଦିଆଯାଇଛି। ସୋନିଆଙ୍କୁ ସହାୟତା କରିବା ଲାଗି ଗଠିତ ୬ ଜଣିଆ କମିଟିରେ ମଧ୍ୟ ସେ ସ୍ଥାନ ପାଇଛନ୍ତି। କମିଟିରେ ଥିବା ଅନ୍ୟ ସଭ୍ୟମାନେ ହେ‌େଲ ଏକେ ଆଣ୍ଟୋନି, ଅହମଦ ପଟେଲ, ଅମ୍ବିକା ସୋନି, କେସି ବେଣୁଗୋପାଳ ଏବଂ ରଣଦୀପ ସିଂହ ସୂର୍ଯେୱାଲା। ଆଜିର ପୁନର୍ବିନ୍ୟାସରେ ସବୁଠୁ ବେଶି ଲାଭବାନ ହୋଇଛନ୍ତି ସୂର୍ଯେୱାଲା। ତାଙ୍କୁ ସାଧାରଣ ସଂପାଦକ ନିଯୁକ୍ତ କରାଯିବା ସହିତ ସ୍ବତନ୍ତ୍ର କମିଟିର ସଭ୍ୟ ପଦ ମଧ୍ୟ ମିଳିଛି। ସେ ଦଳର ମୁଖ୍ୟ ମୁଖପାତ୍ର ହୋଇ ରହିବେ।

Share Now:

Kalinga News Beuro

Next Post

ଓଡିଶାରୁ ଗୁଜରାଟକୁ ଆଜିଠୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍‌

Sat Sep 12 , 2020
ଭୁବନେଶ୍ୱର : ଶନିବାରଠାରୁ ଓଡ଼ିଶାରୁ ଗୁଜରାଟକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେଉଛି। ମିଳିଥିବା ସୂଚନା ଅନୂଯାୟୀ ଖୋର୍ଦ୍ଧା ରୋଡ‌ରୁ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ଶନିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ ଏବଂ ଅହମଦାବାଦଠାରୁ ସେପ୍ଟେମ୍ବର ୧୪ରୁ ପ୍ରତି ସୋମବାର, ଗୁରୁବାର, ଶନିବାର ଓ ରବିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ। ସେହିପରି ଖୋର୍ଦ୍ଧା ରୋଡ଼ରୁ ସେପ୍ଟେମ୍ବର ୧୩ରୁ ପ୍ରତି ରବିବାର ପୂର୍ବାହ୍ନ ୧୦ଟା ୪୦ରେ ଛାଡିବ […]
ଆଜିଠୁ ଗୁଜରାଟକୁ ସ୍ୱତନ୍ତ୍ର ଟ୍ରେନ୍‌

ଆହୁରି ପଢ଼ନ୍ତୁ