କୋମାରେ ବାଲିପାଟଣା ଉଦ୍ୟାନ ବିଭାଗ : ଚାଷୀଙ୍କ ପାଖରେ ପହଞ୍ଚୁନି ସହାୟତା

ବାଲିପାଟଣା ଉଦ୍ୟାନ ବିଭାଗ

ବାଲିପାଟଣା : ଉଦ୍ୟାନ ବିଭାଗ ପକ୍ଷରୁ ମାଳ ମାଳ ଯୋଜନାରେ ଚାଷୀଙ୍କ ପାଇଁ ସହାୟତା ଆସୁଛି। କିନ୍ତୁ ଉପଯୁକ୍ତ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ସବୁ ସହାୟତା। ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ଉଦାସୀନତା କାରଣରୁ ଏହି ବ୍ଲକର ବହୁ ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପାନ ଓ ଛତୁ ଚାଷ ଭଳି ଅର୍ଥକରୀ ଚାଷଠାରୁ ଆରମ୍ଭ କରି ପରିବା ଚାଷ ପର୍ଯ୍ୟନ୍ତ ବହୁ ଲାଭଜନକ ଚାଷ ପାଇଁ ସରକାରୀ ଯୋଜନା ରହିଥିଲେ ହେଁ, ଚାଷୀମାନେ ଉପକୃତ ହୋଇପାରୁନାହାନ୍ତି। ମନେରଗା ଯୋଜନା ସମେତ ରିହାତି ଦରରେ ବିହନ ଓ ଯନ୍ତ୍ରାଂଶ ଆଦି ମିଳୁଥିଲେ ମଧ୍ୟ ମାତ୍ର କିଛି ଚାଷୀ ସେଥିରୁ ଫାଇଦା ଉଠାଇ ପାରୁଛନ୍ତି। ମୁହଁଚାହାଁ ନୀତି ପାଇଁ ମାତ୍ର କିଛି ହାତଗଣତି ଚାଷୀ ଉପକୃତ ହେଉଥିଲେ ହେଁ ବହୁ ଯୁବ ଚାଷୀ ତଥା ଉଦ୍ୟୋଗୀଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି। କିନ୍ତୁ ଏଠାରେ କେବେ ବି ଜ୍ଞାନ କୌଶଳ ସମ୍ପର୍କିତ କର୍ମଶାଳା ହେଉନାହିଁ କି ଚାଷୀମାନଙ୍କୁ ନେଇ ସଚେତନ କରାଯାଉନାହିଁ। ପୁରୁଣା ପାରମ୍ପରିକ ପଦ୍ଧତିରେ ଚାଷୀମାନେ ଚାଲିଛନ୍ତି। ସରକାରଙ୍କ ତରଫରୁ ଉଦ୍ୟାନ ବିଭାଗକୁ ଅନେକ ଯୋଜନା ଆସୁଛି। କିନ୍ତୁ ବିଭାଗୀୟ କର୍ମଚାରୀମାନେ ସେସବୁକୁ ହରିଲୁଟ କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀଙ୍କ ବଦଳରେ ସହାୟତା ସବୁ ଭୂତ ଖାଉଥିବା ସାଧାରଣରେ ଆଲୋଚନା ହେଉଛି। ପାନ ବରଜ ପାଇଁ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ପ୍ରତି ବରଜରେ ନିୟୋଜିତ ହେଉଥିବା ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ତୁରିନ୍ତିରା, କୁରଞ୍ଜିପୁର, ଦେଉଳିଧରପୁର, ନରିଶୋ ପଞ୍ଚାୟତର ପାନ ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତର ୨୫ ଜଣ ହିସାବ‌ରେ ୫ ପଞ୍ଚାୟତର ମୋଟ ୧୨୫ ଚାଷୀଙ୍କୁ ମୁଣ୍ଡ ପିଛା ବାର୍ଷିକ ୧ ଲକ୍ଷ ୨୪ ହଜାର ଟଙ୍କା ବାର୍ଷିକ ଅର୍ଥ ଅନୁଦାନ ପ୍ରଦାନ କରାଯାଉଛି। କିନ୍ତୁ ଅଭିଯୋଗ ଅନୁସାରେ ଆହୁରି ଅଧିକ କିଛି ଚାଷୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେହିପରି ଚାଷୀଙ୍କ ପାଇଁ ଆସିଥିବା ୩ ହଜାର ପରିବା କିଟ୍ ବଣ୍ଟନରେ ମଧ୍ୟ ପାତରଅନ୍ତର ନୀତି ଅବଲମ୍ବନ କରାଯାଇଥିବା ଅଭିଯୋଗ ହେଉଛି। ମୂଳା, ଭେଣ୍ଡି, ଧନିଆ ଏମିତି ୧୨ ପ୍ରକାରର ପରିବା ମଞ୍ଜି କିଟ୍‌ ଆସିଥିଲା। ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚଙ୍କ ମାଧ୍ୟମରେ ଉକ୍ତ କିଟ୍‌ ବଣ୍ଟା ଯାଇଛି। ଦେଢ଼ ହଜାର କିଟ୍‌ ବଣ୍ଟା ଯାଇଛି ବୋଲି ଉଦ୍ୟାନ ବିଭାଗ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ କହିଛନ୍ତି। ଅବଶିଷ୍ଟ କିଟ୍‌ ବଣ୍ଟନ କରାଯାଇନାହିଁ। ବନ୍ୟା ପରେ ଚାଷୀମାନେ ପନିପରିବା ଚାଷ ପାଇଁ ଅପେକ୍ଷା କରିଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ କିଟ୍‌ ସବୁ ସେମିତି ପଡ଼ି ରହିଛି। ଚାଷୀମାନେ କିଟ୍‌ ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଖୋଜୁଥିଲେ ମଧ୍ୟ ସେମାନଙ୍କ ଦେଖାଦର୍ଶନ ମିଳୁନଥିବା ଅଭିଯୋଗ କରୁଛନ୍ତି। ୪ ଶହ ବର୍ଗମିଟର ଜମିରେ ଲତା ଜାତୀୟ ପରିବା ଫସଲ ପାଇଁ ଜଣେ ଚାଷୀ ପିଛା ୧୨ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି। ସେହିପରି ଛତୁ ଚାଷ ପାଇଁ ଚାଷୀ ମୁଣ୍ଡ ପିଛା ୭୨ ହଜାର ଟଙ୍କାର ସହାୟତା ମିଳୁଛି। ସେଥିରେ ପୁଣି ୫୦% ରିହାତି ବ୍ୟବସ୍ଥା ଅଛି। ସୂଚନାନୁସାରେ ଏହି ଯୋଜନାରେ ୮୦ ଜଣ ଚାଷୀ ସହାୟତା ପାଇବା କଥା। ମାତ୍ର ଏ ପର୍ଯ୍ୟନ୍ତ କେବଳ ୧୦/୧୨ ଜଣ ଚାଷୀ ଏହି ଯୋଜନାରୁ ଲାଭବାନ ହୋଇଛନ୍ତି। ଅବଶିଷ୍ଟ ଚାଷୀମାନଙ୍କୁ ଏ ଯୋଜନା‌ରେ ସାମିଲ୍ କରାଯାଇନଥିବା ବାବଦରେ ବିଭାଗୀୟ ଅଧିକାରୀଙ୍କ କହିବା କଥା ଯେ ବହୁ ଚାଷୀ ନାଁ ଦେଇ ପରେ ଆଗ୍ରହ ପ୍ରକାଶ କରୁନାହାନ୍ତି। କିନ୍ତୁ ଚାଷୀମାନଙ୍କ ଅଭିଯୋଗ ଭିନ୍ନ। ଏସବୁ ଯୋଜନା ବାବଦରେ କିଛି ସୂଚନା ନଥିବାରୁ ସେମାନେ ଜାଣିବା ସମ୍ଭବ ‌ହେଉନାହିଁ ବୋଲି ସେମାନେ କହୁଛନ୍ତି।
ଦୁଃଖ ଓ ପରିତାପର କଥା ଯେ ବାଲିପାଟଣା ବ୍ଲକରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଅଛି କି ନାହିଁ ଲୋକେ ତାହା ଜାଣି ପାରୁନାହାନ୍ତି। ବାତ୍ୟା ଫନିରେ ଉକ୍ତ କାର୍ଯ୍ୟଳୟର ଘର ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି। ବ୍ଲକ ତରଫରୁ ଅନୁକମ୍ପା ମୂଳକଭାବେ ଗୋଟିଏ ଘର ଯୋଗାଇ ଦିଆଯାଇଛି। ତାହା ଅଧିକାଂଶ ଦିନ ବନ୍ଦ ରହୁଥିବାରୁ ଗାଁ ଗହଳରୁ ଦୂରଦୁରାନ୍ତରୁ ଆସୁଥିବା ଚାଷୀମାନେ ହତାଶ ହୋଇ ଫେରୁଛନ୍ତି। ଉକ୍ତ ଘର ଅବସ୍ଥା ମଧ୍ୟ ଶୋଚନୀୟ। ଘର ସାମ୍ନାରେ ଲତାବୁଦା ଓ ଅନାବନା ଗଛ ଭର୍ତି ହୋଇରହିଛି। ଏଥିସହିତ ବହୁ ସମୟରେ କର୍ମଚାରୀମାନେ ଏହି କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଏକ ସାଧାରଣ ଘଟଣା ହୋଇଯାଇଛି। କ୍ଷେତ୍ର ପରିଦର୍ଶନର ଆଳ ଦେଖାଇ କର୍ମଚାରୀମାନେ ଅନୁପସ୍ଥିତ ରହୁଛନ୍ତି ବୋଲି ଅଭିଯୋଗ ହେଉଛି। ସେହିଭଳି ବିଭାଗୀୟ ଅଧିକାରୀ ଭୁବନେଶ୍ୱରରେ ୩ ଦିନ ଏବଂ ବାଲିପାଟଣା ବ୍ଲକରେ ୩ ଦିନ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଏଭଳି ସମସ୍ୟା ମଧ୍ୟ ଉପୁଜିଛି। ବଡ଼ କଥା ହେଉଛି, ଉଦ୍ୟାନ ବିଭାଗ ଅନ୍ତର୍ଭୁକ୍ତ ଚାଷୀମାନଙ୍କୁ ନେଇ କୌଣସି ଦିନ କର୍ମଶାଳା ହୋଇଥିବା କେହି ଦେଖିନାହାନ୍ତି। ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଶିକ୍ଷା ଦେବା ଓ ସରକାରୀ ଯୋଜନା ବାବଦରେ ସଚେତନ କରିବା ଭଳି କାର୍ଯ୍ୟକ୍ରମ କେବେ ବି ହେଉନଥିବା ଅଭିଯୋଗ ହେଉଛି। ତେଣୁ ବାଲିପାଟଣା ଉଦ୍ୟାନ ବିଭାଗ କୋମାରେ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ବ୍ଲକର ୧୭ଟି ପଞ୍ଚାୟତରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ମାତ୍ର ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚୁନଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି।

Share Now:

Kalinga News Beuro

Next Post

ଓକିଲଙ୍କ ଫିସ୍‌ ଦେବାକୁ ଅଳଙ୍କାର ବିକିଲେ ଅନିଲ ଅମ୍ବାନୀ

Sat Sep 26 , 2020
ଲଣ୍ଡନ: ଶୁକ୍ରବାର ଦିନ ଲଣ୍ଡନ ଅଦାଲତରେ ଋଣୀ ଉଦ୍ୟୋଗୀ ଅନୀଲ ଅମ୍ବାନୀ କହିଛନ୍ତି ଯେ, ସେ ସରଳ ଜୀବନଯାପନ କରୁଛନ୍ତି, ଗୋଟିଏ ମାତ୍ର କାର୍ ଚଳାଉଛନ୍ତି ଏବଂ ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକ୍ରୟ କରି ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୦ ଜାନୁଆରି ରୁ ଜୁନ୍ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯. ୯ କୋଟି ଟଙ୍କା ପାଇଥିଲେ। ଏବେ ତାଙ୍କ ପାଖରେ […]
ଅନୀଲ ଅମ୍ବାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial