କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ

ରାମ ବିଳାସ ପାଶ୍ୱାନଙ୍କ ପରଲୋକ

ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ନୂଆଦିଲ୍ଲୀ : କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ତଥା ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି)ର ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ(୭୪)ଙ୍କର ଆଜି ପରଲୋକ ଘଟିଛି। ସେ ଗୁରୁତର ଅସୁସ୍ଥ ଥିଲେ ଏବଂ ଗତ ଶନିବାର ସନ୍ଧ୍ୟାରେ ତାଙ୍କ ହୃତ୍‌ପିଣ୍ଡରେ ଅସ୍ତ୍ରୋପଚାର ହୋଇଥିଲା। ଗତକାଲି ସ୍ବାସ୍ଥ୍ୟାବସ୍ଥା ଅତି ଉଦ୍‌ବେଗଜନକ ଥିଲା। ଆଜି ନୂଆଦିଲ୍ଲୀସ୍ଥିତ ଫର୍ଟିସ ଏସ୍‌କର୍ଟ ହସ୍ପିଟାଲରେ ପାଶ୍ବାନ ଶେଷ ନିଶ୍ବାସ ତ୍ୟାଗ କରିଥିବା ତାଙ୍କ ପୁଅ ଚିରାଗ ପାଶ୍ବାନ୍‌ ଟ୍ବିଟ୍‌ କରି ଜଣାଇଛନ୍ତି।
ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ଥିବା ପାଶ୍ବାନ ଦେଶର ଜଣେ ପ୍ରମୁଖ ଦଳିତ ନେତା ଥିଲେ। ନିଜର ପ୍ରଭାବ ବଳରେ ସେ ଭି.ପି. ସିଂହଙ୍କଠୁ ନେଇ ଏଚ୍‌ଡି ଦେବଗୌଡ଼ା, ଆଇ.କେ. ଗୁଜରାଲ୍‌, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ସ୍ଥାନ ପାଇବାର ବିରଳ ଗୌରବ ଅର୍ଜନ କରିଛନ୍ତି। ୧୯୪୬ ଜୁଲାଇ ୫ରେ ଜନ୍ମିତ ପାଶ୍ବାନ ପ୍ରଥମ ଥର ପାଇଁ ୧୯୬୯ରେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜନାରାୟଣ ଏବଂ ଜୟପ୍ରକାଶ ନାରାୟଣଙ୍କ ଜଣେ ଦୃଢ ଅନୁଗାମୀ ଭାବେ ଜଣାଶୁଣା ପାଶ୍ବାନ ୧୯୭୪ରେ ଲୋକଦଳର ସାଧାରଣ ସମ୍ପାଦକ ହୋଇଥିଲେ। ୧୯୭୫ରେ ଜରୁରୀ ପରିସ୍ଥିତି ସମୟରେ ପାଶ୍ବାନ ଗିରଫ ହୋଇ ଜେଲ୍‌ରେ ଥିଲେ। ୧୯୭୭ରେ ଜେଲ୍‌ରୁ ଖଲାସ ହେବାପରେ ସେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ସଂସଦକୁ ଯାଇଥିଲେ। ସର୍ବାଧିକ ଭୋଟ ବ୍ୟବଧାନରେ ଲୋକସଭା ନିର୍ବାଚନ ଜିତି ପାଶ୍ବାନ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ। ୧୯୮୦ ଏବଂ ୧୯୮୪ରେ ସେ ହାଜିପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୮୩ରେ ପାଶ୍ବାନ ‘ଦଳିତ ସେନା’ ନାମରେ ଏକ ସଂଗଠନ ତିଆରି କରି ଦଳିତଙ୍କ କଲ୍ୟାଣ ପାଇଁ ଅଭିଯାନ ଆରମ୍ଭ କରିଥିଲେ। ପରେ ଏହା ‘ଅନୁସୂଚିତ ଜାତି ସେନା’ ନାମରେ ନାମିତ ହୋଇଥିଲା। ଏହାପରେ ପାଶ୍ବାନ ପୁଣିଥରେ ୧୯୮୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ବିଶ୍ବନାଥ ପ୍ରତାପ ସିଂହଙ୍କ ସରକାରରେ ଶ୍ରମ ଓ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୬ରେ ପାଶ୍ବାନ କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ଅକ୍ଟୋବର ୧୯୯୯ ରୁ ସେପ୍‌ଟେମ୍ବର ୨୦୦୦ ଯାଏ ସେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଥିଲେ। ୨୦୦୧ରୁ ୨୦୦୨ ଏପ୍ରିଲ ଯାଏ ସେ କୋଇଲା ମନ୍ତ୍ରାଳୟର ଦାୟିତ୍ବରେ ଥିଲେ। ୨୦୦୦ରେ ପାଶ୍ବାନ ଜନତା ଦଳ ଛାଡ଼ି ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ଗଠନ କରିଥିଲେ। ୨୦୦୪ରେ ପାଶ୍ବାନ ୟୁପିଏ ସରକାରରେ ଯୋଗଦେଇ ସାର ଓ ରସାୟନ ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ପାଶ୍ବାନ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ୨୦୧୪ ନିର୍ବାଚନରେ ପାଶ୍ବାନ ହାଜିପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ନରେନ୍ଦ୍ର ମୋଦୀ ସରକାରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ମୋଦୀ ସରକାରରେ ଦ୍ବିତୀୟ ପାଳିରେ ମଧ୍ୟ ସେ ଏହି ମନ୍ତ୍ରାଳୟ ଦାୟିତ୍ବରେ ଥିଲେ। ପାଶ୍ବାନ ୧୯୬୦ରେ ରାଜକୁମାରୀ ଦେବୀଙ୍କୁ ବିବାହ କରିଥିଲେ। ୧୯୮୧‌ ମସିହାରୁ ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ନେଇ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଘଟ କରିଥିଲେ। ପାଶ୍ବାନଙ୍କ ପ୍ରଥମ ପତ୍ନୀଙ୍କର ଦୁଇ ଝିଅ ଥିଲାବେଳେ ଦ୍ବିତୀୟ ପତ୍ନୀ ରୀନା ଶର୍ମାଙ୍କ ପକ୍ଷରୁ ପୁତ୍ର ଚିରାଗ ପାଶ୍ବାନ ଏବଂ ଜଣେ ଝିଅ ଅଛନ୍ତି। ପୁତ୍ର ଚିରାଗ ବର୍ତ୍ତମାନ ଏଲ୍‌ଜେପିର ମୁଖ୍ୟ ଅଛନ୍ତି। ପାଶ୍ବାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ପାଶ୍ବାନଙ୍କ ବିୟୋଗରେ ଦେଶ ଜଣେ ଦୂରଦ୍ରଷ୍ଟା ନେତାଙ୍କୁ ହରାଇଛି। ଦଳିତ ଏବଂ ଅବହେଳିତମାନଙ୍କର କଲ୍ୟାଣ ଦିଗରେ ସେ ଅହରହ କାମ କରୁଥିଲେ ଏବଂ ସେମାନଙ୍କ ସ୍ବର ପାଲଟିଥିଲେ‌ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ପାଶ୍ବାନଙ୍କ ବିୟୋଗରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହା ପୂରଣ ହେବା ସମ୍ଭବ ନୁହେଁ। ମୁଁ ଜଣେ ବନ୍ଧୁଙ୍କୁ ହରାଇଲି ଏବଂ ଏହା ମୋ’ ପାଇଁ ବ୍ୟକ୍ତିଗତ କ୍ଷତି। ଗରିବଙ୍କୁ ନ୍ୟାୟ ଦେବା ପାଇଁ ସେ ସର୍ବଦା ନିଷ୍ଠାର ସହ କାର୍ଯ୍ୟ କରୁଥି‌ଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପାଶ୍ବାନଙ୍କ ବିୟୋଗରେ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀ, ସାଂସଦ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ମିଠା ବ୍ୟବସାୟୀ ହତ୍ୟା ମାମଲା : ଆତ୍ମସମର୍ପଣ କଲା ଅଭିଯୁକ୍ତ ରାଜକିଶୋର

Fri Oct 9 , 2020
ବେପାର କମିବାରୁ ସୁପାରି ଦେଇ ହତ୍ୟା ଭୁବନେଶ୍ୱର : ରାଜଧାନୀରେ ଚର୍ଚ୍ଚିତ ସାମନ୍ତରାପୁର ମିଠା ବ୍ୟବସାୟୀ ଜମ୍ବୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗତକାଲି ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛି। ବଳରାମ ସୁଇଟ୍ସ ମାଲିକ ପୁଅ ରାଜକୁମାର ବେହେରା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେଣୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅଧିକ ତଦନ୍ତ ପାଇଁ ତାକୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ […]
ମିଠାଦୋକାନୀ ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial