ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗ ପ୍ରତିକାର ଏବଂ ଚିକିତ୍ସାରେ ଆୟୁର୍ବେଦୀୟ ଉପଚାରକୁ ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସମର୍ଥନ କରିବା ସହ ସେଥିରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ପ୍ରଶଂସା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଜଣେ ବ୍ୟକ୍ତି ପଚାରିଥିଲେ- କୋଭିଡ୍-୧୯ ଚିକିତ୍ସା ଲାଗି ଆୟୁର୍ବେଦ ଔଷଧରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ସାମର୍ଥ୍ୟ ପ୍ରମାଣିତ ହୋଇ ନ ଥିଲେ ବି କାହିଁକି ବିଭିନ୍ନ ଦାବି ନେଇ ଆୟୁର୍ବେଦୀୟ ଚିକିତ୍ସାର ପ୍ରଚାର କରାଯାଉଛି। ଏହାର ଉତ୍ତର ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ, ରୋଗ ପରିଚାଳନା କ୍ଷେତ୍ରରେ ଆୟୁର୍ବେଦର ସାମଗ୍ରିକ ଉପସ୍ଥାପନା ଅଛି। ଏଥିରେ କୌଣସି ରୋଗ ଚିକିତ୍ସା କରିବା ଏବଂ ତାହାର ନିରାକରଣ କରିବା ନିମନ୍ତେ ସାମଗ୍ରିକ ସୁସ୍ଥତା ଉପରେ ଧ୍ୟାନ ଦିଆଯାଏ। ତେଣୁ, ସିଲିକୋ ଅଧ୍ୟୟନ, ପରୀକ୍ଷାମୂଳକ ଅଧ୍ୟୟନ ଏବଂ ନୈଦାନିକ ପରୀକ୍ଷା ଭଳି ବିଜ୍ଞାନଭିତ୍ତିକ ଅଧ୍ୟୟନ ସମେତ ଆୟୁର୍ବେଦ ଶାସ୍ତ୍ରର ଗଭୀର ଅଧ୍ୟୟନ ପରେ କୋଭିଡ୍-୧୯ ବିପକ୍ଷରେ ସତର୍କତାମୂଳକ ଚିକିତ୍ସା ଭାବେ ମିଶ୍ରିତ ଆୟୁର୍ବେଦ ଔଷଧ ଅନୁମୋଦନ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ମହାମାରୀ ସମୟରେ ଲୋକମାନଙ୍କର ସ୍ବାସ୍ଥ୍ୟ ବୃଦ୍ଧି ଏବଂ ଆବଶ୍ୟକତାକୁ ଚାହିଁ ରୋଗ ପ୍ରତିରୋଧକ ଶକ୍ତି ପରିବର୍ତ୍ତନ ନିମନ୍ତେ ସମୟ-ସିଦ୍ଧ ଏବଂ ପ୍ରମାଣଭିତ୍ତିକ ପ୍ରାକୃତିକ ଆୟୁଷ ଉପଚାର ବ୍ୟବହାର ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସର୍ବସାଧାରଣଙ୍କ ଲାଗି ଉପଦେଶାବଳୀ ପ୍ରଚାର କରିଛି। କୋଭିଡ୍-୧୯ ନିମନ୍ତେ ମିଶ୍ରିତ ଉପଚାର ମଧ୍ୟରେ ରହିଛି ଗୁଡୁଚି, ଅଶ୍ବଗନ୍ଧା, ଗୁଡୁଚି ଓ ପୀପଳି ମିଶ୍ରଣ ଏବଂ ଆୟୁଷ-୬୪। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ପରିବର୍ତ୍ତନକାରୀ ଭୂତାଣୁ ନିରୋଧୀ, ଆଣ୍ଟିବାୟୋଟିକ୍ ଏବଂ ପ୍ରଦାହ ନିରୋଧୀ ଗୁଣ ଥିବା କଥା କେତେଗୁଡ଼ିଏ ଉଲ୍ଲେଖନୀୟ ଅଧ୍ୟୟନରୁ ପ୍ରମାଣିତ ହୋଇଛି ବୋଲି ବର୍ଦ୍ଧନ ବୁଝାଇ କହିଛନ୍ତି।
ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ଅଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ
Share Now: