ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ମାସ ପାଇଁ ଲାଗୁ ହୋଇଥିବା ଅନଲକ ୫.୦ ନିୟମାବଳୀ ନଭେମ୍ବର ମାସ ପାଇଁ ମଧ୍ୟ ଲାଗୁ ହେବ। ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ ଅନଲକ ୫.୦ର ନିୟମାବଳୀ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ଏହା ସହିତ ଚଳିତ ପାର୍ବଣ ଋତୁରେ କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି। ଗତ ସେପ୍ଟେମ୍ବର ୧୬ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅନଲକ୍ ୫.୦ ଗାଇଡଲାଇନ ଅନୁସାରେ ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଥିଲା। ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲ ଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଥିଲା। ଅନ୍ୟପକ୍ଷରେ ବାଣିଜ୍ୟିକ ପ୍ରଦର୍ଶନୀଗୁଡ଼ିକର ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଥିଲା। ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସୁଇମିଙ୍ଗ ପୁଲ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା। ମନୋରଞ୍ଜନ ପାର୍କ ଓ ସମାନ ଧରଣର ପାର୍କ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଥିଲା।
ଅନଲକ୍ ୫.୦ ନିୟମାବଳୀ ନଭେମ୍ବର ମାସରେ ବି ଲାଗୁ ରହିବ : ଗୃହ ମନ୍ତ୍ରାଳୟ

Share Now: