ରାସ୍ତା ଖୋଳିବାକୁ ଏନ୍‌ଓସି ଦରକାର: ବିଏମ୍‌ସି ଦେବ ଅନୁମତି

ରାସ୍ତା ଖୋଳିବାକୁ ଏନ୍‌ଓସି ଦରକାର

ଭୁବନେଶ୍ବର : ଏଣିକି ରାଜଧାନୀରେ କେହି ମନଇଚ୍ଛା ରାସ୍ତା ଖୋଳିପାରିବେନି। ରାସ୍ତା ଖୋଳିବା ପୂର୍ବରୁ ବିଏମ୍‌ସିରୁ ଏନ୍‌ଓସି ଆଣିବାକୁ ପଡ଼ିବ। ଏଥିପାଇଁ ଭୁବନେଶ୍ବର.ମି ୱେବସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜଧାନୀରେ ଏବେ ବିଭିନ୍ନ ଅଞ୍ଚଳରେ ଓପିଟିସିଏଲ୍‌, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ, ୱାଟ୍‌କୋ, ବିଭିନ୍ନ ଟେଲିକମ୍ ସଂସ୍ଥା ମନଇଚ୍ଛା ରାସ୍ତା ଖୋଳିଦେଉଛନ୍ତି। ଫଳରେ ପୂରା ରାଜଧାନୀ ଖାଲଖମାରେ ଭର୍ତ୍ତି ହୋଇଯାଉଛି। ଏସବୁର ସମାଧାନ ପାଇଁ ବିଏମ୍‌ସି ପକ୍ଷରୁ ରାସ୍ତା ଖୋଳିବା ପୂର୍ବରୁ ଏନ୍‌ଓସି ନେବା ବାଧ୍ୟତାମୂଳକ କରାଯାଇଛି। କିଏ ରାସ୍ତା ଖୋଳିବ, କାହିଁକି ଖୋଳିବ, କେତେ ଲମ୍ବ ଓ କେତେ ଓସାରର ଖୋଳିବ ତାହା ଆବେଦନପତ୍ରରେ ଲେଖି ଜଣାଇବ। ଏହାସହ ଆବେଦନ ଫି’ ଦେବ। ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷ ଡକୁମେଣ୍ଟ ଯାଞ୍ଚ କରିବା ସହ ଯେଉଁ ବିଭାଗ ଅଧୀନରେ ରାସ୍ତା ଥିବ ତାଙ୍କ ଅନୁମତି ଆଣିବ। ରାସ୍ତା ଖୋଳି ନିର୍ମାଣ କଲେ କେତେ ଟଙ୍କା ଖର୍ଚ୍ଚ ହେବ ତା’ର ଆକଳନ ଦେବ। ଖୋଳୁଥିବା ସଂସ୍ଥା ରାସ୍ତା ମରାମତି କରିବା ନେଇ ଟଙ୍କା ଜମା କଲେ ଏନ୍‌ଓସି ମିଳିବ। ଯଦି କେହି ନିୟମ ଉଲ୍ଲଂଘନ କରି ରାସ୍ତା ଖୋଳିଥିବେ ତେବେ ଜରିମାନା ଆଦାୟ କରାଯିବ। ଅପରପକ୍ଷେ ପ୍ରାୟ ତିନି ବର୍ଷ ତଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ରାସ୍ତା ନିର୍ମାଣ ନେଇ ଏସ୍‌ଓପି ପ୍ରସ୍ତୁତ ହେବ। ବିଏମ୍‌ସି କମିସନରଙ୍କ ‌ଅଧ୍ୟକ୍ଷତାରେ ଏକ ସିଙ୍ଗଲ୍‌ ୱିଣ୍ଡୋ ରହିବ। କେଉଁ ଅଞ୍ଚଳରେ ରାସ୍ତା ନିର୍ମାଣ ହେବ, ଖୋଳା ହେବ ସେନେଇ ବିଏମ୍‌ସି ନିକଟରେ ଖବର ରହିବ। ହେଲେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିଲାନି। ଫଳରେ ପୂର୍ତ୍ତ ବିଭାଗ ମନଇଚ୍ଛା କିଛି ଭଲ ରାସ୍ତା ଉପରେ ପିଚୁ ପକାଇ ଚାଲିଥିବାବେଳେ କିଛି ରାସ୍ତା ବର୍ଷ ବର୍ଷ ଧରି ଖାଲଖମାରେ ଭର୍ତ୍ତି ହୋଇଥିଲେ ହେଁ ଏହାର ମରାମତି କରୁନି।

Share Now:

Kalinga News Beuro

Next Post

ଆଜିଠୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ରାଜଧାନୀବାସୀ

Sun Jan 3 , 2021
ଭୁବନେଶ୍ବର : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ରାଜଧାନୀବାସୀ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଇବେ। କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ମନ୍ଦିରକୁ ପ୍ରବେଶ କରିବେ। ତେଣୁ ଆଜିଠାରୁ ରାଜଧାନୀବାସୀଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ଗତକାଲି ଏ ନେଇ ବିଏମ୍‌ସି ପକ୍ଷରୁ ସମୀକ୍ଷା କରାଯାଇଛି। ମନ୍ଦିର ନିକଟରେ କୋଭିଡ୍‌ ପରୀକ୍ଷା, ଜୋତା ଷ୍ଟାଣ୍ଡ ଓ ଶ୍ରଦ୍ଧାଳୁଙ୍କ ବ୍ୟାରିକେଡ୍‌ ସମ୍ପର୍କରେ ଅନୁଧ୍ୟାନ କରିଥିଲା […]
ଆଜିଠୁ ରାଜଧାନୀବାସୀଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ

ଆହୁରି ପଢ଼ନ୍ତୁ