ଫସର ଫାଟିଲା କୁକୁର ବନ୍ଧ୍ୟାକରଣ ଯୋଜନା : ଗ୍ଲୋବାଲ୍‌ ଟେଣ୍ଡର ବାତିଲ୍‌

କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱରରେ ହେବନି ତ ଭୋପାଳ ସ୍ଥିତି

ଭୁବନେଶ୍ୱର : ମଧ୍ୟପ୍ରଦେଶ ଭୋପାଳରେ ୫ଟି ବୁଲା କୁକୁର ୪ବର୍ଷର ଜଣେ ଶିଶୁକୁ କାମୁଡ଼ି ଲହୁଲୁହାଣ କରିବା ପରେ ଭୁବନେଶ୍ବରରେ କୁକୁରଙ୍କୁ ନେଇ ଚିନ୍ତା ବଢ଼ିଛି। ଦୀର୍ଘ ଦିନ ହେବ ଏବିସି(ଆନିମଲ ବାର୍ଥ କଣ୍ଟ୍ରୋଲ) କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏହା ସଫଳ ହେଉନଥିବାରୁ ରାଜଧାନୀରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଟିକାକରଣ ହୋଇପାରୁ ନଥିବାରୁ ସେମାନେ କାମୁଡ଼ିଲେ ମାରାତ୍ମକ ଜଳାତଙ୍କ ରୋଗ ହେବା ଆଶଙ୍କା ରହିଛି। ଏଣେ କୁକୁରଙ୍କୁ ବନ୍ଧ୍ୟାକରଣ ସହ ଟିକାକରଣ କରିବାକୁ ବିଏମ୍‌ସି ଗ୍ଲୋବାଲ୍‌ ଟେଣ୍ଡର କରି ଏକ ଜାତୀୟସ୍ତରର ଏଜେନ୍‌ସି ଜରିଆରେ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିଲା। ହେଲେ ତାହା ବାତିଲ ହୋଇଯାଇଛି। ଏଣୁ ଭୁବନେଶ୍ବରରେ ଶତପ୍ରତିଶତ କୁକୁର ବନ୍ଧ୍ୟାକରଣକୁ ନେଇ ଅନିଶ୍ଚିତତା ବଢ଼ିଥିବା ବେଳେ ଭୋପାଳ ସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ଏବିସି ଯୋଜନାରେ ବିଏମ୍‌ସି କୁକୁର ପିଛା ୫୦୦ ଟଙ୍କା ଲେଖାଏ ଖର୍ଚ୍ଚ କରୁଛି। ମାସକୁ ପ୍ରାୟ ୨୦୦ଟି କୁକୁରଙ୍କର ଅସ୍ତ୍ରୋପଚାର ହୋଇପାରୁଛି। ଅର୍ଥାତ୍‌ କେବଳ କୁକୁର ପିଛା ମାସକୁ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଛି। ଏହା ବାଦ୍‌ ଡାକ୍ତର, ସହାୟକ, ପାରାଭେଟ୍‌ଙ୍କ ଦରମା ସହ ଔଷଧ ଖର୍ଚ୍ଚ ରହିଛି। ହେଲେ ଏ ସବୁ ପାଣିରେ ପଡ଼ୁଛି। ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଛନ୍ତି। ଏବେ ଏବିସି ଜରିଆରେ ପ୍ରତିବର୍ଷ ପ୍ରାୟ ୨ହଜାର କୁକୁରଙ୍କ ବନ୍ଧ୍ୟାକରଣ ସମ୍ଭବ ହେଉଛି। ଅତି କମ୍‌ରେ କୁକୁରଙ୍କ ସଂଖ୍ୟା ବର୍ଷକୁ ୧୦୦୦ ଲେଖାଏ ବଢ଼ି ଚାଲିଛି। ଭୁବନେଶ୍ବରରେ କୁକୁରଙ୍କ ସଂଖ୍ୟା ଏଭଳି ବଢ଼ି ବଢ଼ି ଏବେ ୫୦ ହଜାରରେ ପହଞ୍ଚିଛି। ଫଳରେ ଏବିସି କାର୍ଯ୍ୟକ୍ରମ ‘ଗୋଦରା କୋ‌ଡ଼େ ଯେତେ ମାଡ଼େ ସେତେ’ ଭଳି ହୋଇଛି। ଗୋଟିଏ ପଟେ କୁକୁରଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେମାନଙ୍କ ପାଇଁ ଖାଦ୍ୟ ସଙ୍କଟ ହେଉଛି। ଏଣୁ ସେମାନେ ହିଂସ୍ର ହେଉଛନ୍ତି। ଦିନକୁ ଦିନ କୁକୁରଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହେଉଛି। ନିକଟରେ ଜାଗମରା ଓ ଚିନ୍ତାମଣିଶ୍ବର ଅଞ୍ଚଳରେ ବୁଲା କୁକୁର ଗୋଡ଼େଇ ଗୋଡ଼େଇ ୧୦ଜଣରୁ ଅଧିକ ଲୋକଙ୍କୁ ଗୋଟିଏ ଦିନରେ କାମୁଡ଼ିଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷରେ କୁକୁରଙ୍କ ଯୋଗୁଁ ଦେଢ଼ଶହରୁ ଅଧିକ ଦୁର୍ଘଟଣା ଘଟିଥିଲା। ଏଭଳି ଅଘଟଣ ଚଳିତ ବର୍ଷ ମଧ୍ୟ ଦ୍ବିଗୁଣିତ ହେବା ଆଶଙ୍କା ରହିଛି। ଅନ୍ୟପଟେ ବିଏମ୍‌ସି ପକ୍ଷରୁ କୁହାଯାଇଛି କୁକୁର ବନ୍ଧ୍ୟାକରଣ ପାଇଁ ଯେଉଁ ଗ୍ଲୋବାଲ୍‌ ଟେଣ୍ଡର ହେବା କଥା ତାହା ହୋଇପାରି ନାହିଁ। ତେବେ ଏହି ଅଭିଯାନକୁ ସଫଳ କରିବା ପାଇଁ ବ୍ୟବସ୍ଥା ହୋଇଛି। ଚଳିତ ମାସରେ ହିଁ ଅତିରିକ୍ତ ୭ ଡାକ୍ତର, ୭ ପାରାଭେଟ୍‌, ୩ ଆସିଷ୍ଟାଣ୍ଟ ଓ ୨ ଆଟେଣ୍ଡାଣ୍ଟ ନିୟୋଜିତ ହେବେ। ଜିଲ୍ଲାୱାରି ବନ୍ଧ୍ୟାକରଣ ଓ ହେଲ୍ପ ଲାଇନ୍‌ କରିବା ପାଇଁ ସରକାର ଘୋଷଣା କରିଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଏଭଳି ବ୍ୟବସ୍ଥା ହେଉଛି। ସ୍ବତନ୍ତ୍ର ଏନ୍‌ଜିଓ ମାନେ ମଧ୍ୟ ନିୟୋଜିତ ହେବେ। ଏଣୁ ଏହି କାର୍ଯ୍ୟକ୍ରମ ତ୍ବରିତ ହେବ।

Share Now:

Kalinga News Beuro

Next Post

ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା : ମାସ୍କ ପିନ୍ଧିବା ଓ କରୋନା ନିୟମ ମାନିବା ବାଧ୍ୟତାମୂଳକ

Tue Jan 4 , 2022
ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା। ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପ୍ରଥମ ୩ ଦିନ ୨ଟି ସିଟିଂ ହେବ ଥିଓରି ପରୀକ୍ଷା। ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି […]
ଦଶମ ଶ୍ରେଣୀ ସମେଟିଭ-୧

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial