ରେକର୍ଡ କରୁଛି ରାଜଧାନୀ : ଦିନକରେ ୩୮, ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଲା

ଭୁବନେଶ୍ବର : ରାଜଧାନୀରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ କେବଳ ରାଜଧାନୀର। ଚିନ୍ତାର ବିଷୟ ହେଲା, ସେମାନଙ୍କ ମଧ୍ୟରୁ ୧୩ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍‌ ଏମାନେ କେଉଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତଙ୍କ ହୋଇଛନ୍ତି। ଆଜିର ଏହି ୧୩ ଜଣଙ୍କୁ ମିଶାଇ ଗତ ୨୦ ଦିନ ଭିତରେ ରାଜଧାନୀରୁ ୭୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଲେଣି। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଅଞ୍ଚଳବାସୀ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗତ ୨୪ଘଣ୍ଟାରେ ରାଜଧାନୀରୁ ୨୫ଜଣ ଆକ୍ରାନ୍ତ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଜୟଦେବ ବିହାରରୁ ୫ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତହିଁରେ ଜଣେ ବର୍ଷକର ଶିଶୁ ରହିଛି। ଏଠାରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଥିବା କୁହାଯାଇଛି। ସେହିପରି ମଞ୍ଚେଶ୍ବରରେ ୧୧ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି। ସେମାନେ ଉତ୍ତରପ୍ରଦେଶରୁ ଫେରିଛନ୍ତି। ସେହି ଅଞ୍ଚଳରେ ପଶ୍ଚିମବଙ୍ଗ ଫେରନ୍ତା ୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗ ଫେରନ୍ତା ୪୪ ବର୍ଷର ବ୍ୟକ୍ତି, ମୁମ୍ବାଇ ଫେରନ୍ତା ୟୁନିଟ୍‌-୮ ଅଞ୍ଚଳର ୨ଜଣ, ବେଙ୍ଗାଲୁରୁ ଫେରନ୍ତା ୟୁନିଟ୍‌-୬ ରାଧାକୃଷ୍ଣନଗରର ଜଣେ, ମଞ୍ଚେଶ୍ବରରେ ଜଣେ ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ସଂକ୍ରମିତ ହୋଇଛନ୍ତି। ତେବେ ୧୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାରେ ପକାଇଛି। ୩ଟି ଘରୋଇ ହସ୍ପିଟାଲରୁ ୫ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଶିରିପୁର ଲକ୍ଷ୍ମୀବଜାର ବସ୍ତିର ମୁମ୍ବାଇ ଫେରନ୍ତା ୪ଜଣ, କ୍ୟାପିଟାଲ ହସ୍ପିଟାଲରରେ ଖୋଲିଥିବା ସ୍ବତନ୍ତ୍ର କରୋନା ବହିର୍ବିଭାଗରେ କାର୍ଯ୍ୟରତ ଷ୍ଟାଫ୍ ନର୍ସ, ମଞ୍ଚେଶ୍ବର ୟୁପି ସ୍କୁଲ ନିକଟରେ ୪୦ ବର୍ଷର ପୁରୁଷ ଓ ଭିଏସଏସ୍‌ନଗର ହନୁମାନ ମନ୍ଦିର ନିକଟରେ ଜଣଙ୍କୁ ଚିହ୍ନଟ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ସଂସ୍ପର୍ଶରେ ୨୩ଜଣ ଆସିଥିବା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା ଓ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ‌କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ରାଜଧାନୀରେ ସମୁଦାୟ ୨୫୮ଜଣ ଚିହ୍ନଟ ହୋଇସାରିଲେଣି। ତହିଁରୁ ୧୨୭ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆହୁରି ୧୨୭ଜଣ ସକ୍ରିୟ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

Share Now:

Kalinga News Beuro

Next Post

ମୌସୁମୀ ଦୁର୍ବଳ ପରେ ବଦଳୁଛି ପାଣିପାଗ : ତାତିଠୁ ଅଧିକ ଗରମ ଲାଗୁଛି

Fri Jun 26 , 2020
ଭୁବନେଶ୍ବର : ପାହାନ୍ତା ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି। ଦିନରେ ଖରାର ପ୍ରକୋପ ଏତେ ଯେ ବର୍ଷା ଋତୁ ବି ଗ୍ରୀଷ୍ମଋତୁ ଭଳି ଲାଗିଲାଣି। ଗତ ୩ଦିନ ହେଲା ଏମିତି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ ହୋଇଯିବା ଓ ତାପମାତ୍ରା ବଢ଼ିବା ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ବି ବିସ୍ମିତ କରୁଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial