ଦୀର୍ଘସ୍ଥାୟୀ ଓ ଚକାଚକ୍ ଦିଶିବ ରାଜଧାନୀର ୧୦ ରାସ୍ତା

ରାସ୍ତାରେ ସର୍ଫେସ୍‌ ମାଇନର୍

ପରୀକ୍ଷାମୂଳକ ଭାବେ ସର୍ଫେସ୍‌ ମାଇନର୍‌ ମେସିନ୍ କାମ କରିବ

ଭୁବନେଶ୍ବର : ରାଜଧାନୀରେ ବର୍ଷକୁ ପ୍ରାୟ ୨୦ରୁ ୩୦ କୋଟି ଟଙ୍କା କେବଳ ପିଚୁ ରାସ୍ତା ମରାମତି ଓ ନିର୍ମାଣ ବାବଦକୁ ଖର୍ଚ୍ଚ ହେଉଥିଲେ ହେଁ କୌଣସି ରାସ୍ତା ଚକାଚକ୍ ଦିଶୁନଥିଲା। କାମ ସରିବାର ଦିନ କେଇଟା ପରେ ରାସ୍ତାଗୁଡ଼ିକ ଦଦରା ଦେଖାଯାଉଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ନିଜ ତ୍ରୁଟି ସୁଧାରିବାକୁ ଯୋଜନା କରିଛି। ରାଜଧାନୀର ସବୁ ରାସ୍ତା ଯେପରି ଚକାଚକ୍ ଦିଶିବ, ରାସ୍ତାର ଉଚ୍ଚତା ବଢ଼ିବନି ଏବଂ କମ୍‌ ଖର୍ଚ୍ଚ ହେବ, ସେନେଇ ନୂଆ ଜ୍ଞାନକୌଶଳ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପାଇଲଟ୍ ପ୍ରକଳ୍ପ ଭାବେ ରାଜଧାନୀରେ ୧୦ଟି ପ୍ରମୁଖ ରାସ୍ତାରେ ସର୍ଫେସ୍‌ ମାଇନର୍‌ ବ୍ୟବହାର କରି ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଏକ ଘରୋଇ ସଂସ୍ଥା ସହ ଆଲୋଚନା ହୋଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଏହି କାମ ହେବ। ଏହା କିପରି ହେଉଛି, କେତେ ଖର୍ଚ୍ଚ ହେଉଛି, କେ‌ତେ ସମୟରେ ହେଉଛି, ତାହା ଦେଖିବା ପରେ ରାଜଧାନୀର ବାକି ଅଞ୍ଚଳରେ ଲାଗୁ ହେବ ବୋଲି ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ବହୁ ଅଞ୍ଚଳରେ ବର୍ଷକୁ ବର୍ଷ ରାସ୍ତା ଉଚ୍ଚା ହୋଇଯାଉଛି। ଯେପରି ରାସ୍ତା ନିର୍ମାଣ ହେବା କଥା, ହେଉନି। ଫଳରେ ଲୋକଙ୍କ ଘରେ ପାଣି ଜମୁଛି, ରାଜଧାନୀର ବହୁ ଅଞ୍ଚଳ ଜଳବନ୍ଦୀ ହେଉଛି। ଏହାବାଦ୍‌ ରାସ୍ତା ମରାମତି ବେଳେ ୪୦ଫୁଟ ଓସାରର ରାସ୍ତା ଥିଲେ ୨୦ଫୁଟ ଓସାରରେ ମରାମତି ହେଉଛି। ବାକି ୨୦ଫୁଟ ଛାଡ଼ି ‌ଦିଆଯାଉଛି। ଯାହାକୁ କିଛି ମାସ ପରେ ମରାମତି କରାଯାଉଛି। ଫଳରେ ରାସ୍ତାଗୁଡ଼ିକ ଅଳ୍ପ ଦିନରେ ଖରାପ ହୋଇଯାଉଛି। ଏହାକୁ ନଜରରେ ରଖି ୱିର୍ଟଜେନ୍ ସର୍ଫେସ୍‌ ମାଇନର୍‌ ବ୍ୟବହାର କରି ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ରାସ୍ତାକୁ ରାମ୍ପୁଡ଼ି ଖୋଳାଯିବା ପରେ ସେଥିରୁ ବାହାରୁଥିବା ଭଗ୍ନାଂଶକୁ ଗୁଣ୍ଡ କରାଯିବ। ଏଥିରେ କିଛି ପିଚୁ, ବଜୁରି, ବାଲି ମିଶାଇ ନୂଆ ସାମଗ୍ରୀ ପ୍ରସ୍ତୁତ କରାଯିବ। ଏହାକୁ ରାସ୍ତାରେ ପକାଇ ରୋଲିଂ କରାଯିବ। ଏହାଦ୍ବାରା ରାସ୍ତା ଉଚ୍ଚା ହେବନି, ରାସ୍ତା ଚିକ୍‌ଚିକ୍ ଦିଶିବ ଏବଂ ଦୀର୍ଘସ୍ଥାୟୀ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଏବେ ରାସ୍ତା ମରାମତି ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହେଉଛି, ନୂଆ ପଦ୍ଧତିରେ ତାହାଠାରୁ କମ୍‌ ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୫ଟି ପୂର୍ତ୍ତ ଡିଭିଜନ୍‌ର ୨ଟି ଲେଖାଏଁ ରାସ୍ତା ମରାମତି ହେବ। ଏଥିରେ ପ୍ରଥମ ଦୁଇଟି ରାସ୍ତା ରବୀନ୍ଦ୍ର ମଣ୍ଡପରୁ କମିସନରେଟ୍ ପୁଲିସ ଅଫିସ୍‌ ରାସ୍ତା, ହାଉସିଂବୋର୍ଡ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ ଏହି ନୂଆ ଜ୍ଞାନକୌଶଳ ବ୍ୟବହାର ହେବ।

Share Now:

Kalinga News Beuro

Next Post

ନିରାଡ଼ମ୍ବର ଜୀବନ କାଟୁଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ

Mon Feb 8 , 2021
ନିପଟ ମଫସଲିଆ ମଣିଷର ଚିତ୍ର,କର୍ମକାଣ୍ଡ ବୈଦିକ ସ୍କୁଲ୍ ଖୋଲିବାକୁ ଲକ୍ଷ୍ୟ ଭଞ୍ଜନଗର: ପାଖରେ ନା ଅଛି ଗାଡ଼ି ଓ ବଡ଼କୋଠା ନା ଅଛି ମୋବାଇଲ୍। ଝରଣା ପାଣିରେ ଗାଧୁଆପାଧୁଆ। ଶୋଇବାକୁ ଚଟାଣ ଭରସା। ଦେହରେ ଖଣ୍ଡିଏ ଧୋତି ଓ କୂର୍ତ୍ତା ଏବଂ ବେକରେ ଲାଲ୍ ଗାମୁଛା। ଇଏ କୌଣସି ଗ୍ରାମାଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଅଂଶ ନୁହେଁ, ବରଂ ଜଣେ ଅବସରପ୍ରାପ୍ତ ତଥା ଭାରତୀୟ ପ୍ରାଶାସନିକ ସେବାର […]
ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial