ସରକାରଙ୍କ ନିୟମ ପାଣିର ଗାର:ଡହ ଡହ ଖରାରେ ଖଟୁଛନ୍ତି ଶ୍ରମିକ

ଭୁବନେଶ୍ୱର: ରାଜଧାନୀର ତାପମାତ୍ରା ୪୨ ଡିଗ୍ରି ଟପିଲାଣି। ଅଧିକାଂଶ ଦିନ ରାଜ୍ୟର ଉତ୍ତପ୍ତ ସହର ପାଲଟୁଛି। ସୂର୍ଯ୍ୟଙ୍କ ପ୍ରକୋପ ଏପରି ଯେ ଖରାରେ କାମ କରିବା ତ ଦୂରର କଥା, ବାହାରକୁ ବାହାରିବା ବି କଷ୍ଟକର। କିନ୍ତୁ ଏହି ଡହ ଡହ ଖରାରେ ଶ୍ରମିକ ଖଟୁଛନ୍ତି। ପ୍ରଚଣ୍ଡ ଖରାରେ ଅଂଶୁଘାତ ହେବାର ଆଶଙ୍କା ଥିବାରୁ ଶ୍ରମିକଙ୍କ କାମ କରିବା ଉପରେ ସରକାର କଟକଣା ଜାରି କରିଛନ୍ତି। ସେମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ଯାଏଁ କାମ କରିବା ଉପରେ ରୋକ୍‌ ଲଗାଯାଇଛି। ଉଭୟ ସରକାରୀ ଓ ବେସରକାରୀସ୍ତରରେ କେହି ବି ଶ୍ରମିକ ଯେପରି ଏହି ସମୟ ସୀମା ଭିତରେ କାମ ନ କରିବେ, ସେନେଇ ନା ସଚେତନତା ସୃଷ୍ଟି କରାଯାଉଛି ନା କାମ କରାଉଥିବା ବ୍ୟକ୍ତି, ସଂସ୍ଥା ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିୟମକୁ ଫୁ’ କରି ଶ୍ରମିକଙ୍କୁ ଖଟାଯାଉଛି। ଖୋଦ୍‌ ସରକାରୀ କୋଠା, ରାସ୍ତା, ଡ୍ରେନ୍‌, ସ୍ୱେରେଜ୍‌ ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିବାରୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ତାଗିଦ୍‌ କରିବାକୁ ବି କେହି ସାହାସ କରୁନାହାନ୍ତି। ଶ୍ରମିକମାନଙ୍କୁ ଏ ସଂପର୍କରେ ପଚାରିବାରୁ ସେମାନେ କହିଥିଲେ, ଯଦି କାମ ନ କରିବୁ ଖାଇବୁ କ’ଣ? ଗରିବ ଲୋକର ଖରା, ବର୍ଷା, ଶୀତ କିଛି ନାହିଁ। ଖଟିଲେ ଖାଇବୁ। ସରକାରଙ୍କ ନିୟମରୁ କ’ଣ ମିଳିବ? ଶ୍ରମିକମାନେ ସରକାରୀ ନିୟମ ସମ୍ପର୍କରେ ସଚେତନ ନ ଥିବାରୁ ଠିକାଦାର ଓ ବିଭିନ୍ନ ସଂସ୍ଥା ଏହାର ଫାଇଦା ଉଠାଉଛନ୍ତି। ନିୟମ ଅନୁଯାୟୀ ଶ୍ରମିକମାନେ ଖରାଦିନେ କାମ କରିବେନି ବୋଲି ବାରଣ କରାଯାଇନି। କେବଳ କାମ କରିବାର ସମୟରେ ଯାହା ପରିବର୍ତ୍ତନ କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ଯାଏ କାମ କରିବେନି। ଏହାବାଦ୍‌ ଅନ୍ୟ ସମୟରେ କାମ କରିପାରିବେ।

ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ସମସ୍ତ ଠିକାଦାରଙ୍କୁ ଏହି ଆଇନ ସମ୍ପର୍କରେ ଅବଗତ କରାଯାଇଛି। କୌଣସି ଶ୍ରମିକ ୧୧ଟାରୁ ୩ଟା ଯାଏ କାମ କରିପାରିବେ ନାହିଁ। ଆମ ନଜରରେ ପଡ଼ିଲେ ଶ୍ରମିକଙ୍କୁ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଉଛୁ। ତେବେ ଏ ନେଇ ବ୍ୟାପକ ସଚେତନତା ଲୋଡ଼ା। ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ବ୍ୟକ୍ତି, ଠିକାଦାର ଓ ଶ୍ରମିକ ସମସ୍ତେ ଏ ନେଇ ସଚେତନ ହେବା ଦରକାର। ଆବଶ୍ୟକ ପଡ଼ିଲେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ୍‌ କରାଯିବ।

Share Now:

Kalinga News Beuro

Leave a Reply

Next Post

ଆଣବିକ ଏବଂ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଥିବା କଥା କହିଲା ଉତ୍ତର କୋରିଆ

Sat Apr 21 , 2018
ସିଓଲ: ଆଣବିକ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିବା ସହ ଆଣବିକ ପରୀକ୍ଷଣ ସ୍ଥଳୀ ବନ୍ଦ କରିବାକୁ ଯୋଜନା କରୁଥିବା କଥା ଶନିବାର ଦିନ ଉତ୍ତର କୋରିଆ କହିଛି। ପାୟୋଙ୍ଗ୍ୟାଙ୍ଗ୍‌, ସିଓଲ୍‌ ଏବଂ ଓ୍ଵାସିଂଟନ୍‌ ମଧ୍ୟରେ ଆଣବିକ ବୁଝାମଣାର ଏକ ନୂତନ ପର୍ଯ୍ୟାୟ ସ୍ୱାକ୍ଷର ହେବା ପୂର୍ବରୁ ଏ ଭଳି ଘୋଷଣା କରାଯାଇଥିଲେ ମଧ୍ୟ ଉତ୍ତର କୋରିଆ ନିଜର ଅସ୍ତ୍ରଶସ୍ତ୍ର ନିର୍ମାଣ ବନ୍ଦ ରଖିବ କି, ନାହିଁ ତାହା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial