ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମମଲା ସହ ଜଡ଼ିତ ଡ୍ରଗ୍ସ କୋଣର ତଦନ୍ତ କରି ତାଙ୍କର ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି)। ମାର୍ଚ୍ଚ ୫ ତାରିଖରେ ସ୍ବତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ୧୪ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍ ଏନ୍ସିବି ଦାଖଲ କରିଥିବା ସୂଚନା ରହିଛି। ରିୟା ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଏନ୍ସିବି ମୁଖ୍ୟ ସମୀର ୱାଙ୍କ୍ଖେଡେ ନିଜେ ଅଦାଲତରେ ଏହି ଚାର୍ଜସିଟ୍ ଦାଖଲ କରିଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମମଲା ସହ ଜଡ଼ିତ ଡ୍ରଗ୍ସ କୋଣର ତଦନ୍ତ କରି ଏନ୍ସିବି ୨ଟି ମାମଲା ପଞ୍ଜିକୃତ କରିଥିଲା। ଫଳରେ ସୁଶାନ୍ତଙ୍କ ଲିଭ୍-ଇନ୍ ପାର୍ଟନର୍ ରିୟାଙ୍କ ସହ ତାଙ୍କ ଭାଇ ସୌଭିକ୍ଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଜାମିନ୍ ପ୍ରଦାନ କରାଯାଇଛି। କେବଳ ରିୟା ଓ ତାଙ୍କ ଭାଇଙ୍କୁ ନୁହେଁ, ବରଂ ଏହି ମାମଲା ସହ ଜଡ଼ିତ ସମୁଦାୟ ୩୪ ଜଣଙ୍କୁ ଗିରଫ କରିଥିଲା ଏନ୍ସିବି। ଏହି ମାମଲାରେ ସଂପୃକ୍ତ ଆହୁରି ୫ ଜଣଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ନାହିଁ ବୋଲି ସୂଚନା ରହିଛି। ଏହି ମାମଲାରେ ଏନ୍ସିବି ଅଭିନେତ୍ରୀ ସାରା ଆଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନ, ରାକୁଲ ପ୍ରୀତ ସିଂ, କରିସ୍ମା ପ୍ରକାଶ ଏବଂ ଅନ୍ୟାନ୍ୟ ସେଲିବ୍ରିଟିଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଏନ୍ସିବି ବ୍ୟତୀତ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାର ଆର୍ଥିକ ଦିଗର ତଦନ୍ତ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ମସିହା ଜୁନ୍୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିିତ ନିଜ ବାସଭବନକୁ ଉଦ୍ଧାର ହୋଇଥିଲା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ମୃତଦେହ। ଶରୀର ବ୍ୟବଚ୍ଛେଦ ଓ ବହୁ ତଦନ୍ତ ପରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସ୍ପଷ୍ଟ ହେବା ପରେ ସୁଶାନ୍ତଙ୍କ ବାପା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟାଙ୍କ ନାମରେ ଅଭିଯୋଗ ଆଣି ତାଙ୍କ ପୁଅର ମୃତ୍ୟୁ ପାଇଁ ରିୟା ଦାୟୀ ବୋଲି କହିଥିଲେ। ସେବେଠାରୁ ତଦନ୍ତ ଜୋର୍ ଧରିଛି। ଧୀରେ ଧୀରେ ରିୟା ବେଆଇନ୍ ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବା କଥା ବି ସାମ୍ନାକୁ ଆସିଥିଲା।
ବେଆଇନ୍ ଡ୍ରଗ୍ସ କାରବାର ମାମଲା: ଅଭିନେତ୍ରୀ ରିୟାଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ଏନ୍ସିବି

Share Now: