ସୁରତରୁ ଆସିଲେ ୫୦୦ ପ୍ରବାସୀ: ସ୍ବାସ୍ଥ୍ୟ ଯାଞ୍ଚ କଲାନି ପ୍ରଶାସନ, ଥର୍ମାଲ ସ୍କ୍ରିନିଂ କରି ଛାଡ଼ିଦେଲା

ସ୍ବାସ୍ଥ୍ୟ ଯାଞ୍ଚ କଲାନି ପ୍ରଶାସନ

କାଗଜପତ୍ରରେ ଜିଲ୍ଲା ପ୍ରଶାସନର କଡ଼ା କଟକଣା

ବ୍ରହ୍ମପୁର : ଗଞ୍ଜାମକୁ ଆଜି ସୁରତରୁ ୫୦୦ ଜଣ ପ୍ରବାସୀ ଫେରିଛନ୍ତି। ଅପରାହ୍ନ ୨ଟା ସମୟରେ ପୁରୀ-ଓଖା ଏକ୍ସପ୍ରେସ୍‌ରୁ ଓହ୍ଲାଇବା ପରେ ସେମାନେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲିଯାଇଛନ୍ତି। ଚିନ୍ତାର ବିଷୟ ହେଉଛି, ଟ୍ରେନ୍‌ରେ ଆସୁଥିବା ପ୍ରବାସୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ ଲାଗି କୌଣସି ପ୍ରାଶାସନିକ କଳ କିମ୍ବା ଡାକ୍ତରୀ ଟିମ୍‌ ନିୟୋଜିତ ନଥିଲେ। କେବଳ ଥର୍ମାଲ ସ୍କ୍ରିନିଂ କରି ଛାଡ଼ି ଦିଆଯାଇଥିଲା। ବହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ। ‌ଯେଉଁମାନେ କୌଣସି ପରୀକ୍ଷା ନକରି ଆସିଥିବେ, ସେମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ୭ଦିନ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ବ୍ରହ୍ମପୁର ସମେତ ଛତ୍ରପୁର ଓ ଖଲ୍ଲିକୋଟ ଷ୍ଟେସନ୍‌ରେ ପ୍ରବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ କଡ଼ାକଡ଼ି କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏ ଯାଏ କଟକଣା ନିର୍ଦ୍ଦେଶ କେବଳ କାଗଜପତ୍ରରେ ରହିଯାଇଛି। ରେଳ ଷ୍ଟେସନ୍‌ରେ ପ୍ରବାସୀମାନେ ଆର୍‌ଟିପିସିଆର ଟେଷ୍ଟ କରି ଆସିଛନ୍ତି କି ନାହିଁ, ତାହାର ଯାଞ୍ଚ୍‌ ମଧ୍ୟ ହେଉନାହିଁ। ପ୍ରତିଦିନ ଏବେ ଶହ ଶହ ସଂଖ୍ୟାରେ ପ୍ରବାସୀ ଫେରୁଛନ୍ତି। ତାରାତାରିଣୀଙ୍କ ଚୈତ୍ରପର୍ବ, ଦଣ୍ଡଯାତ୍ରା ଓ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବି ପ୍ରବାସୀମାନେ ବହୁ ସଂଖ୍ୟାରେ ସାମିଲ ହେବା ନିଶ୍ଚିତ। ମହାବିଷୁବ ସଂକ୍ରାନ୍ତି ତଥା ମେରୁ ପର୍ବ ପରେ ହିଁ ଗଞ୍ଜାମର ବାସ୍ତବ ସଂକ୍ରମଣ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି। ରାଜ୍ୟରେ ଗଞ୍ଜାମର ଲକ୍ଷ ଲକ୍ଷ ଲୋକ ବସବାସ କରୁଛନ୍ତି। ବିଶେଷ କରି ଗୁଜରାଟର ସୁରତରେ ଗଞ୍ଜାମର ୩ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ସୁରତରୁ ପ୍ରବାସୀ ଫେରିବା ପରେ ଗତବର୍ଷ ମେ ୨ତାରିଖ ଠାରୁ ଜିଲ୍ଲାରେ କରୋନା ବ୍ୟାପିଥିଲା। ଏବେ ସମାନ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ଯାନ୍ତ୍ରିକ ସଫେଇ କାହା ସ୍ବାର୍ଥରେ?

Sat Mar 27 , 2021
ବହୁ ରାସ୍ତା ବାଲିରେ ପୋତି ହୋଇଗଲାଣି, ଗାଡ଼ି ଯାଉନି ଭୁବନେଶ୍ବର : ରାଜଧାନୀରେ ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ କରିବା ପାଇଁ ବିଏମ୍‌ସି ବର୍ଷକୁ ପ୍ରାୟ ୩୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ହେଲେ ବଡ଼ ବିଚିତ୍ର ଢ଼ଙ୍ଗରେ ସଫେଇ ହେଉଛି। ରାସ୍ତାରେ ବାଲି ଥାଉ କି ନଥାଉ ପ୍ରତିଦିନ ସମାନ ରାସ୍ତାରେ ସଫେଇ ଗାଡ଼ି ବୁଲୁଛି। କିନ୍ତୁ ଅଧିକାଂଶ ପ୍ରମୁଖ ରାସ୍ତା ଓ ନିକଟବର୍ତ୍ତୀ ରାସ୍ତାରେ ପାଦେ ଉଚ୍ଚର […]
ଯାନ୍ତ୍ରିକ ସଫେଇ କାହା ସ୍ବାର୍ଥରେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial