ଏମିତି ବି ହୁଏ : ଶବଦାହ ପୂର୍ବରୁ ଶୁଦ୍ଧିକ୍ରିୟା ଶେଷ

ଶବଦାହ ପୂର୍ବରୁ ଶୁଦ୍ଧିକ୍ରିୟା ଶେଷ

ବାଲିପାଟଣା : ଏବେବି ସରିନି କରୋନା କାରୁଣ୍ୟ। ପ୍ରତିଦିନ କେତେ ଜୀବନ ନେଉଛି କରୋନା। କେତେବେଳେ କରୋନା ଆକ୍ରାନ୍ତଙ୍କ ଶବ ଅଛୁଆଁ ପାଲଟିଯାଉଛି ତ ଆଉ କେତେବେଳେ ପରିବାର ଲୋକ ଶବକୁ ଟି‌କେ ଦେଖି ମଧ୍ୟ ପାରୁନାହାନ୍ତି। ଏବେ ସେମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ। କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କର ଏଯାଏ ଶବଦାହ ହୋଇନି; କିନ୍ତୁ ତାଙ୍କ ଶୁଦ୍ଧିକ୍ରିୟା ଶେଷ କରି ଦେଇଛନ୍ତି ପରିବାର। ଏ ନେଇ ପୁଲିସ ଗାଁରେ ପହଞ୍ଚିବା ପରେ ଲୋକେ ତାଜୁବ ହୋଇ ଯାଇଥିଲେ।
ସୂଚନା ଅନୁଯାୟୀ, ତୁରିନ୍ତିରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଓଝା(୫୬)ଙ୍କ ଅସୁସ୍ଥତା ହେତୁ ଗତ ମାସ ୨୮ ତାରିଖରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେଠାରେ ତାଙ୍କର ଆଣ୍ଟିଜେନ କୋଭିଡ‌ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ସମ୍‌ କୋଭିଡ ହସ୍ପିଟାଲକୁ ପଠା ଯାଇଥିଲା। ତେବେ ସେହିଦିନ ହିଁ ପୂର୍ଣ୍ଣଚନ୍ଦ୍ରଙ୍କର ଦେହାନ୍ତ ହୋଇ ଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ସେଠାରେ ଉପସ୍ଥିତ ପରିବାର ଲୋକଙ୍କଠାରୁ ଅବଶ୍ୟକ ପ୍ରମାଣ ସଂଗ୍ରହ କରିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଦାହ କରିବା ଲାଗି ବିଏମ୍‌ସିକୁ ହସ୍ତାନ୍ତର କରିଥିଲେ। ତେବେ ଶବଦାହ ହୋଇଗଲା ଭାବି ପରିବାର ଲୋକ ଆଉ ବିଏମ୍‌ସି ସହ ଯୋଗାଯୋଗ କରି ନ ଥିଲେ କି ଶ୍ମଶାନକୁ ଯାଇ ନଥିଲେ। ଆଉ ଘରେ ଶୁଦ୍ଧିକ୍ରିୟା ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ଦେଇଥିଲେ। ଏଣେ ଦଶଦିନ ଅପେକ୍ଷା କଲା ପରେ ବି ଶବଦାହ ଲାଗି ପରିବାର ଲୋକଙ୍କ ସମ୍ମତି ମିଳିନବାରୁ ବିଏମ୍‌ସି କର୍ତ୍ତୃପକ୍ଷ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ତେବେ ଯୋଗାଯୋଗ ହୋଇ ନ ପାରିବାରୁ ବିଏମ୍‌ସି ତରଫରୁ ଏ ନେଇ ବାଲିପାଟଣା ଥାନାକୁ ସୂଚନା ଦିଆଯାଇଥିଲା। ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ତୁରନ୍ତ ଜଣେ କର୍ମଚାରୀଙ୍କୁ ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ଗାଁକୁ ପଠାଇଥିଲେ। ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚିଲା ବେଳକୁ ତାଙ୍କର ଏକାଦଶାହ କ୍ରିୟାକର୍ମ ଚାଲିଥିବା ଦେଖିବାକୁ ପାଇଥିଲେ। ମୃତ୍ୟୁ ଦିବସ ଅନୁସାରେ ଗୁରୁବାର ପରିବାର, ବନ୍ଧୁସ୍ୱଜନ ଦଶାହ କ୍ରିୟାରେ ଶୁଦ୍ଧି ହୋଇ ସା‌ରିଥିଲେ ଏବଂ ଏକାଦଶାହ ପାଇଁ ବ୍ରାହ୍ମଣ ଭୋଜନ ଆୟୋଜନ କରାଯାଇଥିଲା। ତେବେ ଶବଦାହ ହୋଇ ନଥିବା ଜାଣିବା ପରେ ସମସ୍ତେ ବିସ୍ମୟବିମୂଢ଼ ହୋଇ ଯାଇଥିଲେ। ଶେଷରେ ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ , ଗ୍ରାମବାସୀ ଏବଂ ପରିବାର ଲୋକ ବସି ଶବଦାହ ନିମନ୍ତେ ପୁଲିସକୁ ଲିଖିତ ସମ୍ମତି ଜଣାଇଥିଲେ। ଥାନା ଅଧିକାରୀ ଉକ୍ତ ଲେଖାକୁ ବିଏମ୍‌ସିକୁ ଦେବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ଶବଦାହ ହୋଇଥିବା ଆଇଆଇସି ଶ୍ରୀ ବରାଡ଼ ସୂଚନା ଦେଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share Now:

Kalinga News Beuro

Next Post

ରାଜଧାନୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଫେଲ ମାରୁଛି ଗୁଇନ୍ଦା ବିଭାଗ, ଟିମ୍‌-୬୦

Sun Aug 8 , 2021
ଭୁବନେଶ୍ବର : କରୋନା କଟକଣା ଯୋଗୁଁ ରାଜଧାନୀରେ ଲୋକେ ଘରୁ ପଦାକୁ କମ୍ ବାହାରୁଛନ୍ତି। ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍ ଏବେ ବି ଜାରି ଅଛି। କିନ୍ତୁ ଅପରାଧ କମିବା ନାଁ ନେଉନାହିଁ। ପତିଆରା ପାଇଁ କଥାକଥାକେ ଘଟୁଛି ହଣାକଟା, ରକ୍ତପାତ। ଗଳିକନ୍ଦିଠୁ ନେଇ ରାଜରାସ୍ତା ଯାଏ ବୁଲୁଛି ଖଣ୍ଡା, ଭୁଜାଲି। ସୃଷ୍ଟି ହେଉଛି ଆତଙ୍କରାଜ। ବସ୍ତି-ବସ୍ତି, ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି କେତେବେଳେ ମୁଣ୍ଡ ଗଡ଼ୁଛି ତ କେତେବେଳେ […]
ରାଜଧାନୀ ଆଇନଶୃଙ୍ଖଳା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial