ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା: ଅନୁମତି ଦେଲା ବିଏମ୍‌ସି

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ସେହି ଦିନଠାରୁ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ଏଥିପାଇଁ ବିଏମ୍‌ସି ଅନୁମତି ପ୍ରଦାନ କରିଛି। ଏନେଇ ଆଜି ମନ୍ଦିର ପ୍ରଶାସନକୁ ଚିଠି କରିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ବିଏମ୍‌ସି ଅନୁମତି ଅନୁଯାୟୀ, ଚନ୍ଦନ ଯାତ୍ରା ଦେଖିବାକୁ ବିନ୍ଦୁସାଗର କୂଳକୁ କୌଣସି ଭକ୍ତ ଯାଇପାରିବେ ନାହିଁ। ମାତ୍ର ୧୫ଜଣ ସେବାୟତ ଏହି ଯାତ୍ରାରେ ରହିବେ। ଏଥିପାଇଁ ମନ୍ଦିର ପ୍ରଶାସନ ତାଲିକା ଦେବ ଏବଂ ଏହି ୧୫ ଜଣଙ୍କର କୋଭିଡ୍‌ ନେଗେଟିଭ୍‌ ରହିବା ବାଧ୍ୟତାମୂଳକ। ଚାପ ପୂର୍ବରୁ ଚାପ ଡ଼ଙ୍ଗାକୁ ବିଏମ୍‌ସି ପକ୍ଷରୁ ସାନିଟାଇଜ୍‌ କରାଯିବ। କୌଣସି ସେବାୟତ ରାସ୍ତାରେ, ଚାପ ଡଙ୍ଗାରେ ଓ ଜଗତିରେ, ପାନ କିମ୍ବା ଗୁଟ୍‌ଖା ଖାଇବେ ନାହିଁ। କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେବାୟତଙ୍କ ତାପମାତ୍ରା ମାପ କରାଯିବା ସହ ସେମାନଙ୍କ ହାତ ସାବୁନରେ ସଫା କରାଯିବ କିମ୍ବା ସାନିଟାଇଜ୍‌ କରାଯିବ। କାଶ, ଛିଙ୍କ ହେଉଥିବା କୌଣସି ସେବାୟତ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। କୌଣସି ପ୍ରକାରର ପାଣି ଅନ୍ୟକୁ ଦେଇ ପାରିବେ ନାହିଁ। ଯାତ୍ରା ବେଳେ କୌଣସି ଭୋଜି, ଉତ୍ସବ, ବାଣଫୁଟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବିଏମ୍‌ସିର ଏହି ସବୁ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ପ୍ରକାଶ ଥାଉ କି, ଶ୍ରୀଲିଙ୍ଗରାଜଙ୍କ ୨୨ଦିନର ଏହି ଚନ୍ଦନ ଯାତ୍ରା ଅବସରରେ ଠାକୁରଠାକୁରାଣୀଙ୍କ ଚଳନ୍ତି ବିଗ୍ରହ ଅପରାହ୍ନ ୪ଟା ସୁଦ୍ଧା ଚାପ ଡଙ୍ଗାରେ ବିଜେ କରିବେ। ଚାପ ଖେଳ ଓ ଚନ୍ଦନ ପାଣିରେ ବୁଡ଼ ପରେ ଠାକୁର ମନ୍ଦିରକୁ ବାହୁଡ଼ିଯିବେ। ବାଟରେ ବିଭିନ୍ନ ନିଯୋଗ ନିକଟରେ ଭୋଗ ଖାଇ ସନ୍ଧ୍ୟା ୭ଟା ସୁଦ୍ଧା ମନ୍ଦିରକୁ ଫେରିବେ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି।

Share Now:

Kalinga News Beuro

Next Post

ଭାରତର କୋଭିଡ୍‌ ସଂକଟ ଏବେ ବିଶ୍ବ ସମସ୍ୟା ପାଲଟିଛି

Sat May 8 , 2021
ନୂଆଦିଲ୍ଲୀ : ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ କୋଭିଡ୍‌ ସଂକ୍ରମଣ ପ୍ରାୟ ସୀମିତ ହୋଇ ଆସିଥିଲା ବେଳେ କେଉଁ ପରିସ୍ଥିତିରେ ତାହା ଏପରି ଅଣାୟତ୍ତ ହୋଇପଡ଼ିଲା, ତାହା ଭିନ୍ନ କଥା; ତେବେ ଭାରତର ଏହି ସଂକଟ ଏବେ ବିଶ୍ବ ସମସ୍ୟା ଭାବେ ଉଭା ହୋଇଛି, ଏଥିରେ ଦ୍ବିମତ ନାହିଁ। ଗତବର୍ଷ ମହାମାରୀ କୋଭିଡ୍‌ ଆବିର୍ଭାବର ପ୍ରାରମ୍ଭିକ ବେଳେ ଭାରତ ଅଚାନକ ସଟ୍‌ଡାଉନ୍‌ ପରି କଠୋର ପରିସ୍ଥିତିକୁ ଆପଣାଇଥିଲା ଏବଂ ପରେ […]
ଭାରତର କୋଭିଡ୍‌ ସଂକଟ ଏବେ ବିଶ୍ବ ସମସ୍ୟା ପାଲଟିଛି

ଆହୁରି ପଢ଼ନ୍ତୁ