ଭାରତର କୋଭିଡ୍‌ ସଂକଟ ଏବେ ବିଶ୍ବ ସମସ୍ୟା ପାଲଟିଛି

ଭାରତର କୋଭିଡ୍‌ ସଂକଟ ଏବେ ବିଶ୍ବ ସମସ୍ୟା ପାଲଟିଛି

ନୂଆଦିଲ୍ଲୀ : ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ କୋଭିଡ୍‌ ସଂକ୍ରମଣ ପ୍ରାୟ ସୀମିତ ହୋଇ ଆସିଥିଲା ବେଳେ କେଉଁ ପରିସ୍ଥିତିରେ ତାହା ଏପରି ଅଣାୟତ୍ତ ହୋଇପଡ଼ିଲା, ତାହା ଭିନ୍ନ କଥା; ତେବେ ଭାରତର ଏହି ସଂକଟ ଏବେ ବିଶ୍ବ ସମସ୍ୟା ଭାବେ ଉଭା ହୋଇଛି, ଏଥିରେ ଦ୍ବିମତ ନାହିଁ। ଗତବର୍ଷ ମହାମାରୀ କୋଭିଡ୍‌ ଆବିର୍ଭାବର ପ୍ରାରମ୍ଭିକ ବେଳେ ଭାରତ ଅଚାନକ ସଟ୍‌ଡାଉନ୍‌ ପରି କଠୋର ପରିସ୍ଥିତିକୁ ଆପଣାଇଥିଲା ଏବଂ ପରେ ତରବର ହୋଇ ମଧ୍ୟ ସବୁ ଖୋଲି ଦେଇଥିଲା। ଗତବର୍ଷ ମାର୍ଚ୍ଚ ବେଳକୁ ଦେଶରେ ସଂକ୍ରମଣ ମାତ୍ରା ସେତେ ଅଧିକ ନଥାଇ ସୁଦ୍ଧା ମାତ୍ର ୪ ଘଣ୍ଟା ଆଗରୁ ଲୋକଙ୍କୁ ନୋଟିସ୍‌ ଦେଇ ସରକାର ଲକ୍‌ଡାଉନ୍‌ ଜାରିକଲେ। କୋଟି କୋଟି ଶ୍ରମଜୀବୀ, ବିଶେଷ କରି ଦିନ ମଜୁରିଆ, ଦାଦନ ଶ୍ରମିକ, ଖାଦ୍ୟ ଓ ଆଶ୍ରୟ ବିହୁନେ ତ୍ରାହି ତ୍ରାହି ଡାକ ଦେବାକୁ ଲାଗିଲେ। ଅପରପକ୍ଷେ, ମହାମାରୀ ତାହାର ସଂକ୍ରମଣକୁ ବଳବତ୍ତର ରଖିଥିବା ଅବସରରେ ଅର୍ଥନୈତିକ ଦୁର୍ବିପାକର ମୁକାବିଲା ପାଇଁ ସରକାର ସାରା ଦେଶକୁ ପୁର୍ବ ପରି ଖୋଲାମେଲା କରିବାକୁ ବାଧ୍ୟ ହେଲେ। ସମ୍ପ୍ରତି ଭାରତରେ ଯାହା ଦେଖାଯାଉଛି, ଗତବର୍ଷ ମହାମାରୀର ପ୍ରାରମ୍ଭିକ ଅବସ୍ଥାରେ ଆମେରିକାରେ ଅନୁରୂପ ସ୍ଥିତି ଉପୁଜିଥିଲା। ଏବେ ଭାରତର ବିଭିନ୍ନ ରାଜ୍ୟରେ ନିଜର ସୀମିତ ସମ୍ବଳ ରହିବା ହିଁ ପରିସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି। ଭାରତରେ ଏବେ ନୂତନ ପ୍ରଜାତିର ରୂପାନ୍ତରିତ ଭୂତାଣୁ ଯେଭଳି କ୍ଷୀପ୍ର ସଂକ୍ରମଣ କରୁଛି ତାହା ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶରେ ଜାରି ରହିଥିବା ଟିକାକରଣ ପ୍ରକ୍ରିୟା ମଧ୍ୟ ଅନୁରୂପ ଦୋଛକିରେ। ଟିକା ଅଭାବଜନିତ ସମସ୍ୟା ଏବେ ବଡ଼ ସଙ୍କଟ ହୋଇ ଦେଖାଦେଇଛି। ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଭାରତର ଏହି ଦୁର୍ବିପାକ ବେଳେ ସହାୟତା ଦେବାରେ ବିଳମ୍ବ କରିଦେଲେ। ଆମେରିକାର ବାଇଡେନ୍‌ ପ୍ରଶାସନ ଭାରତକୁ ଟିକା ଯୋଗାଇଦେବ ବୋଲି ପ୍ରତିଶୃତି ଦେଲା, ମାତ୍ର ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନାହିଁ। ଭାରତ ପାଇଁ ବାହାର ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ଭାରତରେ ତିଆରି ହେଉଥିବା ଟିକା ପାଇବାକୁ ୮୦ରୁ ଅଧିକ ରାଷ୍ଟ୍ର ଅପେକ୍ଷା କରିଥିବା ବେଳେ ସେମାନେ ଏବେ ନିରାଶ ହୋଇଛନ୍ତି। କଞ୍ଚାମାଲ ଅଭାବରୁ ଟିକା ତିଆରି ମନ୍ଥର ହୋଇଯାଇଛି। ଏବେ ଭାରତରେ ଟିକା ନେଇଥିବା ଲୋକେ ମଧ୍ୟ ପୁନଃସଂକ୍ରମିତ ହେଉଥିବା ନଜିର ଆସୁଛି। ତେଣୁ ଅମୁକ ପାଶ୍ଚାତ୍ୟ ଟିକା ମହୋଷଧି ବୋଲି ବିଚାରିବା ମୁର୍ଖାମି ହେବ। ବରଂ ଏହି ସାଂଘାତିକ ନୂତନ ପ୍ରଜାତି ଭୂତାଣୁ ବିରୋଧରେ ଲଢ଼େଇ ପାଇଁ କ’ଣ ପ୍ରଯୁଜ୍ୟ ତାହା ବିଶ୍ବସ୍ତରୀୟ ରାଷ୍ଟ୍ରନେତା ଓ ବୈଜ୍ଞାନିକମାନେ ବସି ବାହାର କରିବା ଜରୁରୀ ହୋଇପଡ଼ିଛି।

Share Now:

Kalinga News Beuro

Next Post

ନିୟନ୍ତ୍ରଣ ବାହାରେ ସଂକ୍ରମଣ : ୨୪ ଘଣ୍ଟାରେ ୪.୧୪ ଲକ୍ଷ ସଂକ୍ରମିତ, ୩୯୧୫ ଜଣଙ୍କ ମୃତ୍ୟୁ

Sat May 8 , 2021
କର୍ଣ୍ଣାଟକରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍‌ର ଦ୍ବିତୀୟ ଲହର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ଦେଶରେ ସଂକ୍ରମଣ ନୂଆ ରେକର୍ଡ ସୃଷ୍ଟି କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଏବଂ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ୁଥିବାରୁ ଭୟ ବଢ଼ିଛି। ଦେଶରେ ସକ୍ରିୟ […]
ନିୟନ୍ତ୍ରଣ ବାହାରେ ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial