କରୋନା ପାଇଁ ସଂକଟରେ ଗୋ-ସଂପଦ: ରୋଗରେ ଛଟପଟ ହେଉଛନ୍ତି ଗୃହପାଳିତ ପଶୁ

କରୋନା ପାଇଁ ସଂକଟରେ ଗୋ-ସଂପଦ

୫ ଦଫା ଦାବିରେ କଳାବ୍ୟାଜ୍‌ ପିନ୍ଧିଲେ ପ୍ରାଣୀ ଚିକିତ୍ସକ

ବାଲିପାଟଣା: କରୋନା ମହାମାରୀ ସମୟରେ ତାଲା ବନ୍ଦ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗୋ ସଂପଦ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରାଣୀ ଚିକିତ୍ସକମାନେ ୫ ଦଫା ଦାବି ନେଇ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟାଳୟରେ କର୍ତ୍ତବ୍ୟ କରୁଛନ୍ତି। ମାତ୍ର ଘରକୁ ଯାଇ ପ୍ରାଣୀ ଚିକିତ୍ସା କରିବା ପାଇଁ ମନା କରିଦେଉଛନ୍ତି। ଏଭଳି ପରିସ୍ଥିତିରେ ଗୋ ସଂପଦ ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ବାଲିପାଟଣା ଓ ବନମାଳୀପୁରରେ ୨ଟି ପ୍ରାଣୀ ଚିକିତ୍ସାଳୟ ଅଧୀନରେ ୧୫ଟି ସବ୍‌ସେଣ୍ଟର ରହିଛି। ୨ ଜଣ ପଶୁ ଚିକିତ୍ସା ଅଧିକାରୀ ଓ ୭ ଜଣ ଏଲଆଇ କାମ କରୁଛନ୍ତି। ଏହି ସବୁ ଅଞ୍ଚଳରେ ଗାଈଗୋରୁଙ୍କ ସଂଖ୍ୟା ୨୫ ହଜାରରୁ ଅଧିକ ଏବଂ ଛେଳି ମେଣ୍ଢାଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ। ଅନେକ ପରିବାର ଗୃହପାଳିତ ପଶୁଙ୍କୁ ପାଳି ଗୁଜୁରାଣ ମେଣ୍ଟାନ୍ତି। ହେଲେ ତାଲା ବନ୍ଦ ସମୟରେ କ୍ଷୀର ବିକ୍ରି ହେଉ ନାହିଁ। ତେଣୁ ସେମାନଙ୍କୁ ଭଲରେ ଖାଦ୍ୟ ଦେବାରେ ଲୋକେ ସମର୍ଥ ହେଉ ନାହାନ୍ତି।
ଅପରପକ୍ଷରେ ପାଣିପାଗ ପରିବର୍ତନ ହେତୁ ଗାଈଗୋରୁ ରୋଗରେ ପଡ଼ୁଛନ୍ତି। କିନ୍ତୁ ପ୍ରାଣୀ ଚିକିତ୍ସକ ମାନେ ଘରକୁ ଯାଇ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି। ଆମେକଣାକୁଦ ପଞ୍ଚାୟତ କୁଦପାଟଣା ଗ୍ରାମର ଶଶାଙ୍କ ଶେଖର ନାୟକ ଏବଂ ବୀଣାପାଣି ସାହୁଙ୍କ ଗାଈ ମଙ୍ଗଳବାର ଠାରୁ ଜ୍ବରରେ ପଡ଼ିଛନ୍ତି। ମାତ୍ର କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରୁଥିବାରୁ ଡାକ୍ତର ଅସୁସ୍ଥ ଗାଈଙ୍କୁ ଚିକିତ୍ସା କରିବାକୁ ଯିବାକୁ ମନା କରିଦେଉଛନ୍ତି। ସେହିପରି ଭଅଁରା ଗଡ଼ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ପାତ୍ରଙ୍କ ସମାନ ଅବସ୍ଥା। ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ଚାନ୍ଦ କହନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀ ସମୟରେ ସେମାନେ ଅହରହ ଚିକିତ୍ସା ଯୋଗାଇ ଦେଉଛନ୍ତି। କର୍ମଚାରୀଙ୍କୁ କରୋନ ଯୋଦ୍ଧା ମାନ୍ୟତା ମିଳୁନାହିଁ। କରୋନା ଟିକା ପାଇଁ ବନ୍ଦୋବସ୍ତ ମଧ୍ୟ ହୋଇନାହିଁ। ସରକାର ସେମାନଙ୍କ ଦାବି ପୂରଣ ନ କଲେ ଆସନ୍ତା ୧୫ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ସଂଘ ନିଷ୍ପତ୍ତି ନେଇଥିଲା। ଅପରପକ୍ଷରେ ସନ୍ଧ୍ୟାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

କୋଭିସିଲ୍‌ଡ ଟିକା ବ୍ୟବଧାନ ବଢ଼ିଲା: ୧୨ରୁ ୧୬ ସପ୍ତାହ ମଧ୍ୟରେ ନେଇପାରିବେ ଦ୍ବିତୀୟ ଡୋଜ୍‌

Fri May 14 , 2021
ଆକ୍ରାନ୍ତ ସୁସ୍ଥ ହେବାର ୬ ମାସ ପରେ ହିଁ ନେଇପାରିବେ ନୂଆଦଲ୍ଲୀ : ପୁଣେସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ କୋଭିସିଲ୍‌ଡ ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ଯାଏ ବଢ଼ାଇବାକୁ ନାସନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗୃପ ଅନ୍‌ ଇମ୍ୟୁନାଇଜେସନ୍‌ (ଏନ୍‌ଟିଏଜିଆଇ) ସରକାରଙ୍କୁ ପରାମର୍ଶ କରିଛି। ଅପରପକ୍ଷେ, ସରକାର ଏହି ପରାମର୍ଶକୁ ତୁରନ୍ତ କାର୍ଯ୍ୟକାରୀ କରିଦେଇଥିବା ଜଣାଯାଇଛି। ଏହାଦ୍ବାରା ଉକ୍ତ ଟିକା ପାଇଁ ଦୁଇ ମାତ୍ରା […]
କୋଭିସିଲ୍‌ଡ ଟିକା ବ୍ୟବଧାନ ବଢ଼ିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial