କୁଆଖାଇ ଓ କୁଶଭଦ୍ରାରେ ବ୍ୟାରେଜ୍ ନିର୍ମାଣ ବାଟ ଫିଟିଲା

କୁଆଖାଇ ଓ କୁଶଭଦ୍ରାରେ ବ୍ୟାରେଜ୍

ଖର୍ଚ୍ଚ ହେବ ୭୦୦ କୋଟି, ୩ ବର୍ଷରେ ସରିବ

ବାଲିଅନ୍ତା : ରାଜଧାନୀକୁ ଆଉ ଜଳକଷ୍ଟ ହେବନି। ସହରବାସୀଙ୍କୁ ମିଳିବ ୨୪ଘଣ୍ଟିଆ ପାନୀୟ ଜଳ। ସକାଳ ହେଉ କି ସନ୍ଧ୍ୟା, କି ଅପରାହ୍ନ,ସବୁବେଳେ ସବୁ ସମୟରେ ପାନୀୟ ଜଳ ମଳିବ। ଏଭଳି ଆଭିମୁଖ୍ୟ ନେଇ କୁଶଭଦ୍ରା ଓ କୁଆଖାଇ ନଦୀରେ ବ୍ୟାରେଜ୍‌ (ଚେକ୍‌ ଡ୍ୟାମ୍‌) ପ୍ରକଳ୍ପ ଆଉ ପାଦେ ଆଗେଇଛି। ବହୁପ୍ରତୀକ୍ଷିତ ଏହି ଦୁଇ ପ୍ରକଳ୍ପ କୁଶଭଦ୍ରା ନଦୀର ବାଲିଅନ୍ତା ଓ କୁଆଖାଇ ନଦୀର ପାଣ୍ଡରାଠାରେ ନିର୍ମାଣ ହେବ। ଉଭୟ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରାୟ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୨ରୁ ୩ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କୁଆଖାଇ ବ୍ୟାରେଜ୍‌ ଲାଗି ୩୯୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି କୁଶଭଦ୍ରା ବ୍ୟା‌ରେଜ୍‌ ଲାଗି ୨୮୮କୋଟି ଟଙ୍କା ଖର୍ଚ୍ଚ ହେବ। ଆବଶ୍ୟକ ପଡ଼ିଲେ, ଦ୍ବିତୀୟ ପର୍ଯ୍ୟାୟରେ ଆହୁରି ଅଧିକ ଅନୁଦାନ ରାଶି ମଞ୍ଜୁର କରାଯିବ। ଏହି ଦୁଇ ପ୍ରକଳ୍ପର ଅଗ୍ରଗତି ନେଇ ଆଜି ଜୟଦେବ ନିର୍ବାଚନମଣ୍ଡଳୀର ବାଲିଅନ୍ତା ବ୍ଲକ୍‌ଠାରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ଏକାମ୍ର ଭୁବନେଶ୍ବର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଚାଷୀମାନଙ୍କ ଆଲୋଚନା ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଏହି ପ୍ରକଳ୍ପ ହେବା ଦ୍ୱାରା ବାଲିଅନ୍ତା ସମେତ ଭୁବନେଶ୍ବର ଉପକଣ୍ଠର ଚାଷୀମାନେ ଅଧିକ ଉପକୃତ ହେବା ସହ ରାଜଧାନୀର ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ବିଧାୟକମାନେ ମତ ରଖିଥିଲେ। କରୋନା କାଳରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ସମୟରେ ମୁଖ୍ୟମନ୍ତ୍ରୀ ଏହି ବୃହତ ପ୍ରକଳ୍ପ ପାଇଁ ୭୦୦ କୋଟି ଅନୁଦାନ ଦେଉଥିବା ଜାଣି ଚାଷୀମାନେ ଆନନ୍ଦ ପ୍ରକାଶ କରିଥିଲେ। ଏହି ଅବସରରେ ଚାଷୀମାନେ ମଧ୍ୟ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଅନୁରୋଧପତ୍ର ମଧ୍ୟ ପ୍ରଦାନ କରିଥିଲେ। ବୈଠକ ପରେ ବିଧାୟକ ଶ୍ରୀ ଢାଲି କହିଥିଲେ, ବ୍ୟାରେଜ୍‌ ନିର୍ମାଣ ଲାଗି ୨୦୦୯ରେ ଦାବି ଉପସ୍ଥାପନ ହୋଇଥିଲା। ଏବେ ଏହା ସଫଳ ରୂପ ନେବାକୁ ଯାଉଛି। ବ୍ୟାରେଜ୍‌ ହେବା ଦ୍ବାରା କେବଳ ଯେ ଭୁବନେଶ୍ବରବାସୀ ଉପକୃତ ହେବେ ତାହା ନୁହେଁ, ଜୟଦେବ ନିର୍ବାଚନମଣ୍ଡଳୀର ବହୁ ଗ୍ରାମବାସୀ ଚାଷ କରିବା ପାଇଁ ପାଣି ପାଇବେ। ଖରା ଦିନେ ଦେଖାଦେଉଥିବା ଜଳ ସଂକଟ ଦୂର ହୋଇପାରିବ। ବିଧାୟକ ଶ୍ରୀ ରାଉତ ଓ ଶ୍ରୀ ଜେନା କହିଛନ୍ତି ଯେ ରାଜଧାନୀବାସୀଙ୍କ ଲାଗି ଆଜି ଏକ ଖୁସିର ଦିନ। ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ପ୍ରସ୍ତାବିତ ବ୍ୟାରେଜ୍‌ ବିଶେ‌ଷ ସହାୟକ ହେବ। ସହରବାସୀଙ୍କୁ ୨୪ଘଣ୍ଟିଆ ପାନୀୟ ଜଳଯୋଗାଣ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି, ତା‌ହା ଏହି ଦୁଇ ପ୍ରକଳ୍ପ ଦ୍ୱାରା ଫଳପ୍ରଦ ହୋଇପାରିବ। ଖରାଦିନେ ଭୂତଳ ଜଳସ୍ତର ହ୍ରାସ ପରେ ଉପୁଜୁଥିବା ସମସ୍ୟା ମଧ୍ୟ ଦୂର ହେବ। ଅନୁରୂପ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଦୟା ନଦୀ ଓ ଭାର୍ଗବୀ ନଦୀରେ ଡ୍ୟାମ୍‌ ନିର୍ମାଣ ନେଇ ବୈଠକରେ ଦାବି ଉପସ୍ଥାପନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ରଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ, ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟମାନେ ବୈଠକରେ ସାମିଲ ହୋଇଥିଲେ। ପ୍ରାଚୀ ଡିଭିଜନ୍‌ ଅଧୀନ ବାଲିଅନ୍ତା କେନାଲ ସବ୍‌-ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀମସେନ୍‌ ବେହେରା କହିଛନ୍ତି ଯେ ବ୍ୟାରେଜ୍‌ ନିର୍ମାଣ ନେଇ ସରକାରୀ ଅନୁମୋଦନ ମିଳିବା ପରେ ମୃତ୍ତିକା ପରୀକ୍ଷଣ କରି ରିପୋର୍ଟ ପଠାଯାଇଥିଲା। ବ୍ୟାରେଜ୍‌ର ନିର୍ମାଣଶୈଳୀ କିଭଳି ହେବ, ସେନେଇ ସେଚ ସଦନରେ ରୂପରେଖ ପ୍ରସ୍ତୁତ ଚାଲିଛି। ଅର୍ଥ ମଞ୍ଜୁର ପରେ ଯେତେଶୀଘ୍ର ସମ୍ଭବ କାର୍ଯ୍ୟ ଆରମ୍ଭ ହେବ।

Share Now:

Kalinga News Beuro

Next Post

ହୀରାକୁଦରେ ଖୋଲିଲା ୨ଟି ଗେଟ୍ : ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

Sun Jul 11 , 2021
ସମ୍ବଲପୁର: ହୀରାକୁଦରେ ୨ଟି ଗେଟ୍ ଖୋଲିଲା ଏବଂ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଗଲା। ଆଜି ସକାଳ ୧୦ଟା ୭ମିନିଟ୍ ସମୟରେ ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଖୋଲିଛି। ଏବେ ହୀରାକୁଦରେ ୬୦୯. ୩୯ଫୁଟ ଜଳ ଅଛି। ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ହୀରାକୁଦ ହେଡ୍‌ ୱାର୍କସ ଓ […]
ହୀରାକୁଦରେ ଖୋଲିଲା ୨ଟି ଗେଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial