କାବୁଲ: ତାଲିବାନର ଆତଙ୍କରୁ ରକ୍ଷା ପାଇବା ପାଇଁ ଆଫଗାନିସ୍ତାନ ଛାଡିବା ଆଶାରେ କାବୁଲ ବିମାନବନ୍ଦରରେ ପହଞ୍ଚୁଥିବା ଲୋକମାନେ ଭୋକ ଓ ଶୋଷରେ ମରୁଛନ୍ତି। କାରଣ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ବିମାନବନ୍ଦର ବାହାରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି। କେବଳ ଏତିକି ନୁହେଁ, ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦାବି କରୁଛନ୍ତି। ଯଦିଓ ଆମେରିକୀୟ ଏବଂ ବ୍ରିଟିଶ ସୈନିକମାନେ ବିମାନବନ୍ଦରରେ ପହଞ୍ଚୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତଥାପି ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ପହଞ୍ଚିବା କଷ୍ଟକର ହୋଇପଡୁଛି। କାବୁଲ ବିମାନବନ୍ଦର ବାହାରେ ପାଣି ବୋତଲ ପିଛା ୪୦ ଡଲାର ଅର୍ଥାତ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ଏଥି ସହିତ ଗୋଟିଏ ପ୍ଲେଟ ଭାତର ମୂଲ୍ୟ ୧୦୦ ଡଲାରକୁ ବୃଦ୍ଧି ପାଇଛି, ଯାହାକି ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୭୫୦୦ ଟଙ୍କା ରହିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦେବାକୁ ଦାବି କରୁଛନ୍ତି। ସୂଚନା ମୁତାବକ ଆଫଗାନିସ୍ତାନ ଛାଡିବାକୁ କାବୁଲ ବିମାନବନ୍ଦରରେ ଶହ ଶହ ଲୋକ ଏକାଠି ହୋଇଥିବାବେଳେ ଖାଦ୍ୟ ଓ ପାଣିର ଚଢା ଦର ଯୋଗୁଁ ସେସବୁ କିଣିବାକୁ ସକ୍ଷମ ହୋଇପାରୁନାହାଁନ୍ତି। ଏଭଳି ସ୍ଥିତିରେ ତାଲିବାନ ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମାଡ ମାରୁଥିବାର ଦେଖିବାକୁ ମିଳିଛି। ତେବେ ଆମେରିକୀୟ ଏବଂ ବ୍ରିଟିଶ ସୈନିକମାନେ ଏହି ସମୟରେ ବିମାନବନ୍ଦରକୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ବିମାନବନ୍ଦର ନିକଟରେ ଅସ୍ଥାୟୀ ଘର ନିର୍ମାଣ କରି ସୈନିକମାନେ ପାଣି ବୋତଲ ଏବଂ ଖାଦ୍ୟ ଦେଉଛନ୍ତି। ତଥାପି ଏହା ପର୍ଯ୍ୟାପ୍ତ ହୋଇପାରୁନାହିଁ।
ପାଣି ବୋତଲ ୩ ହଜାର ଟଙ୍କା,ଭାତ ପ୍ଲେଟ ପିଛା ୭ ହଜାର : କାବୁଲ ବିମାନବନ୍ଦରର ରହିଛି ଏଭଳି ମୂଲ୍ୟ

Share Now: