କାବୁଲ୍: ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ ବୋଲି ବୁଧବାର ଦିନ ତାଲିବାନ୍ ସୂଚନା ଦେଇଛି। ଆଫଗାନିସ୍ତାନର ପରବର୍ତ୍ତୀ ସରକାରରେ ପ୍ରଧାନମନ୍ତ୍ରୀ ପଦ ରହିବ ବୋଲି ମଧ୍ୟ ସୂଚନା ମିଳୁଥିବା କଥା ‘ଟୋଲୋ ନିଉଜ୍’ ରିପୋର୍ଟ କରିଛି। ‘ତାଲିବାନ୍ କଲ୍ଚୁରାଲ୍ କମିସନ୍’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ। ସେ ଆହୁରି ମଧ୍ୟ କହିଛନ୍ତି, ଘୋଷଣା କରାଯିବାକୁ ଥିବା ଇସ୍ଲାମୀୟ ସରକାର ହେବ ଜନତାଙ୍କ ପାଇଁ ଗୋଟାଏ ଆଦର୍ଶ ସରକାର। ଉକ୍ତ ସରକାରରେ ‘ବିଶ୍ବସ୍ତ କମାଣ୍ଡର୍’ଙ୍କ (ଅଖୁନ୍ଦଜାଦା) ଉପସ୍ଥିତି ସମ୍ବନ୍ଧରେ ସନ୍ଦେହ ନାହିଁ। ସେ ହେବେ ସରକାରର ନେତା। ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍ନିକ୍’ ରିପୋର୍ଟ କରିଛି ଯେ, ସେପ୍ଟେମ୍ବର ୩ ତାରିଖ ଦିନ ତାଲିବାନ୍ ଆଫଗାନିସ୍ତାନରେ ନୂତନ ସରକାର ଘୋଷଣା କରିବ। ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା ଲାଗି ଅଗଷ୍ଟ ୩୧ ତାରିଖ ଦିନ ଦୋହାରେ ସ୍ତାନେକ୍ଜାଇ ‘ପିପୁଲ୍ସ୍ ରିପବ୍ଲିକ୍ ଅଫ୍ ଚାଇନା’ର ରାଷ୍ଟ୍ରଦୂତ ଜୋଉ ଜୈନ୍ଙ୍କୁ ଭେଟିଥିଲେ। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଲିବାନ୍ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ମୁଲ୍ଲା ବରଦରଙ୍କୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରିଛି। ନୂତନ ସରକାର ଗଠନ ସଂକ୍ରାନ୍ତରେ ପରାମର୍ଶ ଚୂଡ଼ାନ୍ତ ହୋଇଥିବା କଥା ତାଲିବାନ୍ କହୁଥିଲେ ମଧ୍ୟ ଶାସନ ବ୍ୟବସ୍ଥାର ନାମକରଣ, ଜାତୀୟ ପତାକା କିମ୍ବା ଜାତୀୟ ସଙ୍ଗୀତ ସମ୍ବନ୍ଧରେ ଆଲୋଚନା ହୋଇ ନାହିଁ ବୋଲି ‘ଟୋଲୋ ନିଉଜ୍’ ରିପୋର୍ଟ କରିଛି।
ତାଲିବାନ ଆତଙ୍କବାଦୀ ହୈବତୁଲ୍ଲା ଅଖୁନ୍ଦଜାଦା ଆଫଗାନିସ୍ତାନ ସରକାରର ମୁଖ୍ୟ ହେବା ସୁନିଶ୍ଚିତ

Share Now: