ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଲିଜ୍ ଟ୍ରସ୍ ନିଜର ଅନୁଗତମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ କରୁଛନ୍ତି। ଏହା ସହିତ ସେ ନିଜର ପ୍ରତିଦ୍ବନ୍ଦୀ ଋଷି ସୁନକଙ୍କ ସମର୍ଥକମାନଙ୍କୁ ସରକାରରୁ ବିଦା କରୁଛନ୍ତି। ବ୍ରିଟେନର ଇତିହାସରେ ପ୍ରଥମ ଥର ପାଇଁ ୪ଟି ସର୍ବୋଚ୍ଚ ତଥା ଗୁରୁତ୍ବପୂର୍ଣ୍ଣ ପଦବୀରେ କୌଣସି ଶ୍ବେତାଙ୍ଗ ବ୍ରିଟିଶ ପୁରୁଷ ନାହାନ୍ତି। ସେଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ ପଦ, ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ଗୃହମନ୍ତ୍ରୀ। ଅର୍ଥମନ୍ତ୍ରୀ ପଦରେ କ୍ବାସି କାର୍ଟେଙ୍ଗ୍, ବିଦେଶ ମନ୍ତ୍ରୀ ପଦରେ ଜେମ୍ସ କ୍ଲେଭରଲିଙ୍କୁ ଅବସ୍ଥାପିତ କରାଯାଇଛି। ଉଭୟ ହେଉଛନ୍ତି କୃଷ୍ଣକାୟ। ସେହିପରି ସୁଏଲା ବ୍ରାଭରମାନଙ୍କୁ ଗୃହମନ୍ତ୍ରୀ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ସେ ଭାରତୀୟ ବଂଶୋଦ୍ଭବ ତଥା ପ୍ରମୁଖ ପ୍ରତିଦ୍ବନ୍ଦୀ ଋଷି ସୁନକଙ୍କ ଅନୁଗତମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀରୁ ବିଦା କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଡୋମିନିକ ରାବ, ଷ୍ଟିଭ ବାର୍କଲେ, ଗ୍ରାଣ୍ଟ ସାପସ ଓ ଶୈଲେସ ଭାରା। ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅନୁଗତମାନଙ୍କୁ ବି ସେ ବିଦା କରିଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରତି ପଟେଲ। ମଙ୍ଗଳବାରଦିନ ଲିଜ୍ ଟ୍ରସଙ୍କୁ ବ୍ରିଟେନରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ ରାଣୀ ଏଲିଜାବେଥ ୨ୟ। ଗତ ସୋମବାରଦିନ ସେ କଂଜରଭେଟିଭ ଦଳର ନେତ୍ରୀ ଚୟନ ହେବା ପରେ ମଙ୍ଗଳବାରଦିନ ସେ ବାଲମୋରାଲ କାସଲ ଯାଇ ରାଣୀଙ୍କୁ ସାକ୍ଷାତ କରିଥିଲେ। ରାଣୀ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ନିଜର ମନ୍ତ୍ରିମଣ୍ଡଳ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଋଷି ସୁନକଙ୍କ ଅନୁଗତମାନଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କଲେ ଲିଜ ଟ୍ରସ୍

Share Now: