ଏଟିଏମ୍‌ରେ ତାଲା, ଟଙ୍କା ଚିନ୍ତା ବଢ଼ିଲା : ବ୍ୟାଙ୍କ, ସରକାର ହାତବାନ୍ଧି ବସିଛନ୍ତି

ଭୁବନେଶ୍ୱର: ରାଜ୍ୟର ଏଟିଏମ୍‌ଗୁଡ଼ିକରେ ଟଙ୍କା ଅଭାବଜନିତ ସମସ୍ୟା ଉତ୍କଟ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରରେ ପରିସ୍ଥିତି ସାଂଘାତିକ ହେଲାଣି। ଆଜି ଅଧିକାଂଶ ଏଟିଏମ୍‌ରେ ସଟର୍‌ ପଡ଼ିଯାଇଛି। ଯାହା କିଛି ଖୋଲା ଅଛି ସେଗୁଡ଼ିକରେ ଟଙ୍କା ନାହିଁ। ଫଳରେ ଲୋକେ ଟଙ୍କା ଉଠାଇବା ପାଇଁ ଗୋଟିଏରୁ ଆଉ ଗୋଟିଏ ଏଟିଏମ୍‌କୁ ଧାଉଁଛନ୍ତି। ଗ୍ରାମାଞ୍ଚଳରୁ ସହରକୁ ଜରୁରୀ କାମରେ ଆସିଥିବା ଲୋକମାନେ ଏହାଦ୍ୱାରା ଖୁବ୍‌ ପ୍ରଭାବିତ ହୋଇଛନ୍ତି। ବିଶେଷକରି ଗତକାଲି ଓଜେଇଇ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସହରକୁ ଆସିଥିଲେ। ଏଟିଏମ୍‌ରେ ଟଙ୍କା ନମିଳିବା ଯୋଗୁଁ ସେମାନେ ମାତ୍ରାଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଏତଦ୍‌ବ୍ୟତୀତ ଆସନ୍ତା ମଙ୍ଗଳବାର ସାବିତ୍ରୀ। ଗତକାଲି ରବିବାର ଥିବାରୁ ଲୋକମାନେ ସାବିତ୍ରୀ ପାଇଁ ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି ଆଜି ବଜାରକୁ ବାହାରିଥିଲେ। ବାଟରେ ଏଟିଏମ୍‌ରୁ ଟଙ୍କା ଉଠାଇ କିଣାକିଣି କରିଥାନ୍ତେ। କିନ୍ତୁ ଏଟିଏମ୍‌ରେ ଟଙ୍କା ନମିଳିବା ଯୋଗୁଁ ଅନେକ ବ୍ୟକ୍ତି ନିରାଶ ହୋଇ ଘରକୁ ଫେରିଛନ୍ତି। ଟଙ୍କା ପାଇଁ ଲୋକ ଡହଳବିକଳ ହେଉଥିବାବେଳେ ବ୍ୟାଙ୍କ କିମ୍ବା ପ୍ରଶାସନ ଏ ନେଇ କିଛି ବି ପଦକ୍ଷେପ ନେଉନାହାନ୍ତି। ଏଟିଏମ୍‌ରେ ମୁଖ୍ୟତଃ ଦୁଇଟି କାରଣ ପାଇଁ ଟଙ୍କା ମିଳୁ ନାହିଁ ବୋଲି ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ମତ ଦେଉଛନ୍ତି। ସେଥିରୁ ପ୍ରମୁଖ କାରଣଟି ହେଲା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଆବଶ୍ୟକ ପରିମାଣର ଅର୍ଥ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଉ ନାହିଁ। ବିଶେଷକରି ଦୁଇ ହଜାର ଟଙ୍କିଆ ନୋଟ୍‌ ପ୍ରାୟତଃ ଏଟିଏମ୍‌ରୁ ଗାଏବ୍‌ ହୋଇଯାଇଛି। ଦୁଇ ହଜାର ଟଙ୍କିଆ ନୋଟ୍‌ର ଅଭାବ ଯୋଗୁଁ ଏଟିଏମ୍‌ରେ କେବଳ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ରଖାଯାଉଛି। ଏଥିଯୋଗୁଁ ଏଟିଏମ୍‌ରେ ଥିବା ୪ଟି କ୍ୟାସେଟ୍‌ ମଧ୍ୟରୁ ଦୁଇ ହଜାର ଟଙ୍କିଆ ରହୁଥିବା କ୍ୟାସେଟଟି ଫାଙ୍କା ରହୁଛି। ଫଳରେ ବ୍ୟାଙ୍କରେ କେବଳ କମ୍‌ ସଂଖ୍ୟକ ନୋଟ୍‌ ନୁହେଁ କମ୍‌ ମୂଲ୍ୟର ଟଙ୍କା ମଧ୍ୟ ରହୁଛି। ଏଥିଯୋଗୁଁ ଟଙ୍କା ଶୀଘ୍ର ସରି ଯାଉଛି। ଏତଦ୍‌ବ୍ୟତୀତ ଅନ୍ୟ ଏକ ପ୍ରମୁଖ କାରଣ ହେଲା ବ୍ୟାଙ୍କଗୁଡ଼ିକ ଏଟିଏମ୍‌ର ଠିକ୍‌ ପରିଚାଳନା କରୁନାହାନ୍ତି। ଏଟିଏମ୍‌ରେ ଟଙ୍କା ଶେଷ ହେବା ପୂର୍ବରୁ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ବାର୍ତ୍ତା ପହଞ୍ଚିବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି ବାର୍ତ୍ତା ପାଇବା ପରେ ସେମାନେ ଟଙ୍କା ଭର୍ତ୍ତି କରିବା ଲାଗି ତତ୍ପରତା ପ୍ରକାଶ କରୁନାହାନ୍ତି। ଏଥିପାଇଁ ଉଭୟ ବ୍ୟାଙ୍କ ଶାଖା ପରିସରରେ ଏବଂ ବାହାରେ ଥିବା ଏଟିଏମ୍‌ରେ ଟଙ୍କା ମିଳୁନାହିଁ। ଅଫ୍‌ସାଇଟ୍‌ ଏଟିଏମ୍‌ ପରିଚାଳନା ଦାୟିତ୍ୱ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ଘରୋଇ କମ୍ପାନି ହାତରେ ଟେକି ଦେଇଛନ୍ତି। ଫଳରେ ସେମାନେ ଠିକ୍‌ ସମୟ ମଧ୍ୟରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ନକରିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ଟଙ୍କା ଅଭାବ ପାଇଁ କେତେଜଣ ବ୍ୟାଙ୍କ ଅଧକାରୀ କେନ୍ଦ୍ର ସରକାରଙ୍କ ନୀତିକୁ ମଧ୍ୟ ଦାୟୀ କରିଛନ୍ତି। ସରକାର ନଗଦ ଅର୍ଥ କାରବାରକୁ ନିରୁତ୍ସାହିତ କରିବା ସହିତ ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଟଙ୍କା ଯୋଗାଣ ହ୍ରାସ କରିଛନ୍ତି। ଏଥିଯୋଗୁଁ ଏଟିଏମ୍‌ରେ ଟଙ୍କା ଅଭାବ ସମସ୍ୟା ସୃଷ୍ଟି ହୋଇଛି ବୋଲି ଜଣେ ବ୍ୟାଙ୍କ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ବଦଳୁଛି ପାଣିପାଗ

Mon May 14 , 2018
ଭୁବନେଶ୍ୱର: ଗତ ୨ରୁ ୩ ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇରହିଛି। ସେହିପରି କଟକରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ହେଇଥିଲା। ପୁରୀରେ ପ୍ରବଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial