ଅନନ୍ୟ ଉଦାହରଣ : ଦିବ୍ୟାଙ୍ଗ ରାଜୁ

ଦିବ୍ୟାଙ୍ଗ ରାଜୁ-1

ପୁରୀ : ଦିବ୍ୟାଙ୍ଗ ବୋଲି କିଏ ତାଙ୍କ ଉପରେ ଦୟା ଦେଖାଏ ତ, କିଏ ଟାହିଟାପରା କରେ। ମାତ୍ର ପରିସ୍ଥିତି ଓ ଟାହିଟାପରା ହିଁ ତାଙ୍କୁ ମାଟି ଉପରେ ମଜ୍‌ବୁତ ହୋଇ ଛିଡ଼ା ହେବାକୁ ସାହସ ଦେଇଥିଲା। ଜୀବନ ଜିଇଁବା ‌ଯେତେବେଳେ ତାଙ୍କ ପାଇଁ ଆହ୍ବାନ ଥିଲା, ଏହାକୁ ସୁଯୋଗରେ ପରିଣତ କଲେ ସାତଶଙ୍ଖ କୁମାରଶ୍ବରର ରାଜକିଶୋର ସ୍ବାଇଁ। ପୋଲିଓ ଆକ୍ରାନ୍ତ ହେବା ଯୋଗୁ ଗୋଟିଏ ଗୋଡ଼ରେ ଚାଲିବାକୁ ପଡ଼ୁଥିଲେ ହେଁ ଚାରି ପ୍ରାଣୀର ପରିବାର ଚଳାଇବାକୁ ସେ ଆରମ୍ଭ କଲେ ନିଜର କ୍ଷୁଦ୍ର ବ୍ୟବସାୟ। ଘରେ ପାମ୍ପଡ଼, ମକା ପାମ୍ପଡ଼ ପ୍ରସ୍ତୁତ କରି ସେ ଏହାକୁ ଆଖପାଖ ଦୋକାନରେ ଲଗାଇଲେ। ଗୋଟିଏ ଗୋଡ଼ରେ ସାଇକେଲ୍‌ ପେଡାଲ୍‌ ମାରିମାରି ୧୦ କିଲୋମିଟର ପର୍ଯ୍ୟନ୍ତ ବୁଲିବୁଲି ସେ ବିଭିନ୍ନ ଦୋକାନରେ ଏହାକୁ ବିକ୍ରି କରୁଛନ୍ତି। ଏଥିରେ ସେ ଖାଲି ନିଜେ ସ୍ବାବଲମ୍ବୀ ହୋଇନାହାନ୍ତି, ବରଂ ଲୋକଙ୍କ ମୁହଁରେ ‘ରାଜୁ ପାମ୍ପଡ଼’ର ଚାହିଦା ବଢ଼ିଯାଇଛି। ଏହାଦ୍ବାରା ଜୀବନ ଯୁଦ୍ଧରେ ହାରି ଯାଉଥିବା ମଣିଷମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ତେଣୁ ଯେଉଁ ଟାହିଟାପରା ପାଇଁ ସେ ଦିନେ ଭାଙ୍ଗି ପଡ଼ିଥିଲେ, ସେଇମାନଙ୍କ ମୁହଁରୁ ପ୍ରଶଂସା ଶୁଣି ଏବେ ନୂଆ ଜୀବନ ଗଢ଼ୁଛନ୍ତି। ଝିଅ ପୁଅ ଦୁହିଁଙ୍କୁ ପାଠ ପଢ଼ାଇ ମଣିଷ କରିବାର ସ୍ବପ୍ନ ଦେଖୁଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ରାଜକିଶୋରଙ୍କ କହିବା ମୁତାବକ, ସେ ପୂର୍ବରୁ ନିଜ ଘର ପାଖରେ ପାନ ଦୋକାନଟିଏ କରିଥିଲେ। ଫନିରେ ଦୋକାନ ଭାଙ୍ଗି ଗଲା। ସେଥିରେ ଥିବା ସମସ୍ତ ଜିନିଷ ବି ନଷ୍ଟ ହୋଇଗଲା। ଏହାକୁ ସଜାଡ଼ିବାକୁ ୧୦ ହଜାର ଟଙ୍କା ଆବଶ୍ୟକ ଥିବା ବେଳେ ଜିନିଷ କିଣିବା ପାଇଁ ଆହୁରି ଟଙ୍କାର ଆବଶ୍ୟକତା ପଡ଼ିଲା। ଏନେଇ ରାଜକିଶୋରଙ୍କ ପତ୍ନୀ ରୀନା ସ୍ବାଇଁ ତାଙ୍କୁ ପାମ୍ପଡ଼ ବ୍ୟବସାୟର ବାଟ ବତାଇଲେ। ଅକ୍ଷମତା ସତ୍ତ୍ୱେ ରାଜକିଶୋର ସହମତି ପ୍ରକାଶ କରି ବ୍ୟବସାୟ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଲେ। ମିଳୁଥିବା ଭତ୍ତା ଟଙ୍କାରେ ସେ ଆରମ୍ଭ କରିଥିଲେ ଏହି ବ୍ୟବସାୟ। ଏବେ ସେ ୧୫ଟି ଦୋକାନରେ ନିଜ ଘରେ ପ୍ରସ୍ତୁତ ପାମ୍ପଡ଼ ବିକ୍ରି ପାଇଁ ଦେଉଛନ୍ତି। ସେଥିରେ ଯାହା ଆୟ ହେଉଛି ଘର ଚଳି ଯାଉଛି, କିନ୍ତୁ କିଛି ସଞ୍ଚିବା ସମ୍ଭବ ହେଉନାହିଁ। ରାଜକିଶୋରଙ୍କ ସମସ୍ୟା ଏହି ଯେ ସେ ଦିବ୍ୟାଙ୍ଗ ହୋଇଥିବାରୁ ବେଶି ଦୂର ପର୍ଯ୍ୟନ୍ତ ତାଙ୍କ ବ୍ୟବସାୟକୁ ସଂପ୍ରସାରଣ କରିପାରୁନାହାନ୍ତି। ତେଣୁ ବ୍ୟାଟେରି ଚାଳିତ ଟ୍ରାଇ‌ସାଇକେଲ୍‌ କିମ୍ବା ମୋଟର ଚାଳିତ ଟ୍ରାଇ‌ ସାଇକେଲ୍‌ଟିଏ ହେଲେ ସେଥିରେ ତାଙ୍କର ବ୍ୟବସାୟର କ୍ଷେତ୍ରକୁ ବ୍ୟାପକ କରିପାରନ୍ତେ ବୋଲି କହିଛନ୍ତି। ଏନେଇ ସେ ଜିଲ୍ଲାପାଳଙ୍କୁ ନିବେଦନ ମଧ୍ୟ କରିଛନ୍ତି। ଯେତେବେଳେ ଅନେକ ଲୋକ ସବୁଦୃଷ୍ଟିରୁ ସକ୍ଷମ ଥାଇ ମଧ୍ୟ କର୍ମ ସଂସ୍ଥାନ ଖୋଜି ପାଉନାହାନ୍ତି, ସେତେବେଳେ ରାଜକିଶୋର ଗୋଟିଏ ଗୋଡ଼ରେ ପେଡାଲ୍‌ ମାରି ବ୍ୟବସାୟ କରି ସୂଚେଇ ଦେଉଛନ୍ତି ଯେ ଜୀବନକୁ ଜିଇଁବାର ବା‌ଟ ଖୋଲା ପଡ଼ିଛି। ଖାଲି ଆପଣାଇ ପାରିଲେ ହେଲା।

Share Now:

Kalinga News Beuro

Next Post

ସାଉଦୀ ଆରବକୁ କ୍ଷେପଣାସ୍ତ୍ର ବିକିବ ଆମେରିକା

Fri Nov 5 , 2021
ୱାସିଂଟନ୍‌: ସାଉଦୀ ଆରବକୁ ୬୫୦ ନିୟୁତ ଡଲାର୍‌ ମୂଲ୍ୟର ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଘୋଷଣା କରିଛି। ଡ୍ରୋନ୍‌ ଆକ୍ରମଣରୁ ସାଉଦୀ ଆରବକୁ ରକ୍ଷା କରିବା ଲାଗି ଆମେରିକା ଉକ୍ତ କ୍ଷେପଣାସ୍ତ୍ର ବିକ୍ରିକୁ ଅନୁମୋଦନ କରିଥିବା ଜଣାପଡ଼ିଛି। ଏହି ଅନୁମୋଦନ ବଳରେ ସାଉଦୀ ଆରବ ୨୮୦ଟି ‘ଏମ୍‌-୧୨୦ସି’ ଉନ୍ନୀତ ମଧ୍ୟମ ରେଞ୍ଜ୍‌ କ୍ଷେପଣାସ୍ତ୍ର ଏବଂ […]
କ୍ଷେପଣାସ୍ତ୍ର ବିକିବ ଆମେରିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial