ବୃକ୍ଷ ଶୂନ୍ୟ ହେବ ରାଜଧାନୀ : କାଟିଦେଲେ ୭୦ ବିଶାଳ ବୃକ୍ଷ

ବୃକ୍ଷ ଶୂନ୍ୟ ହେବ ରାଜଧାନୀ

ଅନ୍ଧ ହୋଇଗଲେ କି ସରକାର ଓ ପ୍ରଶାସନ ? କ୍ବାର୍ଟର୍ସ ଖାଲି ହେବା ପୂର୍ବରୁ ଗଛ ମୂଳପୋଛ

ଭୁବନେଶ୍ୱର: ବୃକ୍ଷ ଶୂନ୍ୟ ହେବ ରାଜଧାନୀ। ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ବୃକ୍ଷ ଛେଦନ ଚାଲିଛି। ମାସେ ହେଲା, ସହରରେ ବେଧଡ଼କ ଭାବେ ଗଛ କଟା ଯାଉଛି। ତା’ ପୁଣି ସରକାରୀ ବାବୁଙ୍କ ଛତ୍ରଛାୟା ତଳେ। ଉତ୍କଳ ହସ୍ପିଟାଲରୁ ଓଇଆରସି ରାସ୍ତାର ମେଡିଆନ୍‌ରୁ ପାଖାପାଖି ହଜାରେ ଗଛ କଟାଯିବା ନେଇ ‘ସମ୍ବାଦ’‌ରେ ଖବର ପ୍ରକାଶ ପରେ ବାବୁମାନେ ଟିକି‌ଏ କୋହଳ ମନୋଭାବ ପୋଷଣ କରିଛନ୍ତି। ମେଡିଆନ୍‌ ମଧ୍ୟ ଭାଗରେ ଥିବା ଗଛ ନ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ମା‌ତ୍ର ନକ୍ସା ବଦଳାଇଲେ ନାହିଁ। ଦୁଇଦିନ ତଳେ ୪୦୦ ଗଛ କାଟିଥିବା ବେଳେ ଆଗକୁ ଆଉ କେତେ ଗଛ କଟାଯିବ, ତାହା ଆକଳନ କରିବା ବି ମୁସ୍କିଲ। ଏବେ ପୁଣି ୬୦ରୁ ୭୦ବର୍ଷ ପୁରୁଣା ଗଛକୁ ବି ବଳି ଦିଆଯାଇଛି। ୟୁନିଟ୍‌-୪ ଅଞ୍ଚଳରେ ଥିବା ବିଧାୟକ କ୍ବାର୍ଟର୍ସ ଆଧୁନିକୀକରଣ ଲାଗି ୭୦ରୁ ଅଧିକ ବିଶାଳ ବୃକ୍ଷ କଟା ସରିଲାଣି। କିଏ କାଟୁଛି? କାହିଁକି କାଟୁଛି, ସେନେଇ କାହା ପାଖରେ ଖବର ନାହିଁ। ଅନୁମତି ଦିଆଯିବା ନେଇ ସିଟି ଫରେଷ୍ଟ ଡିଭିଜନ୍‌ ପା‌ଖରେ କୌଣସି ଖବର ନ ଥିବା ବେଳେ ବିଧାୟକ କ୍ବାର୍ଟର୍ସ ନିର୍ମାଣ କରୁଥିବା ସଂସ୍ଥା ଏ ବିଷୟରେ ଜାଣି ନ ଥିବା କହିଛି। ସୂଚନା ଅନୁଯାୟୀ, ବର୍ତମାନର ବିଧାୟକ କଲୋନିର ରୂପରେଖ ବଦଳିବ। ସାଧାରଣ ପ୍ରଶାସନ ବିଭାଗ ଅଧୀନ ୪୨ଟି କ୍ବାଟର୍ସକୁ ଭଙ୍ଗାଯିବା ସହ ସେଠାରେ ନୂଆ ବିଲଡିଂ ନିର୍ମାଣ କରାଯିବ। ବହୁତଳ କୋଠା ସହ ସେଠାରେ ଗାର୍ଡେନ୍‌, ଜିମ୍‌, ବିଶ୍ରମ ଗୃହ, ପାର୍କିଂ ବ୍ୟବସ୍ଥା ରହିବ। କମ୍ୟୁନିଟି ହଲ୍‌, କଲ୍ୟାଣ ମଣ୍ଡପ, ମଲଟି ଜିମ୍‌, ଖାଲି ସ୍ଥାନ, ମର୍ଣ୍ଣିଂ ୱାର୍କ, ବ୍ୟବସାୟ ପ୍ରତିଷ୍ଠାନ ରହିବ। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ବି ଉପଲବ୍ଧ ହେବ। ଏହି ପ୍ରକଳ୍ପ ଲାଗି ପ୍ରାୟ ୪୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି କୋଠାର ନିର୍ମାଣ ଦାୟିତ୍ବ ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ (ଓବିସିସି)କୁ ଦିଆଯାଇଛି। କିନ୍ତୁ ଏବେ ସୁଦ୍ଧା ସମସ୍ତ କ୍ବାର୍ଟର ଖାଲି ହୋଇ ନାହିଁ। ଆହୁରି କିଛି କ୍ବାର୍ଟର୍‌ ଭଙ୍ଗାଯିବା ବାକି ରହିଛି। ତା’ପୂର୍ବରୁ ଗଛ କାଟି ସଫା କରି ଦିଆଯାଇଛି।
ନିୟମ ଅନୁଯାୟୀ ସରକାରୀ ହୁଅନ୍ତୁ କି ବେସରକାରୀ ସଂସ୍ଥା, ଗଛ କାଟିବା ପୂର୍ବରୁ ସିଟି ଫରେଷ୍ଟ ଡିଭିଜନ୍‌ଙ୍କ ଅନୁମତି ନେବା ଆବଶ୍ୟକ। ଏଥିସହ ଯେତିକି ଗଛ କାଟିବେ, ତାହାର ୧୦ଗୁଣ ଗଛ ଲଗାଇବେ। ମାତ୍ର ତାହାକୁ ଏଠାରେ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ବନବିଭାଗ ଅଧିକାରୀଙ୍କ ନିକଟରେ କୌଣସି ଖବର ନାହିଁ। ସେପଟେ କାମ ନେଇଥିବା ସଂସ୍ଥାର ଅଧିକାରୀମାନେ ଗଛ କଟାଯିବା ଘଟଣାରେ ଚୁପ୍‌ ରହିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ୬୦ରୁ ୭୦ବର୍ଷ ତଳେ ଏଠାରେ ପିପଳି, ଜାମୁ, ଆମ୍ବ ଓ ପଣସ ପରି ବହୁ ମୂଲ୍ୟାୟନ ଗଛ ଲଗା ଯାଇଥିଲା। ବନ ବିଭାଗ ବି ଏହି ଗଛଗୁଡ଼ିକ ଲଗାଇଥିଲା। ପରବର୍ତ୍ତୀ ସମୟରେ ଗା‌ର୍ଡେନ୍‌ରେ ବହୁ ପରିମାଣ ଫଳ ଗଛ ମଧ୍ୟ ଲାଗିଥିଲା। ଏହାଦ୍ବାରା ଗ୍ରୀଷ୍ମ ଋତୁରେ ଏଠାକାର ପରିବେଶ ଥଣ୍ଡା ରହୁଥିଲା। ବିଧାୟକଙ୍କ ନିକଟକୁ ଆସୁଥିବା ଲୋକ ବସୁଥିଲେ। ଗଛ ତଳେ ବହୁ ପିଲା ବସି ପରୀକ୍ଷା ଲାଗି ପଢ଼ାପଢ଼ି କରୁଥିଲେ। ଗଛ କାଟିବା ଅପେକ୍ଷା ତାହାର ସୁରକ୍ଷା କରାଯାଇଥିଲେ ଭଲ ହୋଇଥାନ୍ତା।

Share Now:

Kalinga News Beuro

Next Post

ଐତିହାସିକ ନନ୍ଦକୁଣ୍ଡ ଏବେ ନର୍କକୁଣ୍ଡ : ଉଚ୍ଚ ଅଦାଲତଙ୍କ ସଫେଇ ନିର୍ଦ୍ଦେଶକୁ ଫୁ’

Thu Jan 20 , 2022
ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ଗ୍ୟାରେଜ୍‌ ଛକ ନିକଟ ନନ୍ଦକିଶୋରନଗରର ଐତିହାସିକ ନନ୍ଦକୁଣ୍ଡ ପୁଷ୍କରିଣୀ (କଣ୍ଡରା ପୋଖରୀ) ଦୀର୍ଘ ବର୍ଷ ହେଲା ସଫା କରାଯାଇନାହିଁ। ଫଳରେ ଏହି ପୋଖରୀ ପାଣିରେ କ୍ରମାଗତ ଆବର୍ଜନା ଜମିବା ଦ୍ୱାରା ନଷ୍ଟ ହୋଇଗଲାଣି। ସେହିଭଳି ଦଳ ଭର୍ତ୍ତି ହୋଇ ପୋଖରୀ ପୋତି ହେବାକୁ ବସିଲାଣି। ତେଣୁ କିଛି ବର୍ଷ ହେଲା ଅବ୍ୟବହୃତ ହୋଇ ରହିବା ଦ୍ବା‌ରା ଏହାର ଜଳ କଳା ପଡ଼ିଗଲାଣି। ତେଣୁ କଣ୍ଡରା ପୋଖରୀ […]
ନନ୍ଦକୁଣ୍ଡ ଏବେ ନର୍କକୁଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial