ଭୁବନେଶ୍ବର: ହାୱଡା-ଚେନ୍ନାଇ ମୁଖ୍ୟ ରେଳଲାଇନ୍ରେ ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅଧୀନ ବିଜୟନଗରମ୍-କୋଟ୍ଟାଭାଲାସା ରେଲୱେ ସେକ୍ସନର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ମଝିରେ ରବିବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା। କିନ୍ତୁ ଗୋଟିଏ ମୃତହେହକୁ ଭୁଲରେ ୨ ଥର ଗଣାଯାଇଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏହି ଦୁର୍ଘଟଣା ପରେ ରବିବାର ସନ୍ଧ୍ୟା ସାଢ଼େ ୭ଟା ପରଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। କିନ୍ତୁ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଟ୍ରେନ୍ ଚଳାଚଳ ପୁଣି ଥରେ ଆରମ୍ଭ ହୋଇଯାଇଛି। ଯାତ୍ରୀମାନେ ପୁଣି ନିଜ ନିଜ ଗନ୍ତବ୍ୟସ୍ଥଳରେ ଯିବା ଆରମ୍ଭ କରିଦେଇଛନ୍ତି। ଅପ୍ ଲାଇନ୍ରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍ ନମ୍ବର ୧୮୪୬୩ ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ ଆଲମଣ୍ଡା ଷ୍ଟେସନରୁ ୨ଟା ୩୬ରେ ବାହାରିଛି। ଏହା ପୂର୍ବରୁ ଡାଉନ୍ଲାଇନ୍ରେ୨ଟା ୨୩ ମିନିଟରେ ଏକ ମାଲବାହୀ ଟ୍ରେନ୍ ଚଳାଚଳ କରିଛି। ଟ୍ରେନ୍ ଚଳାଚଳ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ପଦକ୍ଷେପ ନିଆଯାଇଥିଲା। ଟ୍ରାକ୍ ମରାମତି ପାଇଁ ୧୦ଟି ପ୍ରୋକ୍ଲେନ ମେସିନ, ୧୪୦ ଟନର ଗୋଟିଏ ରେଲ୍ କ୍ରେନ୍ନି ୟୋଜିତ ହୋଇଥିଲା। ସେହିପରି ପ୍ରାୟ ୮୦୦ରୁ ୯୦୦ ଜଣ ଲୋକ ମରାମତି କାମରେ ଲାଗିଥିଲେ। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା ୫ଟି କୋଚକୁ ଗ୍ରାଉଣ୍ଡେଡ କରାଯାଇଛି ବା ଟ୍ରାକରୁ ହଟାଯାଇଥିଲା। ଦୁର୍ଘଟଣା କାରଣରୁ ୪୫ ଟି ଟ୍ରେନ୍ ବାତିଲ ହୋଇଥିଲା। ସେହିପରି ୪୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଥିଲା ଓ ମାର୍ଗ ପରିବର୍ତ୍ତନ ହୋଇଥିଲା। ୪ଟି ଟ୍ରେନ୍ ରିସିଡ୍ୟୁଲ ହୋଇଥିଲା।
ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣା : ଟ୍ରାକ୍ ମରାମତି ପରେ ଚାଲିଲା ଏକ୍ସପ୍ରେସ୍ ଟ୍ରେନ୍

Share Now: