ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: କିଏ ହେ‌ବେ ମେୟର ପ୍ରାର୍ଥୀ?

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ

ଭୁବନେଶ୍ୱର : ବିଏମ୍‌ସି ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ କିଏ? ବିଜେପି ଓ କଂଗ୍ରେସ ଦଳ କାହାକୁ ପ୍ରାର୍ଥୀ କରିବେ? ଅନ୍ୟ କୌଣସି ରାଜନୈତିକ ଦଳ ମେୟର ପଦବି ଲାଗି ପ୍ରାର୍ଥୀ ଦେବେ ନା ସମର୍ଥନ ଜଣାଇବେ? ସ୍ବାଧୀନ ଭାବେ କୌଣସି ନାରୀନେତ୍ରୀ ମଇଦାନକୁ ଓହ୍ଲାଇବେ କି? କୌଣସି ବି ରାଜନୈତିକ ଦଳ ଏପର୍ଯ୍ୟନ୍ତ ମେୟର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ ବିଭିନ୍ନ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ନିର୍ବାଚନ ଘୋଷଣା ହୋଇ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେଲାଣି। ଚର୍ଚ୍ଚାରେ ରହୁଥିବା ମହିଳାଙ୍କ ତାଲିକା ଲମ୍ବିଚାଲିଛି। କିନ୍ତୁ ମେୟର ପ୍ରାର୍ଥୀଙ୍କ ଉପରୁ ପରଦା ହଟୁନି। ତିନି ପ୍ରମୁଖ ରାଜନୈତିକ ଦଳର ଏପରି ରହସ୍ୟଜନକ କାରବାର ବିଏମ୍‌ସି ରାଜନୀତିକୁ ଆହୁରି ରୋଚକ ମୋଡ଼କୁ ଆଣିଛି। ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ଆଶାତୀତ ସଫଳତା ପରେ ରାଜନୈତିକ ମହଲର ସର୍ବାଧିକ ନଜର ରହିଛି ବିଜେଡିର ମେୟର ପ୍ରାର୍ଥୀ ଉପରେ। ଦଳ କାହାର ନାମ ଘୋଷଣା କରିବ ତାହା ଏବେ ଚର୍ଚ୍ଚାର ବିଷୟ। ଦିନ ଯେତିକି ଗଡ଼ୁଛି ସାଧାରଣରେ ଉତ୍କଣ୍ଠା ସେତିକି ବଢ଼ୁଛି। ବିଜେଡିର ତିନି ବିଧାୟକ, ଆଗ ଧାଡ଼ିର ନେତା ମଧ୍ୟ ଏହାର ସୁରାକ ପାଉ ନାହାନ୍ତି। ତିନି ବିଧାୟକଙ୍କ ମତାମତ ନିଆଯାଇଛି ସତ। କିନ୍ତୁ ଦଳର ସଭାପତି କାହା ମୁଣ୍ଡରେ ସୁନା କଳସ ଢାଳିବାକୁ ଚାହୁଁଛନ୍ତି, ତାହା ସେମାନେ ଠଉରାଇ ପାରୁ ନାହାନ୍ତି। ମେୟର ଚର୍ଚ୍ଚା ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ଯାଏ ପାଖାପାଖି ଡଜନେ ନାମକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି। ପ୍ରଥମେ ସୁସ୍ମିତା ବାଗ୍‌ଚୀ, ଶ୍ରୀମୟୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା। ଦିନ ଗଡ଼ିବା ସହ ଏହି ଚର୍ଚ୍ଚା‌ରେ ଅଧିକ ନାମ ଯୋଡ଼ି ହୋଇ ଚାଲିଲା। ଇତିରାଣୀ ସାମନ୍ତ, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ସାମିଲ ହୋଇଛି। ଭୁବନେଶ୍ବରର ବିଜେଡି ସଂଗଠନରୁ ମଧ୍ୟ ଦୁଇଟି ନାମ ଚର୍ଚ୍ଚାରେ ଆଗକୁ ଆସିଛି। ସେମାନେ ହେଲେ, ପୂର୍ବତନ ଡେପୁଟି ମେୟର କେ ଶାନ୍ତି ଓ ପୂର୍ବତନ କର୍ପୋରେଟର୍‌ ମହାମାୟା ସ୍ବାଇଁ। ଯଦି ବସ୍ତି ଅଞ୍ଚଳରୁ ମେୟର ପ୍ରାର୍ଥୀ ଦିଆଯାଏ, ତେବେ କେ. ଶାନ୍ତିଙ୍କ ନାମ ବିଚାର କରାଯିବ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ଭୁବନେଶ୍ବରର ସ୍ଥାନୀୟ ବିଜେଡି ସଂଗଠନର ଅନ୍ୟ କୌଣସି ମହିଳାଙ୍କ ନାମ ଏ ଯାଏ ଅଧିକ ଚର୍ଚ୍ଚାର ପରିସରକୁ ଆସିନାହିଁ। ବିଜେଡି ନେତାମାନେ ପରସ୍ପରକୁ ଏ ସମ୍ପର୍କରେ ପଚରାଉଚୁରା କରୁଥିଲେ ବି କାହା ପାଖରେ କିଛି ଠୋସ୍‌ ଉତ୍ତର ମିଳୁ ନାହିଁ। ଯିଏ ଯେଉଁ ନାମ ପାରୁଛି ଏହି ତାଲିକାରେ ଯୋଡ଼ି ଦେଉଛି। ସିଧାସଳଖ ସାମାଜିକ ଗଣମାଧ୍ୟମରେ ସେହି ନାମକୁ ପୋଷ୍ଟ କରି ଚର୍ଚ୍ଚାରେ ରଖାଯାଉଛି। ତିନି ବିଧାୟକ ମେୟର ଚର୍ଚ୍ଚାରେ ଆଦୌ ସାମିଲ ହେଉ ନାହାନ୍ତି। ଦଳ ଯାହାଙ୍କୁ ପ୍ରାର୍ଥୀ କରିବ ଆମେ ତାହାକୁ ସମର୍ଥନ ଜଣାଇବୁ ବୋଲି ସେମାନେ କହୁଛନ୍ତି। ସେମାନେ ବିଭିନ୍ନ ୱାର୍ଡର ଏକାଧିକ ଆଶାୟୀ ପ୍ରାର୍ଥୀଙ୍କୁ ବୁଝାସୁଝା କରିବା‌ରେ ଏବେ ବ୍ୟସ୍ତ। ବିଜେଡିର ଆଭ୍ୟନ୍ତରୀଣ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡି ତା’ର ମେୟର ପ୍ରାର୍ଥୀଙ୍କୁ ଯଥେଷ୍ଟ ଆଗରୁ ଚୟନ କରିସାରିଛି। କେବଳ ଔପଚାରିକତା ଦୃଷ୍ଟିରୁ ନାମ ଘୋଷଣା ବାକି ରହିଛି।
ସେପଟେ ବିଜେପି ଘନ ଘନ ବୈଠକ ଜାରି ରଖିଥିଲେ ମଧ୍ୟ କାହାରି ନାଁ ସାମ୍ନାକୁ ଆଣିପାରି ନାହିଁ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି ତିନି ନିର୍ବାଚନମଣ୍ଡଳୀର ନେତା ଇତିମଧ୍ୟରେ ମାରାଥନ୍‌ ଆଲୋଚନା କରିଛନ୍ତି। ସଂଗଠନ ଭିତରୁ ନୁହେଁ, ଅନ୍ୟ କ୍ଷେତ୍ରରେ ସଫଳ ହୋଇଥିବା ମହିଳାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। ପଦ୍ମ ପୁରସ୍କାର ପାଇଥିବା ଜଣେ ମହିଳାଙ୍କୁ ବିଜେପି ଟିକେଟ୍‌ରେ ଲଢ଼ିବା ପାଇଁ ଅଫର୍‌ ଦିଆଯାଇଥିଲା। କିନ୍ତୁ ସେ ତାହାକୁ ଗ୍ରହଣ କରି ନ ଥିଲେ। ଏହା ପରେ ଅନ୍ୟ କ୍ଷେତ୍ରରେ ୩ ଜଣଙ୍କ ବ୍ୟକ୍ତିଙ୍କ ନାମ ଉପରେ ଆଲୋଚନା ହୋଇଛି। ସେମାନଙ୍କ ମତାମତ ମଧ୍ୟ ମଗାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସମ୍ମତି ପ୍ରଦାନ କରିଛନ୍ତି। ବିଜେଡିର ମେୟର ପ୍ରାର୍ଥୀଙ୍କୁ ଲକ୍ଷ୍ୟ କରି ଦଳ ସମାନ ସ୍ତରର ଜଣେ ମହିଳାଙ୍କୁ ଆଗକୁ ଆଣିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା ନ କରିବାରୁ ବିଜେପି ବି ପଛୁଘୁଞ୍ଚା ଦେଇଛି। ଆସନ୍ତାକାଲି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ଦଳରେ ମେୟର ପଦବି ପାଇଁ ଅଧିକ ଦାବିଦାର ନାହାନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ତିନିଟି ନାମ ଚର୍ଚ୍ଚାକୁ ଆସିଛି। ସେମାନେ ରଶ୍ମି ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ ଓ ସୁଭଦ୍ରା ମିଶ୍ର। ତେବେ ରାଜନୈତିକ ପରିବାରରୁ ଆସିଥିବା ମଧୁସ୍ମିତାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଆପାତତଃ ନିଷ୍ପତ୍ତି ନେଇଛି। କିନ୍ତୁ କଟକ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲେ ବି ଭୁବନେଶ୍ବରର ପ୍ରାର୍ଥୀଙ୍କ ନାମ ଘୋଷଣା କରା ନ ଯିବାରୁ ନେଇ ପୁଣି ସନ୍ଦେହ ବଢ଼ିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ଆତଙ୍କବାଦୀ ଆକ୍ରମଣରେ ମାଲିର ସୈନ୍ୟ ଶିବିରର୨୭ ସୈନ୍ୟ ମୃତ, ୨୧ ଗୁରୁତର

Sat Mar 5 , 2022
ବମାକୋ: ମାଲିର ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ। ପଶ୍ଚିମ ଆଫ୍ରିିକାରେ ଥିବା ମାଲି ଦେଶରେ ଗତକାଲି ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଅତି କମରେ ୨୭ ସୈନିକ ମୃତ୍ୟୁବରଣ କରିଛନ୍ତି ଓ ୨୧ ଜଣ ଗୁରୁତର ହୋଇଛନ୍ତି। ଏହା ସହ ୭ ଜଣ ନିଖୋଜ ଥିବା କୁହାଯାଉଛି। ଏହି ଆକ୍ରମଣ ମଣ୍ଡୋରା ସୈନ୍ୟ ଶିବିର ଉପରେ କରାଯାଇଛି ଯାହା ବୁର୍କିନା ଫାସୋ ଓ […]
ମାଲିର ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ

ଆହୁରି ପଢ଼ନ୍ତୁ