କାଳ ହେବ କି ବେଆଇନ ବାଲିଉଠାଣ!
ଭୁବନେଶ୍ୱର: କୁଆଖାଇ ନଦୀରୁ ଚାଲିଛି ଆଖିବୁଜା ବାଲି ଉଠାଣ। ନିୟମକୁ ଜଳାଞ୍ଜଳି ଦେଇ ବାଲି ଉଠାଣ ହେଉଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଟଙ୍କପାଣି ବ୍ରିଜ୍ ପାଖରୁ ଚାଲିଛି ବେଆାଇନ ବାଲି ଉତ୍ତୋଳନ। ତେଣୁ ଟଙ୍କପାଣି ବ୍ରିଜ୍ ପ୍ରତି ବିପଦ ସୃଷ୍ଟି ହେଲାଣି ବୋଲି ଆଶଙ୍କା ପ୍ରକାଶ ପାଇଛି। ବେଳ ହୁଁ ସତର୍କ ନହେଲେ, ବଡ଼ଧରଣର ଅଘଟଣ ଘଟିବାକୁ ଏଡ଼ାଇ ହେବ ନାହିଁ। ଏବେଠୁ ବ୍ରିଜ୍ ପାଖରୁ ବାଲି ଉତ୍ତୋଳନ ବନ୍ଦ କରାନଗଲେ ବ୍ରିଜ୍ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହେଉଛି। ଓଡ଼ିଶା ମାଇନର୍ ମିନେରାଲ୍ କନ୍ସେସନ୍ ରୁଲ୍ର୍ସ ଅନୁସାରେ ନିଲାମଧାରୀ କେଉଁକେଉଁ ଦିଗପ୍ରତି ଦୃଷ୍ଟି ଦେଇ ବାଲି ଖନନ କରିବେ, ତାର ସମ୍ପୂର୍ଣ୍ଣ ନିୟମାବଳୀ ରହିଛି। ଟଙ୍କପାଣି ବ୍ରିଜ୍ ନିକଟ ନଦୀବନ୍ଧଠାରୁ ଶହେ ମିଟର ଦୂରରୁ ଏବଂ ବ୍ରିଜ୍ଠାରୁ ୫୦୦ ମିଟର ଦୂରରୁ ବାଲି ଖୋଳାଯିବା କଥା। କିନ୍ତୁ ନଦୀବନ୍ଧ ଓ ବ୍ରିଜ୍ ପାଖରୁ ହଜାର ହଜାର ଟ୍ରିପ୍ ବାଲି ଖୋଳା ଯାଉଛି। ବ୍ରିଜ୍ର ଶହେ ମିଟର ପରିଧି ଭିତରେ ଭ୍ୟାକୁମ୍ ଜରିଆରେ ବାଲି ଖୋଳା ଯାଉଛି। ପାଣି ଭିତରେ ବଡ଼ ବଡ଼ ଖାଲ ଖୋଳା ଯାଉଛି।
ଏଥିସହ ପାଣି ମିଶା ବାଲି ହାଇୱା, ଟ୍ରାକ୍ଟର୍ ଦ୍ୱାରା ଚାଲାଣ କରାଯାଉଛି। ନିଲାମଧାରୀ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ଏଠି ସବୁ ନିୟମ ଚୁଲିକୁ ଗଲାଣି। ବ୍ରିଜ୍ ନିକଟରୁ ଅଧିକ ଗଭୀରରୁ ଭ୍ୟାକୁମ୍ ଯୋଗେ ବାଲି ଖୋଳା ଯାଉଥିବାରୁ ବ୍ରିଜ୍ ଦୁର୍ବଳ ହେଉଥିବା ଅଭିଯୋଗ ହେଉଛି। ବାଲିଅନ୍ତା ତହସିଲ ଅଧୀନ କୁଆଖାଇ ଟଙ୍କପାଣି ବ୍ରିଜ୍ ନିକଟରେ ବାଲିଘାଟକୁ ନିଲାମ ଦିଆଯାଇଛି। ନିୟମାନୁସାରେ ବାଲିଘାଟରେ ୨ ମିଟର ଗଭୀର ଯାଏ ବାଲି ଖୋଳାଯିବା କଥା। ୨ ମିଟର ଭିତରେ ଯଦି ପାଣି ପଡ଼େ, ତେବେ ସେତିକିରେ ହିଁ ଖନନ ବନ୍ଦ ହେବା କଥା। କିନ୍ତୁ ଏହି ଘାଟରେ ବଡ଼ବଡ଼ ମେସିନ୍ ଲଗାଯାଇ ପ୍ରାୟ ୩୦ଫୁଟ୍ ଗଭୀରରୁ ବାଲି ଖୋଳା ଯାଉଛି। ଏଭଳି ବେଆଇନ ବାଲି ଖନନ ବ୍ରିଜ୍ ଓ ବନ୍ଧ ପ୍ରତି ଯେତିକି ବିପଦ ସୃଷ୍ଟି କରୁଛି, ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଯାତାୟାତରେ ତହୁଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ହାଇୱା ଓ ଟ୍ରକ୍ରୁ ଓଦା ବାଲି ରାସ୍ତା ସାରା ପଡ଼ିପଡ଼ି ଯାଉଛି। ଫଳରେ ଏବେ ରାସ୍ତା ଉପରେ ପ୍ରାୟ ଫୁଟେ ବହଳର ବାଲି ଗଦା ହୋଇ ରହିଛି। ଏହାଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ଯାତାୟାତରେ ବାଧା ଉପୁଜୁଛି। ରାସ୍ତାରୁ ବାଲି ଉଠା ଯାଉନାହିଁ। ଫଳରେ ବାଲି ଶୁଖିଯିବା ପରେ ପ୍ରବଳ ମାତ୍ରାରେ ଧୂଳି ଉଡ଼ୁଛି। ସେହିଭଳି ନଦୀଶଯ୍ୟାରେ ବଡ଼ବଡ଼ ଖାଲ ଯୋଗୁଁ ଆଖପାଖ ଗାଁର ଲୋକେ ଗାଧୋଇବାକୁ ଆସି ସଲିଳ ସମାଧି ନେଉଛନ୍ତି। ଏମିତି ଅନେକ ଉଦାହରଣ ରହିଛି। ଏଥିପ୍ରତି ରାଜସ୍ୱ ବିଭାଗ, ପ୍ରଦୂଷଣ ବୋର୍ଡ ଓ ପରିବହନ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେବାକୁ ଦାବି ହେଉଛି।