ରାଉରକେଲା : ଓପିଟିସିଏଲ ଗ୍ରିଡରୁ ଚୋରି କରିବା ଦୁଇ ଚୋରକୁ ମହଙ୍ଗା ପଡ଼ିଛି। ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଚୋର ଜଳି ଯାଇଛନ୍ତି। ଦୁହିଁଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲର ବର୍ନ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁହେଁ ହେଲେ ଉଦିତନଗର ଶୀତଳପଡ଼ାର ଚିକୁ ଚୌଧୁରୀ ଓ ବାସନ୍ତି ମାଲଗୋଦାମର ପିଣ୍ଟୁ ରାମ। ଅନ୍ୟ ଛଅ ଚୋର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତି ପ୍ରାୟ ଚାରିଟାରେ ଆଠ ଚୋର ଟ୍ରାନ୍ସଫର୍ମରର ଆଇସୋଲସନ ଚୋରି କରିବାକୁ ଓପିଟିସିଏଲ ଭିତରକୁ ପଶିଥିଲେ। ଚିକୁ ଓ ପିଣ୍ଟୁ ଦୁଇ ଜଣ ବିଦ୍ୟୁତ ଚାଳିତ ଖୁଣ୍ଟିକୁ ଚଢିଥିଲେ। ଅନ୍ୟ ଛଅ ଜଣ ତଳେ ଛିଡ଼ା ହୋଇଥିଲେ। ଦୁଇ ଚୋର ଆଇସୋଲେସନ ଖୋଲୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଜଳି ଯାଇ ତଳକୁ ଖସି ପଡ଼ିଥିଲେ। ଭୟରେ ଅନ୍ୟ ଛଅ ପାଚେରି ଡେଇଁ ଫେରାଇ ହୋଇ ଯାଇଥିଲେ। ଦୁଇ ଗୁରୁତରଙ୍କୁ ଡିୟୁଟି କରୁଥିବା ସୁରକ୍ଷାକର୍ମୀ ଉଦ୍ଧାର କରି ଆରଜି ଏଚକୁ ପଠାଇ ଥିଲେ। ଟାଙ୍ଗରପାଲି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ବିଦ୍ୟୁତ୍ ଗ୍ରିଡରୁ ଚୋରିକରି ପୋଡ଼ିଗଲେ ଦୁଇ ଯୁବକ : ବର୍ତ୍ତିଗଲେ ଛଅ

Share Now: