ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା : ଜାମିନ ମଞ୍ଜୁର ପରେ ମଧ୍ୟ ମୁକୁଳି ପାରୁ ନାହାନ୍ତି ୪୪୪ ବନ୍ଦୀ

କଟକ: କେତେକ ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲେ ମଧ୍ୟ ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ ବେଲ-ବଣ୍ଡ୍ ଓ ଅନ୍ୟ ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହେବାରୁ ସେମାନେ ଜାମିନରେ ଜେଲରୁ ମୁକୁଳି ପାରି ନଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଜାମିନ ସର୍ତ୍ତ ପୂରଣ ନ କରି ପାରି ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଓ ସଚିବଙ୍କୁ ନେଇ ଏହି ପ୍ରସଂଗରେ ଏକ ସପ୍ତାହ ଭିତରେ ଏକ ଅନ୍ ଲାଇନ ବୈଠକ କରିବାକୁ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ ଜାମିନ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇ ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପ୍ରସଂଗରେ ରହିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବନ୍ଦୀ ଜେଲରୁ ଜାମିନରୁ ବାହରିବା ପ୍ରସଂଗ ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜାମିନ ପାଇବା ସତ୍ତ୍ୱେ ଜେଲରୁ ମୁକୁଳି ପାରି ନଥିବା ବିଚାରାଧୀନ ବନ୍ଦୀଙ୍କ ସଂପର୍କିତ ସାନି ସ୍ଥିତି ନେଇ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ଆଇନସେବା ପ୍ରାଧିକରଣକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ‌‌ ନେଇ ଗଠିତ ଖଣ୍ଡପୀଠ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରି ଓ ରାଜ୍ୟ ଆଇନସେବା ପ୍ରାଧିକରଣ ତରଫରୁ ଉପସ୍ଥାପନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ଅଦାଲତ ଜାମିନ ମଞ୍ଜୁର କରିବା ପରେ ମଧ୍ୟ ୪୪୪ ଜଣ ବନ୍ଦୀ ଜେଲରୁ ମୁକୁଳି ପାରି ନାହାନ୍ତି। ଜାମିନ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ତ୍ତ ପୂରଣ ନ କରିବାରୁ କେତେକ ଜେଲରୁ ବାହାରି ପାରି ନାହାନ୍ତି। ଆଉ କେତେକଙ୍କ ନାଁରେ ଏକାଧିକ ମାମଲା ରହିଥିବା ବେଳେ ଗୋଟିଏରେ ଜାମିନ ମିଳିଛି, ଅନ୍ୟ ମାମଲାରେ ଜାମିନ ମିଳି ନାହିଁ। ଏଭଳି ସବୁ କାରଣ ପାଇଁ ଅଦାଲତରୁ ଜାମିନ ପାଇବା ପରେ ମଧ୍ୟ କେତେକ ବନ୍ଦୀ ଜେଲରୁ ମୁକୁଳି ପାରି ନାହାନ୍ତି। ‌କେତେକ ବନ୍ଦୀଙ୍କ ମାମଲା ପରିଚାଳନା ପାଇଁ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଭଳି ବନ୍ଦୀଙ୍କ ଜାମିନ ସର୍ତ୍ତରେ ପରିବର୍ତ୍ତନ/ସଂଶୋଧନ ପାଇଁ ଆଇନସେବା ପ୍ରାଧିକରଣ ତରଫରୁ ନିଯୁକ୍ତ ଆଇନଜୀବୀମାନେ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଜାମିନ ସର୍ତ୍ତପୂରଣ ନ କରି ପାରି ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପ୍ରସଂଗରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ପ୍ରସଂଗରେ ଏକ ଏସଓପି ପାଳନ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଜାମିନ ସର୍ତ୍ତ ପୂରଣ ନ ହେବା କାରଣରୁ ଜେଲରେ ରହିବା ମାମଲାରେ ଅଦାଲତ ସର୍ତ୍ତ କୋହଳ ପ୍ରସଂଗରେ ନିଜ ଆଡୁ ଶୁଣାଣି କରିବା କଥା ବୋଲି ଆମିକସ କ୍ୟୁରି ଦର୍ଶାଇଥିଲେ। ଏଥି ସହିତ ରାଜ୍ୟରେ କେତେକ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ବନ୍ଦୀ ରହିଥିବା ପ୍ରସଂଗରେ ଆମିକସ କ୍ୟୁରି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭଦ୍ରକ ଓ ଯାଜପୁର ଜେଲରେ ବହୁ ଦିନ ହେବ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ ବନ୍ଦୀ ରହୁଥିବା ଦେଖିବାକୁ ମିଳୁଛି। କରୋନା ସଂକ୍ରମଣ ସମୟରେ ଏପରି ଜେଲରୁ ବନ୍ଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତ ପାଇଁ ପଦକ୍ଷେପ ନିଆଯାଇଥିଲା। ବହୁ ସମୟରେ ଜେଲରେ ଭିଡ଼ ଏଡ଼ାଇବା ପାଇଁ ଅୖସ୍ଥାୟୀ ପଦକ୍ଷେପ ସ୍ବରୂପ ବନ୍ଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଛି। ଏହି ପ୍ରସଂଗରେ ଆମିକସ କ୍ୟୁରି ଲିଖିତ ତଥ୍ୟ ମଧ୍ୟ ହାଇକୋର୍ଟରେ ଦାଖଲ କରିଥିଲେ। ଆମିକସ୍ କ୍ୟୁରି ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Share Now:

Kalinga News Beuro

Next Post

ବିରୋଧର ପ୍ରଭାବ ନାହିଁ : ବୁୁନୁଙ୍କୁ ଭୁବନେଶ୍ୱର ମଧ୍ୟ ଟିକେଟ,ନରମିଲେ ବାଇଁଆ

Fri Apr 12 , 2024
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ ମିଳିଛି। ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଛନ୍ତି। ଏହା ପରେ ତାଙ୍କ ସମର୍ଥକମାନେ ଖୁସି ମନାଇଛନ୍ତି। ବୁନୁଙ୍କ ବାଟ ଓଗାଳିବାକୁ ତାଙ୍କର ବିରୋଧୀମାନେ ବେଶ୍‌ କସ୍‌ରତ କରିଥିଲେ। ଲଗାତାର ସମାବେଶ, ପଦଯାତ୍ରା କରି ବୁନୁଙ୍କୁ ବିରୋଧ କରିଥିଲେ। ଏପରିକି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial