ବିରୋଧର ପ୍ରଭାବ ନାହିଁ : ବୁୁନୁଙ୍କୁ ଭୁବନେଶ୍ୱର ମଧ୍ୟ ଟିକେଟ,ନରମିଲେ ବାଇଁଆ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ ମିଳିଛି। ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଛନ୍ତି। ଏହା ପରେ ତାଙ୍କ ସମର୍ଥକମାନେ ଖୁସି ମନାଇଛନ୍ତି। ବୁନୁଙ୍କ ବାଟ ଓଗାଳିବାକୁ ତାଙ୍କର ବିରୋଧୀମାନେ ବେଶ୍‌ କସ୍‌ରତ କରିଥିଲେ। ଲଗାତାର ସମାବେଶ, ପଦଯାତ୍ରା କରି ବୁନୁଙ୍କୁ ବିରୋଧ କରିଥିଲେ। ଏପରିକି ଏକାଧିକ ଆଶାୟୀ ହାତ ମିଳାଇ ବୁନୁଙ୍କୁ ଟିକେଟ ନ ଦେବାକୁ ଅଡ଼ି ବସିଥିଲେ। ବହୁ ପୂର୍ବତନ କର୍ପୋରେଟର ବିଜେପିକୁ ଚାଲିଯିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। କିନ୍ତୁ ଏସବୁର ପ୍ରଭାବ ନବୀନ ନିବାସରେ ଆଦୌ ପଡ଼ି ନାହିଁ। ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଭରସା କରିଥିବାରୁ ସେ ଖୁସି ବ୍ୟକ୍ତି କରିବା ସହ ଭି କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ‘ଦଳ ଯେତେବେଳେ ଯାହା ଦାଇତ୍ୱ ଦେଇଛି ତାହାକୁ ସୁଚାରୁରୂପେ ତୁଲାଇଛି। ବିଧାୟକ ଭାବରେ ଯେଉଁ ଲୋକମାନେ ଭରସା କରିଛନ୍ତି ଓ ଭଲପାଇବା ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ। ଅନେକ ମୁସଲମାନ୍‌ ସମ୍ପ୍ରଦାୟର ଲୋକଙ୍କ ସହିତ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ମୋ ପାଇଁ ପ୍ରାର୍ଥନା କରିଥିଲେ। ସେମାନଙ୍କର ବିଶ୍ବାସ ଯେଭଳି ଅତୁଟ ରହିବ ସେଥିପାଇଁ କାମ କରିବି।’
ଅନ୍ୟପଟେ ବୁନୁଙ୍କୁ ବିରୋଧ କରି ଆସୁଥିବା ଅମରେଶ ଜେନା(ବାଇଁଆ) ମଧ୍ୟ ନରମିଛନ୍ତି। ବୁନୁଙ୍କ ଛଡ଼ା ଆଉ ଯାହାକୁ ଟିକେଟ ଦେଲେ ସମସ୍ୟା ନାହିଁ ବୋଲି ସେ କହିଛନ୍ତି। ବାଇଁଆ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ମୁଁ ମୋ ବ୍ୟକ୍ତିଗତ ମତ ଜଣାଇଥିଲି। ସେ ତର୍ଜମା କରି ନିଷ୍ପତ୍ତି ନେଇଥିବାରୁ ମୁଁ ନିରାଶ ହୋଇ ନାହିଁ। ବିଜେଡି ସୁପ୍ରିମୋ ଦଳର ଭଲ ଚାହିଛନ୍ତି। ମୁଁ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଦଳ ସମସ୍ତଙ୍କୁ ନେଇ ଚାଲିବ ଏବଂ ଏଠାରେ ସୁଦୃଢ଼ ହେବ।’ ଆଗାମୀ ଦିନରେ ଦଳ ଯାହା ଦାୟିତ୍ବ ଦେବ ତାହା କରିବି ବୋଲି କହିଛନ୍ତି। ବୁନୁ ମଧ୍ୟ ବାଇଁଆଙ୍କ ପ୍ରସଙ୍ଗରେ କହିଛନ୍ତି, ଦଳ ଭିତରେ ଏଭଳି ମନାନ୍ତର ମତାନ୍ତର ଥାଏ। ତାଙ୍କର ମନ ଊଣା ହୋଇଛି ମାନେ କେଉଁଠି କିଛି ସମସ୍ୟା ଥାଇପାରେ। ମୁଁ ତାହାକୁ ସମାଧାନ କରିବାକୁ ନିଶ୍ଚୟ ଚେଷ୍ଟା କରିବି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି ବୋଲି ସେ କହିଛନ୍ତି।
୨୦୧୯ ମସିହାରେ ଅନୁରୂପ ଘଟଣା ଘଟିଥିଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବୁନୁଙ୍କୁ ଟିକେଟ୍‌ ମିଳିବ କି ନାହିଁ ନିଶ୍ଚିତ ନଥିଲା। ବରଂ ବୁନୁଙ୍କୁ ସନ୍ତୁଷ୍ଟ କରିବାକୁ ତାଙ୍କୁ ସମ୍ପାଦକରୁ ରାଜ୍ୟ ସାଧାରଣ ସମ୍ପାଦକ ଦାଇତ୍ୱ ଦିଆଯାଇଥିଲା। ତା’ ସହ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାର କିଛିଦିନ ପୂର୍ବରୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ବିଧାୟକ ଟିକେଟ ଦିଆଯିବ ନାହିଁ ‌ବୋଲି ଏଭଳି ସନ୍ତୁଷ୍ଟ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ବୁନୁ ବିଧାନସଭା ଟିକେଟ ଜିଦ୍‌ରେ ଅଟଳ ରହିଲେ। ତତ୍‌କାଳୀନ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କଟାଯାଇ ବୁନୁଙ୍କୁ ପ୍ରାର୍ଥୀ କରାଗଲା ଓ ସେ ବିଜୟୀ ହୋଇଥିଲେ।

Share Now:

Kalinga News Beuro

Next Post

ଜାତିଗତ ଜନଗଣନା ପ୍ରସଙ୍ଗରେ ବିଜେପିର ବଡ଼ ବୟାନ

Fri Apr 12 , 2024
ଛିନ୍ଦୱାଡା : ଶାସକ ଦଳର ମୁଖ୍ୟ ଜେପି ନଡ୍ଡା ମଧ୍ୟପ୍ରଦେଶର ଛିନ୍ଦୱାଡାରେ କହିଛନ୍ତି ଯେ ବିଜେପି ଜାତିଗତ ଜନଗଣନା ବିରୋଧୀ ନୁହେଁ, କିନ୍ତୁ କଂଗ୍ରେସ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗରିବ, ଯୁବ, ଅନ୍ନଦାତା-କୃଷକ ଏବଂ ନାରୀ ଶକ୍ତି (ଗରିବ, ଯୁବକ, କୃଷକ ଏବଂ ମହିଳା)ଙ୍କ ଜ୍ଞାନ ବା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରଗତି ଦେଶର ବିକାଶପାଇଁ ଚାବିକାଠି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial